କନକବ୍ୟୁରୋ : ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍‌ ।  ନିୟୋଜିତ ହୋଇଛନ୍ତି ସିଆରପିଏଫ୍‌, ଝାରଖଣ୍ଡ ଜାଗୁଆର , କୋବ୍ରା ବାହିନୀ ଓ ସ୍ଥାନୀୟ ପୁଲିସ ।  ଦୁଇଦିନ ହେଲା ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । ଗୁରୁବାର ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୫ ନକ୍ସଲ ନିହତ ହୋଇଥିଲେ ।  ଶୁକ୍ରବାର ସରଣ୍ଡା ଜଙ୍ଗଲରୁ ଅନ୍ୟ ଦୁଇ ଟପ୍ କ୍ୟାଡର୍ ରାପା ମୁଣ୍ଡା ଓ ସୋମା  ନକ୍ସଲଙ୍କ ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି ।  ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର, ରାଇଫଲ୍‌, ଇନ୍‌ସାସ୍‌ ରାଇଫଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

Advertisment

ଅଧିକ ପଢନ୍ତୁ... ପରକୀୟା ପ୍ରୀତି ପାଇଁ ବୟଫ୍ରେଣ୍ଡ ସହ ମିଶି ସ୍ୱାମୀଙ୍କୁ ହତ୍ୟା; ବିରିୟାନିରେ ଦେଲା ୨୦ଟି ନିଦ ବଟିକା

ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବାକୁ ହେଲିକେପ୍ଟର ଓ ଡ୍ରୋନ୍‌ ବ୍ୟବହାର କରାଯାଇଛି ।  ଆକାଶ ମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପ୍ରାଥମିକ ତଦନ୍ତରୁ ସରଣ୍ଡା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ମଛୁ ସମେତ ୬୦ ପାଖାପାଖି ନକ୍ସଲ ଲୁଚି ରହିଥିବା ଜଣାପଡ଼ିଛି । ହେଲିକପ୍ଟର ଓ ଡ୍ରୋନ ସହାୟତାରେ ସେସବୁ ସ୍ଥାନକୁ ଆକାଶ ମାର୍ଗରୁ ଚିହ୍ନଟ କରିବା ପରେ ସେଠାରେ ସର୍ଚ୍ଚଅପରେସନ୍‌କୁ ଆହୁରି ଜୋରଦାର କରାଯିବ ବୋଲି ସିଆରପିଏଫ୍‌ ଆଇଜି ସାକେତ କୁମାର ସି କହିଛନ୍ତି। ନକ୍ସଲଙ୍କୁ ଆତ୍ମସମର୍ପଣ କରି ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଲାଭ ନେବାକୁ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ଆହ୍ବାନ କରାଯାଇଛି । 

ଏହା ପୂର୍ବରୁ ଗତ ଜାନୁଆରି ୧୭ ଓ ୧୮ ତାରିଖ ଏନକାଉଣ୍ଟରରେ ୬ ନକ୍ସଲ ନିହତ ହୋଇଥିଲେ । ନିହତ ନକ୍ସଲମାନଙ୍କ ମୁଣ୍ଡ ଉପରେ ସରକାର ୨୭ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଦୁଇଟି ଏକେ -୪୭,  ଗୋଟିଏ ଇନ୍‌ସାସ୍‌ ରାଇପଲ, ଦୁଇଟି ୩୦୩ ରାଇଫଲ, ଗୋଟିଏ ବିଜିଏଲ୍‌ ଲଞ୍ଚର ଜବତ ହୋଇଥିଲା । ଏରିଆ କମାଣ୍ଡର ଅନଲ ଦାଙ୍କ ନିହତ ପରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି ।

ଝାଡ଼ଖଣ୍ଡ ପଟୁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯିବା   ପରେ ନକ୍ସଲମାନେ ଓଡ଼ିଶା ସୀମାନ୍ତ ଜଙ୍ଗଲକୁ ଚାଲିଯିବାର ଆଶଂକା ଥିବାରୁ କେନ୍ଦୁଝର ଓ ସୁନ୍ଦରଗଡ଼ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ବଡ଼ବିଲ୍‌ଠୁ ଆରମ୍ଭ କରି ସୁନ୍ଦରଗଡ଼ ବିଶ୍ରା ପର୍ଯ୍ୟନ୍ତ ସୀମାନ୍ତ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ଜାରି ରହିଛି। ସିଆର୍‌ପିଏଫ୍‌, ଡିଭିଏଫ୍‌, ସ୍ଥାନୀୟ ପୁଲିସ ମିଳିତ ଭାବେ କୁମ୍ବିଂ ଅପରେସନ୍‌ ଚଳାଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଯବାନ ଓ ପୁଲିସ ସଂଖ୍ୟା ବଢ଼ାଯାଉଛି। ନକ୍ସଲମାନଙ୍କ ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡି କରାଯାଇଛି।

