କନକ ବ୍ୟୁରୋ : ଆସୁଛି ନୂଆ ବର୍ଷ… ୨୦୨୬ରୁ କେବଳ ନୂଆ ବର୍ଷ ନୂଆ ନୂଆ ନିୟମ ବି ଲାଗୁ ହୋଇଯିବ । ଜାନୁଆରି ପହିଲାରୁ କେବଳ ନୂଆ ବର୍ଷ ବଦଳିବ ନାହିଁ, ବରଂ ଆପଣଙ୍କ ଚାରିପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିବ । ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି । ଚାଷୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀ ଏବଂ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ପର୍ଯ୍ୟନ୍ତ ସମସ୍ତେ ଏହି ନୂଆ ନିୟମ ଦ୍ୱାରା ପ୍ରଭାବିତ ହେବେ । ସୋସିଆଲ ମିଡିଆ ଏବଂ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ବା ଡାଟା ସୁରକ୍ଷାକୁ ନେଇ ସରକାର ଦୀର୍ଘ ଦିନରୁ ଗମ୍ଭୀର ଅଛନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ଜାନୁଆରୀ ମାସରୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର କେତେକ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । 

Advertisment

ବ୍ୟାଙ୍କିଂ ସେକ୍ଟରରେ ବଡ଼ ପରିବର୍ତ୍ତନ 

ଆସନ୍ତା ବର୍ଷଠାରୁ  କ୍ରେଡିଟ୍ ସ୍କୋର ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ପ୍ରତି ସପ୍ତାହରେ ଡାଟା ଅପଡେଟ୍ କରିବାକୁ ପଡ଼ିବ । ବର୍ତ୍ତମାନ ଏହି ଅପଡେଟ୍ ପ୍ରତି ୧୫ ଦିନରେ ଥରେ ହେଉଛି । ଏହାଦ୍ୱାରା ଗ୍ରାହକମାନେ ସେମାନଙ୍କର ସଦ୍ୟତମ କ୍ରେଡିଟ୍ ସ୍ଥିତି ବିଷୟରେ ଜାଣିପାରିବେ । ଦେଶର ଅନେକ ବଡ଼ ବ୍ୟାଙ୍କ ସେମାନଙ୍କ ଋଣ ଉପରେ ସୁଧ ହାର କମାଇଛନ୍ତି ।  ଫିକ୍ସଡ୍ ଡିପୋଜିଟ୍ ସୁଧ ହାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହାର ପ୍ରଭାବ ଜାନୁଆରିରୁ ଦେଖିବାକୁ ମିଳିବ । ଡିଜିଟାଲ୍ ନିରାପତ୍ତାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ଏବେ ହ୍ୱାଟସଆପ୍, ଟେଲିଗ୍ରାମ୍ ଏବଂ ସିଗ୍‌ନାଲ୍ ଭଳି ପ୍ଲାଟଫର୍ମରେ ସିମ୍ ଲିଙ୍କ୍ ଭେରିଫିକେସନ୍ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିଛନ୍ତି । ଏହା ସହିତ ୟୁପିଆଇ ଏବଂ ଡିଜିଟାଲ୍ ପେମେଣ୍ଟ୍ ନିୟମରେ ମଧ୍ୟ କେତେକ ଟେକ୍ନିକାଲ୍ ପରିବର୍ତ୍ତନ କରାଯାଇଛି । ଆଧାର ଏବଂ ପ୍ୟାନ୍ କାର୍ଡ ଲିଙ୍କ୍ ହେବା ଜରୁରୀ । ଯଦି ଆପଣ ଏପର୍ଯ୍ୟନ୍ତ ଏହି କାମ କରିନାହାନ୍ତି, ତେବେ ନୂଆ ବର୍ଷରୁ ଆପଣଙ୍କୁ ବ୍ୟାଙ୍କିଙ୍ଗ୍ ସେବା ମିଳିବାରେ ଅସୁବିଧା ହୋଇପାରେ କିମ୍ବା ସେବା ବନ୍ଦ ହୋଇଯାଇପାରେ । 

ସୋସିଆଲ ମିଡିଆ ଉପରେ କଟକଣା ! 

ନୂଆ ବର୍ଷରୁ ସୋସିଆଲ ମିଡିଆରେ ପିଲାଙ୍କ ଏଣ୍ଟ୍ରି ଉପରେ ଲାଗିବ କଟକଣା । ଅଷ୍ଟ୍ରେଲିଆ ଏବଂ ମାଲେସିଆ ଭଳି  ଭାରତରେ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା ନିୟମ ଲାଗୁ ହୋଇପାରେ । ପିଲାଙ୍କୁ ଡିଜିଟାଲ ଦୁନିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଏହି କଟକଣା ଲାଗୁ କରାଯାଇପାରେ ।

