କନକ ବ୍ୟୁରୋ : ମଣ୍ଡି ଖୋଲିବା ସମୟ ଗଡି ଚାଲିଛି । ପୂର୍ବରୁ କୁହାଯାଉଥିଲା ୨୦ରେ ମଣ୍ଡି ଖୋଲିବ, ଏବେ କୁହାଯାଉଛି ୨୫ରେ ଖୋଲିବ । ସେପଟେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀ ପଞ୍ଜିକରଣ କରିପାରିନଥିବା ଅଭିଯୋଗ ହୋଇ ଆସୁଛି । ଏହା ଭିତରେ ଧାନ ସଂଗ୍ରହ ଦାୟିତ୍ବକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ । ଏକଥା ଆମେ କହୁନୁ, ଶୁକ୍ରବାର ନବରଙ୍ଗପୁର ଡିଏଲପିସି ବୈଠକରୁ ସତ ସାମନାକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ୧୩ଟି ଲ୍ୟାମ୍ପ୍, ୪୪ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ମାଧ୍ୟମରେ ଧାନ କିଣିବାକୁ ହୋଇଛି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଶାସକ ଦଳର ସାଂସଦ ଓ ବିଧାୟକ । ଭିତ୍ତିଭୂମି ଓ ଲୋକବଳ ନଥାଇ ଏସଏଚଜିଙ୍କୁ ଧାନ କିଣା ଦାୟିତ୍ବ ଦିଆଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ନିଷ୍ପତ୍ତିକୁ ବିରୋଧ କରି ବୈଠକ ଛାଡି ଚାଲିଯାଇଥିଲେ ସାଂସଦ ଓ ବିଧାୟକ । ଚାଷୀ ମଧ୍ୟ ସାଂସଦଙ୍କ ସହ ସ୍ବର ମିଳାଇଛନ୍ତି ।
ସାରାରାଜ୍ୟର ସ୍ଥିତି ସମାନ। ସମ୍ବଲପୁରରେ ୧୨୭ଟି ଧାନ ସଂଗ୍ରହ କେନ୍ଦ୍ରରେ ଧାନ କିଣାଯିବ। ଏଥିପାଇଁ ୪୫ଟି ପେକ୍ସ ଓ ୧୧ଟି ଏସ୍ଏଚ୍ଜିକୁ ଦାୟିତ୍ବ ଦିଆଯାଇଛି। ବରଗଡ଼ ଜିଲ୍ଲାରେ ୨୨୯ଟି ମଣ୍ଡିରୁ ଧାନ ସଂଗ୍ରହ ପାଇଁ ୫୮ଟି ପେକ୍ସ ଓ ୨୦ଟି ଏସ୍ଏଚ୍ଜି ଗ୍ରୁପ୍କୁ ଦିଆଯାଇଛି ଦାୟିତ୍ବ । ଯାହାକୁ ନେଇ ଆଶଙ୍କାରେ ପଡିଛନ୍ତି ଚାଷୀ ।
ଅଧିକ ପଢ଼ନ୍ତୁ--ଭକ୍ତଙ୍କ ବିଭୀଷଣ ଉପାଖ୍ୟାନଙ୍କୁ ନେଇ କଂଗ୍ରେସରେ ଝଡ଼
ଏସ୍ଏଚ୍ଜି ଗ୍ରୁପ ପାଖରେ ଭିତ୍ତିଭୂମିର ଅଭାବ ଫଳରେ ୨୦୨୨-୨୩ ମସିହାରେ ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଥିଲା । ବାମରା ବ୍ଲକର ଏକ ଏସଏଚଜି ଗ୍ରୁପ ଚାଷୀଙ୍କଠାରୁ ଧାନ କିଣି ସାରିବା ପରେ ଜଣେ ବ୍ୟବସାୟୀ ନୀରିହ ମହିଳାଙ୍କୁ ଠକି ସବୁ ଧାନ ଗାୟବ କରିଦେଇଥିଲା । ୨୩ ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ଏସଏଚଜି ଦାୟିତ୍ବ ନେଇଥିବା ପରିବାରର ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏଭଳି ସ୍ଥିତିରେ ଅନଭିଜ୍ଞ ଏସଏଚଜିଙ୍କୁ ଧାନ କିଣା ଦାୟିତ୍ବ ଦିଆଯିବ ଉଚିତ୍ କି ନୁହେଁ ତାହା ବଡ଼ ପ୍ରଶ୍ନ ।
Follow Us