କନକ ବ୍ୟୁରୋ : ନେପାଳର ମଧ୍ୟବର୍ତ୍ତୀକାଳୀନ ସରକାର ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସଂସଦରେ ବିଚାରାଧୀନ ବିବାଦୀୟ ସୋସିଆଲ ମିଡିଆ ବିଲ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦେଶରେ ବ୍ୟାପକ ଜନଆକ୍ରୋଶ ସୃଷ୍ଟି କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ସରକାର ଏହି ବିଲ୍ ଆଗତ କରିଥିଲେ। ଯୁବପିଢ଼ି ଓ ନାଗରିକ ସମାଜ ଏହାକୁ କଡ଼ା ବିରୋଧ କରିଥିଲେ। ଏବେ ଜନଭାବନା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଇ, ସରକାର ଏହି ଆଇନକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସାମ୍ବାଦିକ ମହାସଂଘ ପକ୍ଷରୁ ପ୍ରତିବାଦ
ନେପାଳ ସାମ୍ବାଦିକ ମହାସଂଘ ଓ ଅନ୍ୟାନ୍ୟ ଡିଜିଟାଲ୍ ଅଧିକାର ଗୋଷ୍ଠୀ ଏହି ବିଲ୍କୁ ସମାଲୋଚନା କରିଥିଲେ। ଏହାର ବ୍ୟବସ୍ଥାଗୁଡ଼ିକୁ ଗଣତାନ୍ତ୍ରିକ ଢାଞ୍ଚା ବିରୋଧରେ ବୋଲି କହିଥିଲେ। ସେମାନେ ଯୁକ୍ତି ଦେଇଥିଲେ ଯେ, ଏହାଦ୍ବାରା ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନାମରେ ସାଧାରଣ ନାଗରିକ ଓ ସାମ୍ବାଦିକମାନଙ୍କୁ ସହଜରେ ଟାର୍ଗେଟ କରାଯାଇପାରିବ। ବ୍ୟାପକ ସମାଲୋଚନା ଓ ଜନସାଧାରଣଙ୍କ ଚାପ ଶେଷରେ ମଧ୍ୟବର୍ତ୍ତୀକାଳୀନ ସରକାର ବିବାଦୀୟ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ନେପାଳରେ ସାଂପ୍ରଦାୟିକ ହିଂସା, ଭାରତ ସୀମା ସିଲ୍
ସଂସଦର ଉଚ୍ଚ ସଦନରେ ପଡ଼ି ରହିଥିଲା
ନେପାଳର ଗୃହମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ଓମ୍ ପ୍ରକାଶ ଆର୍ୟ୍ୟାଲ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି, କ୍ୟାବିନେଟ ସୋସିଆଲ ମିଡିଆ ବିଲ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏହି ବିଲ୍ ଦୀର୍ଘ ସମୟ ଧରି ସଂସଦର ଉଚ୍ଚ ସଦନରେ ପଡ଼ି ରହିଥିଲା । ଏଥିରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରତିବନ୍ଧିତ କରୁଥିବା ଅନେକ କଠୋର ବ୍ୟବସ୍ଥା ଥିଲା। ସରକାର ହୃଦୟଙ୍ଗମ କରିଛନ୍ତି ଯେ, ପୁରୁଣା ନିୟମାବଳୀ ସଂଶୋଧନ କରିବା ପରିବର୍ତ୍ତେ ବିଲ୍ ଉପରେ ପୁନର୍ବିଚାର କରିବା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଜରୁରୀ।
ଯୁବ ଆନ୍ଦୋଳନର ପ୍ରଭାବ