ଅଧିକ ପଢ଼ନ୍ତୁ---ଟ୍ରାଫିକ ଜାମର ଗେମ୍ ଓଭର ! ଭାରତରେ ଆରମ୍ଭ ହେଲା ଏୟାର ଟ୍ୟାକ୍ସି ଟେଷ୍ଟିଂ 

ପ୍ରଦୂଷଣ ରୋକିବାକୁ ସରକାରଙ୍କ ପ୍ଲାନ୍ 

ଦେଶର ଅନେକ ପ୍ରମୁଖ ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଡିଜେଲ ଏବଂ ପେଟ୍ରୋଲ ଚାଳିତ କମର୍ସିଆଲ ଗାଡ଼ି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାଲିଛି ପ୍ରସ୍ତୁତି । ଏହି ସହରଗୁଡ଼ିକରେ କେବଳ ଇଲେକ୍ଟ୍ରିକ୍ କିମ୍ବା ସ୍ୱଚ୍ଛ ଇନ୍ଧନ ଚାଳିତ ଗାଡ଼ିକୁ ପ୍ରାଧାନ୍ୟ ଦିଆଯିବ । ପ୍ରଦୂଷିତ ସହରଗୁଡ଼ିକରେ ପ୍ରଦୂଷଣ ରୋକିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏଠାରେ ପେଟ୍ରୋଲ ଗାଡ଼ି ଜରିଆରେ ଡେଲିଭରି କରିବା ଉପରେ କଟକଣା ଲାଗିପାରେ । ପ୍ରଦୂଷଣ କମାଇବା ପାଇଁ ଡେଲିଭରି କମ୍ପାନିଗୁଡ଼ିକୁ ଇ-ଭେହିକିଲ୍ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ । 

ଲାଗୁ ହେବ ଅଷ୍ଟମ ବେତନ ଆୟୋଗ ! 

୨୦୨୬ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ନେଇ ଆସୁଛି । ଆସନ୍ତା ୧ ଜାନୁଆରୀ, ୨୦୨୬ରୁ ଦେଶରେ ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ପ୍ରବଳ ସମ୍ଭାବନା ରହିଛି । ଜାନୁଆରି ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହେବାକୁ ଯାଉଛି । ଏହାଦ୍ୱାରା କର୍ମଚାରୀଙ୍କ ମାସିକ ଦରମାରେ ବଡ଼ ଧରଣର ବୃଦ୍ଧି ହେବ । କେବଳ ସ୍ଥାୟୀ କର୍ମଚାରୀ ନୁହଁନ୍ତି, ବରଂ ପାର୍ଟ-ଟାଇମ୍ ଏବଂ ଦୈନିକ ମଜୁରିଆଙ୍କ ପାଇଁ ମଧ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି । ହରିୟାଣା ଭଳି ରାଜ୍ୟଗୁଡ଼ିକରେ ଦୈନିକ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି ।  

ଚାଷୀଙ୍କ ପାଇଁ ବଦଳିବ କଣ ?

ନୂଆ ବର୍ଷରେ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଉଛି । ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଏବେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର 'ଫାର୍ମର ଆଇଡି' ପ୍ରସ୍ତୁତ କରାଯାଉଛି । ପିଏମ୍ କିସାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇବା ପାଇଁ ଏହି ଆଇଡି ବାଧ୍ୟତାମୂଳ । ଆଇଡି ନଥିଲେ ଟଙ୍କା ମିଳିନପାରେ । ନୂଆବର୍ଷରୁ ଯଦି ଜଙ୍ଗଲୀ ଜନ୍ତୁ ଚାଷ ଜମିରେ ପଶି ଫସଲ ନଷ୍ଟ କରନ୍ତି, ତେବେ ମଧ୍ୟ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବ। ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିଲା । 

ଟ୍ୟାକ୍ସ ନିୟମ ବି ବଦଳିବ 

ଜାନୁଆରି ମାସରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ ପାଇଁ ସରକାର ଏକ ନୂଆ ଫର୍ମ ଜାରି କରିପାରନ୍ତି । ଏହି ଫର୍ମର ବିଶେଷତ୍ୱ ହେଉଛି ଯେ, ଏଥିରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ କାରବାର ଏବଂ ବାର୍ଷିକ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ପୂର୍ବରୁ ହିଁ ଭରି ରହିଥିବ  । ଏହାଦ୍ୱାରା ଟ୍ୟାକ୍ସ ଦାଖଲ କରିବା ସମୟରେ ଆପଣଙ୍କୁ ଆଉ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ ଏବଂ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ ।  

ଗ୍ୟାସ୍‌ ସିଲିଣ୍ଡର ଦର କମିବ ନା ବଢ଼ିବ ?

ପ୍ରତି ମାସ ପରି ୧ ଜାନୁଆରୀରୁ ଏଲପିଜି ବା ରନ୍ଧନ ଗ୍ୟାସ୍ ଏବଂ କମର୍ସିଆଲ୍  ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ଘୋଷଣା କରାଯିବ । ନୂଆ ବର୍ଷରୁ ଗ୍ୟାସ୍ ଦର ବଢ଼ୁଛି କି କମୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଜାନୁଆରି ପହିଲାରୁ ବିମାନ ଇନ୍ଧନ ବା ଏଭିଏସନ୍ ଟର୍ବାଇନ୍ ଫ୍ୟୁଲ୍ ଦରରେ ମଧ୍ୟ ପରିବର୍ତ୍ତନ ହେବ । ଯଦି ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ହୁଏ, ତେବେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ଦର ବଢ଼ାଇ ପାରନ୍ତି, ଯାହା ବିମାନ ଯାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ।  ମୋଟାମୋଟି ଭାବେ, ଜାନୁଆରି ପହିଲାରୁ ରନ୍ଧନ ଶାଳରୁ ଆରମ୍ଭ କରି ବିମାନ ଯାତ୍ରା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନୂଆ ନିୟମ ଓ ନୂଆ ଦର ଲାଗୁ ହେବାକୁ ଯାଉଛି ।