କନକ ବ୍ୟୁରୋ : ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ । ସବୁକିଛି ଥାଇ ବି ଆଜି ଏହା ଅବହେଳିତ । ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଜୋର୍ ଧରିଲାଣି ଦାବି । ଏପଟେ ବିଧାୟକ କହିଛନ୍ତି ଆଗାମୀ ବିଧାନସଭା ଅଧିବେଶନରେ ଉଠିବ ଏ ପ୍ରସଙ୍ଗ ।
ଅଧିକ ପଢ଼ନ୍ତୁ : ବ୍ରିଟେନ୍ ଓ ଭାରତ ମଧ୍ୟରେ ବଡ଼ ଡିଲ୍: ଭାରତରେ ଖୋଲିବ ବ୍ରିଟେନର ୯ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍
୧୯୧୩ରେ ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ୧୧୨ ବର୍ଷର ଏହି ପୁରାତନ କଲେଜ ରାଜ୍ୟରେ ନାରୀ ଶିକ୍ଷା କ୍ଷେତ୍ରରେ ତୁଲାଇଥିଲା ବିଶେଷ ଭୂମିକା। ଏଠାରୁ ଶିକ୍ଷା ଗ୍ରହଣ କରି ବହୁ ଓଡ଼ିଆ ଝିଅ ଦେଶ ବିଦେଶରେ ଅନେକ ନାଁ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମାତ୍ର ରାଜ୍ୟର ସର୍ବପୁରାତନ ମହିଳା କଲେଜକୁ ଯେଉଁ ସମ୍ମାନ ମିଳିବା କଥା ତାହା ଆଜି ସୁଦ୍ଧା ମିଳିପାରିନି । ଆଉ ଏବେ ଏହି ମହାବିଦ୍ୟାଳୟ ଲାଗି ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ। ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଜୋର୍ ଧରିଲାଣି ଦାବି ।
ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେଲାଣି । କଟକ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଆଗାମୀ ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗ ଉଠିବ । ସାଧାରଣ ଲୋକଙ୍କ ଦାବି ସରକାର କେବେ ଶୁଣିବେ ତାହା ଦେଖିବାର କଥା।
Follow Us