Mohammod moqim Photograph: (kanak news)
କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଇଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେବା ନେଇ ସେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ମୋକିମଙ୍କ କହିବା ଅନୁଯାୟୀ, ରାଜ୍ୟର ଅନେକ ଉଦୟମାନ ଯୁବ ନେତୃତ୍ୱ ଏବଂ ବୁଦ୍ଧିଜୀବୀ ଏକ ବଡ଼ ପ୍ଲାଟଫର୍ମ ଅପେକ୍ଷାରେ ଅଛନ୍ତି ଓ ସେମାନେ ଲଗାତାର ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ।
ମୋକିମ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାରେ ବିଜେପି ସରକାର ଏବଂ ବିରୋଧୀ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଜନସାଧାରଣ ଏକ ସଶକ୍ତ ବିକଳ୍ପର ଆବଶ୍ୟକତା ଅନୁଭବ କରୁଛନ୍ତି । ରାଜନୀତିରେ କାହା ପାଇଁ କୌଣସି ସ୍ଥାନ କେବେ ଖାଲି ପଡ଼େ ନାହିଁ ଏବଂ ଏହି ଶୂନ୍ୟସ୍ଥାନକୁ ପୂରଣ କରିବାକୁ ନୂଆ ଶକ୍ତି ପ୍ରସ୍ତୁତ ଅଛି । ଯୁବପିଢ଼ିଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଏହି ନୂଆ ଦଳ ଗଠନ ଦିଗରେ ଆଲୋଚନା ଜାରି ରହିଛି, ଯାହା ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇପାରେ ।
ଅଧିକ ପଢ଼ନ୍ତୁ---ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା : ‘ଆମ ବସ୍’ ଧକ୍କାରେ ଜଣେ ମୃତ, ଅଟୋ ଚୁରମାର
ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀରେ ଯୋଗଦେଇ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ଯେଉଁମାନେ ନିଜ ପରିଶ୍ରମରେ ନିଜକୁ ଗଢ଼ିଛନ୍ତି, ସେମାନଙ୍କୁ ସାଇଡ୍ କରି ଅନ୍ୟମାନଙ୍କୁ ଦାୟିତ୍ୱ ଦେଲେ ସଂଗଠନ ଦୁର୍ବଳ ହୋଇଯାଏ, ଯାହା ଓଡ଼ିଶା କଂଗ୍ରେସ କ୍ଷେତ୍ରରେ ଘଟିଛି । ମୋକିମଙ୍କ କହିବା ଅନୁଯାୟୀ, ଯେତେବେଳେ କମଳ ନାଥ ଓଡ଼ିଶା ଆସି ଜାନକୀ ବାବୁଙ୍କୁ 'ଅତୀତ' ବୋଲି କହିଥିଲେ ଏବଂ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଯାଇଥିଲା, ସେହି ସମୟରୁ ହିଁ ଦଳର ଅଧୋପତନ ଆରମ୍ଭ ହୋଇଥିଲା । ସେ ଅଭିଯୋଗ କରିଛନ୍ତି ଯେ ସେତେବେଳେ ଯଦି ସୋନିଆ ଗାନ୍ଧୀ ଜାନକୀ ବାବୁଙ୍କ ସହ ଆଲୋଚନା କରିଥାନ୍ତେ, ତେବେ ଆଜି କଂଗ୍ରେସ ଏଭଳି ଦୟନୀୟ ସ୍ଥିତିରେ ନଥାନ୍ତା ।
ଏହା ସହ ଦିଲ୍ଲୀ ନେତୃତ୍ୱ ବାରମ୍ବାର ପିସିସି ସଭାପତି ପରିବର୍ତ୍ତନ କରି ରାଜ୍ୟରେ ଦଳର ଭୋଟ୍ ପ୍ରତିଶତ କମାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଜାନକୀ ବାବୁଙ୍କ ଆଦର୍ଶରେ ଦଳ ଚାଲିବା କଥା, କିନ୍ତୁ ବର୍ତ୍ତମାନର କଂଗ୍ରେସ ନେତାମାନଙ୍କ ମଧ୍ୟରେ ସେହି ଆଦର୍ଶକୁ ଗ୍ରହଣ କରିବା ପାଇଁ କୌଣସି ଆନ୍ତରିକତା ନାହିଁ ବୋଲି ମୋକିମ କ୍ଷୋଭ ପ୍ରକାଶ କରିଛନ୍ତି । ମୋକିମଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
Follow Us