କନକ ବ୍ୟୁରୋ : ଡବଲ ଇଞ୍ଜିନ ସରକାର ଥିବାରୁ ବଜେଟରେ ବଡ ଆଶା ରଖିଥିଲା ଓଡ଼ିଶା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଓଡ଼ିଶା ପାଇଁ କରିଥିବା ନୂଆ ଘୋଷଣା ରାଜ୍ୟ ବିକାଶକୁ ବୁଷ୍ଟରଡୋଜ ଦେବ ବୋଲି ଆଶାବାଦୀ ମୁଖ୍ୟମନ୍ତ୍ରୀ । ଅତି ଉତ୍ସାହଜନକ ନହେଲେ ମଧ୍ୟ ଓଡ଼ିଶା ପାଇଁ ଆଶାନୁରୂପକ ବଜେଟ ଭେଟି ଦେଇଛି କେନ୍ଦ୍ର । ଡବଲ ଇଞ୍ଜିନ ସରକାରର ଫାଇଦା ପାଇଛି ଓଡ଼ିଶା । ୨୦୨୬-୨୭ ବଜେଟରେ ଓଡ଼ିଶା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଶିଳ୍ପ ଓ ଭିତ୍ତିଭୂମିର ବିକାଶକୁ ଶିଖରରେ ପହଞ୍ଚାଇବାକୁ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ତାମିଲନାଡୁ ଓ କେରଳରେ ବିରଳ ମୃତ୍ତିକା କରିଡର ନିର୍ମାଣ ହେବ ।
ଏହା ଜରିଆରେ ଉତ୍ପାଦନ ବୃଦ୍ଧି ସହ ଆମଦାନି ନିର୍ଭରଶୀଳତା କମିବ । ସ୍ଥାନୀୟ ଶିଳ୍ପ ପାଇଁ ଏହା ବୁଷ୍ଟରଡୋଜ ଭଳି କାମ କରିବ । ଖଣିଜ ସମ୍ପଦ ଭରପୂର ଅଞ୍ଚଳଗୁଡ଼ିକୁ ଶିଳ୍ପାଞ୍ଚଳ ଏବଂ ବନ୍ଦର ସହିତ ସିଧାସଳଖ ଯୋଡ଼ିବ ଏହି କରିଡର । ଖଣିଜ ଦ୍ରବ୍ୟର ପରିବହନ ବ୍ୟବସ୍ଥା ସହଜ ହେବା ସହ ପରିବହନ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ହ୍ରାସ ପାଇବ । ହଜାର ହଜାର ନିଯୁକ୍ତି ସୃଷ୍ଟି ସହ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବ ।
ଅଧିକ ପଢ଼ନ୍ତୁ---ବଜେଟ୍-୨୦୨୬ ଉପସ୍ଥାପନ କଲେ ନିର୍ମଳା ; ୫୩.୫୪ ଲକ୍ଷ କୋଟିର ବ୍ୟୟବରାଦ
ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ୫ ଜାତୀୟ ଜଳପଥ ଘୋଷଣା କରିଛି କେନ୍ଦ୍ର । ତାଳଚେର ଅନୁଗୁଳ, କଳିଙ୍ଗନଗରକୁ ପାରାଦୀପ ଓ ଧାମରା ସହ ସିଧାସଳଖ ଯୋଡ଼ାଯିବ । ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ନେଇ ପୂର୍ବତଟ ବିକାଶ କରିଡରର ପରିକଳ୍ପନା କରିଛି କେନ୍ଦ୍ର । ସହର ଅର୍ଥନୀତି ଅଞ୍ଚଳ ପାଇଁ ସବୁଜ ସଂକେତ ଦେଇଛନ୍ତି ମୋଦୀ ସରକାର । ଏହାଦ୍ବାରା ଓଡ଼ିଶାର ଅନେକ ସହର ଅଥନୈତିକ କ୍ଷେତ୍ରରେ ସମୃଦ୍ଧ ହେବ । ସେହିଭଳି କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ହେବ ସ୍ବତନ୍ତ୍ର କରିଡର । ଅନ୍ୟପଟେ ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ । କେନ୍ଦ୍ର ବଜେଟ ଓଡ଼ିଶାର ବିକାଶକୁ ବଳ ଦେବ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ଓଡ଼ିଶା ପାଇଁ ବଜେଟରେ ଯେଉଁ ଘୋଷଣା ହୋଇଛି ତାହା ରାଜ୍ୟ ବିକାଶରେ କେତେ ସହାୟକ ହେଉଛି ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/budget-2026-02-01-19-12-39.jpg)