କନକ ବ୍ୟୁରୋ :ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ନୂଆମୋଡ଼ । ଦୁର୍ଘଟଣା ନୁହେଁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ହୋଇଥିଲା ହତ୍ୟା । ସ୍ବାମୀ ଦୀପକ ରାଉତ ଅତି ନିର୍ଦ୍ଦୟ ଭାବେ ଅପର୍ଣ୍ଣାଙ୍କର ହତ୍ୟା କରିଥିବାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଇଛି ପୁଲିସ । ପୂରା ଘଟଣା ଉପରୁ ପରଦା ହଟାଇବାକୁ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବ ପୁଲିସ । ଝାରପଡ଼ା ଜେଲରେ ବନ୍ଦ ଥିବା ଦୀପକଙ୍କୁ ପଚରାଉଚରା ବେଳେ ବଡ଼ ପ୍ରମାଣ ପାଇଛି ପୁଲିସ । ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ରାଧାକିଶୋର ପୁରଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ପୁଲିସକୁ କହିଥିଲା ଦୀପକ । ତେବେ ଅପର୍ଣ୍ଣାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆସିବା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁନଃଯାଞ୍ଚ କରାଯାଇଥିଲା ।
ଶୁଣିଲେନି ନେତା, ବୁଝିଲେନି ମନ୍ତ୍ରୀ; ନିର୍ବାଚନ ଲଢ଼ିବେ ୭୨ ବର୍ଷୀୟ ବୃଦ୍ଧ
ସ୍ବତନ୍ତ୍ର ଡାକ୍ତରୀ ଟିମର ଚୁଡ଼ାନ୍ତ ରିପୋର୍ଟରୁ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଅପର୍ଣ୍ଣା ମୃତ୍ୟୁକୁ ନେଇ ସେତେବେଳେ ଚର୍ଚ୍ଚା ବଢିଥିଲା ଯେତେବେଳେ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡରେ ଦୀପକଙ୍କ ସମ୍ପୃକ୍ତି ମିଳିଥିଲା । ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିବା ପରେ ବୀମା ଟଙ୍କା ପାଇଁ ତାଙ୍କୁ ହତ୍ୟା କରି ପୋତି ଦେଇଥିଲେ ଦୀପକ । ପରେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସନ୍ଦେହ କରିଥିଲେ । ଏବେ ପୁନଃ ତଦନ୍ତ ଭିତରେ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଖୁବଶୀଘ୍ର ପୂରା ଘଟଣା ଉପରୁ ପରଦା ହଟାଇବ ।