ସେପ୍ଟେମ୍ବର ମାସରେ, ଜେନ୍-ଜି ଯୁବପିଢ଼ି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଓଲି ସରକାରଙ୍କ କଟକଣା ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଏକ ବ୍ୟାପକ ଦୁର୍ନୀତି ବିରୋଧୀ ପ୍ରଦର୍ଶନରେ ପରିଣତ ହୋଇଥିଲା। ଏହା ତତ୍କାଳୀନ ଓଲି ସରକାରଙ୍କୁ କ୍ଷମତାରୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁବପିଢ଼ି ଯୁକ୍ତି ଦେଇଥିଲେ, ସେମାନଙ୍କ ସ୍ୱରକୁ ଦମନ କରିବା ଓ ସେମାନଙ୍କର ଡିଜିଟାଲ୍ ଅଧିକାର ଉଲ୍ଲଂଘନ କରିବା ପାଇଁ ଜାଣିଶୁଣି ଏହି ବିଲ୍ ଆଗତ କରାଯାଇଛି।
ନିଷିଦ୍ଧ କରାଯାଇଥିବା ପ୍ରମୁଖ ପ୍ଲାଟଫର୍ମ
ଓଲି ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଏକ୍ସ, ରେଡିଟ୍ ଓ ଲିଙ୍କଡିନ୍ ଭଳି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକୁ ନିଷିଦ୍ଧ କରିଥିଲେ। ସରକାର ଯୁକ୍ତି ଦେଇଥିଲେ ଯେ, ଏହି କମ୍ପାନିଗୁଡ଼ିକ ନେପାଳରେ ନିଜକୁ ପଞ୍ଜୀକୃତ କରି ନାହାନ୍ତି। ତେଣୁ ନିୟମ ଅନୁଯାୟୀ ସେମାନଙ୍କୁ ନିଷିଦ୍ଧ କରାଯାଇଛି।ଜନସାଧାରଣ ଏହାକୁ ସୂଚନା ଅଧିକାର ଉପରେ ଆକ୍ରମଣ ବୋଲି ବିବେଚନା କରିଥିଲେ । ସରକାରଙ୍କ ନୀତିକୁ ସାରା ଦେଶରେ କଡ଼ା ନିନ୍ଦା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ନେପାଳରେ ପୁଣି ଜେନ୍-ଜେଡ୍ ବିଦ୍ରୋହ : ଦୁର୍ନୀତି, ରାଜନୈତିକ ବ୍ୟବସ୍ଥାକୁ ଯୁବପିଢ଼ିର ବିରୋଧ
କଠୋର ଦଣ୍ଡ ବ୍ୟବସ୍ଥା
ବିଲ୍ରେ ନକଲି ପରିଚୟ ବ୍ୟବହାର କରି ଭୁଲ ସୂଚନା ପ୍ରସାରଣ କରୁଥିବା ଲୋକଙ୍କ ପାଇଁ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ଅପରାଧୀଙ୍କ ପାଇଁ ୧.୫ ମିଲିୟନ ନେପାଳୀ ଟଙ୍କା ପର୍ୟ୍ୟନ୍ତ କଠୋର ଜରିମାନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଡିଜିଟାଲ୍ ଅଧିକାର ସଂଗଠନଗୁଡ଼ିକ ଏହି ଦଣ୍ଡଗୁଡ଼ିକୁ ମାତ୍ରାଧିକ ଓ ଅଭିବ୍ୟକ୍ତି ସ୍ୱାଧୀନତାକୁ ଦମନ ବୋଲି ସମାଲୋଚନା କରିଥିଲେ।
ଲାଇସେନ୍ସ ନକଲେ ଜରିମାନା
ବିଲ୍ ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ନେପାଳ ସରକାରଙ୍କଠାରୁ ଲାଇସେନ୍ସ ପାଇବାକୁ ବାଧ୍ୟତାମୂଳକ କରାଯାଇଥିଲା। ଲାଇସେନ୍ସ ବିନା ଦେଶରେ କାର୍ୟ୍ୟ କରୁଥିବା ଯେକୌଣସି କମ୍ପାନିକୁ ୨.୫ ମିଲିୟନ ନେପାଳୀ ଟଙ୍କା ଜରିମାନା ଦେବାକୁ ପଡିବ। ଏଥିରେ ସାଇବର ଧମକ, ଫିସିଂ ଓ ସେକ୍ସଟୋର୍ସନ୍ ଭଳି ଅପରାଧକୁ ରୋକିବା ପାଇଁ କଠୋର ନିୟମ ସାମିଲ କରାଯାଇଥିଲା।
Follow Us