ସରଣ୍ଡାରେ ଗୁଳି ବିନିମୟ, ୧୭ ନକ୍ସଲ ସଫା
ସରଣ୍ଡା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ଗୁଳିବିନିମୟ
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେଣି ୧୭ ନକ୍ସଲ
ଜାନୁଆରି ୧୭ ଓ ୧୮ ତାରିଖ ଏନକାଉଣ୍ଟରରେ ୬ ନକ୍ସଲ ନିହତ ହୋଇଥିଲେ
ଦୁର୍ଦ୍ଦାନ୍ତ ମାଓନେତା ମଛୁ ସମେତ ୬୦ ପାଖାପାଖି ନକ୍ସଲ ଲୁଚିଥିବା ସନ୍ଦେହ
ନିହତ ନକ୍ସଲମାନଙ୍କ ମୁଣ୍ଡ ଉପରେ ସରକାର ୨୭ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ
ଦୁଇଟି ଏକେ -୪୭, ଗୋଟିଏ ଇନ୍‌ସାସ୍‌ ରାଇପଲ, ଦୁଇଟି ୩୦୩ ରାଇଫଲ, ଗୋଟିଏ ବିଜିଏଲ୍‌ ଲଞ୍ଚର ଜବତ
ସିଆର୍‌ପିଏଫ୍‌, ଡିଭିଏଫ୍‌, ସ୍ଥାନୀୟ ପୁଲିସ ମିଳିତ ଭାବେ କୁମ୍ବିଂ ଅପରେସନ୍‌ ଚଳାଇଛନ୍ତି
ନକ୍ସଲଙ୍କୁ ଖୋଜିବାକୁ ହେଲିକେପ୍ଟର ଓ ଡ୍ରୋନ୍‌ ବ୍ୟବହାର କରାଯାଇଛି
ଆକାଶମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି
--
ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗେରି ଜଙ୍ଗଲରେ କନ୍ଧମାଳ ପୁଲିସ, ସିଆର୍‌ପିଏଫ୍ ଓ ବିଏସ୍ଏଫ୍ ଯବାନମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଇଲାକାରେ ସର୍ଚ ଅପରେସନ୍ ଜୋରଦାର କରିଛନ୍ତି। ସର୍ଚ୍ଚ ବେଳେ ଏକ ମାଓ କ୍ୟାମ୍ପ୍ ଠାବ ହୋଇଛି। ଅପରେସନ୍‌ର ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଏହି ମାଓ ଶିବିରକୁ ଧ୍ବଂସ କରିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛି ।  ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ, ୧୩ଟି ବନ୍ଧୁକ, ୱାକିଟକି, ସୋଲାର୍ ପ୍ୟାନେଲ୍, ବିଦ୍ୟୁତ୍ ତାର, ଔଷଧ, ମାଓପତ୍ରିକା, ହାଭରସାକ, ଇନ୍‌ସାସ୍ ରାଇଫଲ୍, ୩୦୩ ବୋଲ୍ଟ ଆକ୍ସନ ରାଇଫଲ୍, ମାଗାଜିନ, ଟର୍ଚ୍ଚ ଏବଂ ଖାଦ୍ୟ ସାମଗ୍ରୀ ଉକ୍ତ ମାଓ ଶିବିରରୁ ଜବତ ହୋଇଛି। ଅପରେସନ୍ ସମୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜି ନଥିଲା। ଏଣୁ କେହି ମୃତାହତ ହୋଇ ନ‌ଥିବା କଥା ଏସ୍‌ପି ପ୍ରକାଶ କରିଛନ୍ତି  ।

ଏବେବି ସେହି ଅଞ୍ଚଳରେ ସର୍ଚ ଅପରେସନ୍ ଜାରି ରହିଛି। ସୂଚନା ଅନୁସାରେ, କେକେବିଏନ୍ ଡିଭିଜନର ଟପ୍ ମାଓନେତା ଦସୁରୁର ନିଧନ ପରେ ତା'ର ପତ୍ନୀ ମମତା ଏବେ କେକେବିଏନ୍ ମାଓ ଡିଭିଜନର ନେତୃତ୍ବ ନେଉଛି। ସେହିପରି ମାଓ ନେତା ନିଖିଲ ଏବଂ ତା’ର ପତ୍ନୀ ଇନ୍ଦୁ ବିଜିଏନ୍ ମାଓ ଡିଭିଜନ୍‌ର ନେତୃତ୍ଵ ନେଉଛନ୍ତି। ଏଣୁ ଟପ୍ ମାଓନେତ୍ରୀ ମମତା, ଇନ୍ଦୁ ଏବଂ ନିଖିଲ ଏବେ ପୁଲିସର ସ୍କାନର୍‌ରେ ଅଛନ୍ତି। ଏହି ୩ ଜଣ ଟପ୍ ମାଓ ନେତାଙ୍କୁ ଧରିବା ପୁଲିସ ପାଇଁ ସବୁଠୁ ବଡ଼ ଆହ୍ଵାନ ପାଲଟିଛି। ଗତ ଡିସେମ୍ବର ୨୪ ଓ ୨୫ ତାରିଖରେ ବେଲଘର ଥାନା ଗୁମ୍ଫା ସଂରକ୍ଷିତ ଜଙ୍ଗଲ ଏବଂ ଚକାପାଦ ଥାନା କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଓ ଭାଲିଙ୍ଗିଆ ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନ୍‌ରେ ମୋଟ ୬ ଜଣ ମାଓବାଦୀ ନିହତ ହୋଇଥିଲେ। ନିହତ ମାଓବାଦୀଙ୍କ ମଧ୍ୟରେ କେକେବିଏନ୍ ମାଓ ଡିଭିଜନର କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ରହିଥିଲେ।