କନକ ବ୍ୟୁରୋ : କଂଗ୍ରେସ ବିରୋଧରେ ଲଢ଼ି ଓଡ଼ିଶାରେ କ୍ଷମତାକୁ ଆସିଥିଲେ ନବୀନ। ନିଜକୁ ସୁହାଇଲା ଭଳି ପ୍ରସଙ୍ଗ ଉଠାଇ ୨୪ବର୍ଷ ଧରି ଶାସନରେ ରହିଥିଲେ। କିନ୍ତୁ କ୍ଷମତାରୁ ଯିବା ପରେ ଏବେ ପୁଣି ସ୍ବର ବଦଳାଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ହାତ ଧରିବା ସହ ପୁଣି ଧର୍ମନିରପେକ୍ଷତାର କଥା କହିଛନ୍ତି। ତେବେ ନବୀନଙ୍କ ନୂଆ ରଣନୀତିକୁ ନେଇ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା। 

Advertisment

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଅବସରରେ ନବୀନ ପଟ୍ଟନାୟକ ଦେଇଥିବା ଏହି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ କିଛି ବର୍ଷ ହେବ ସମଦୂରତାର କଥା କହି ଆସୁଥିବା ନବୀନ ହଠାତ ଧର୍ମନିରପେକ୍ଷତାର କଥା କହି ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ତେବେ ପ୍ରଥମ ଥର ପାଇଁ ନବୀନ ଧର୍ମନିରପେକ୍ଷତାର କଥା କହି ନାହାନ୍ତି ।

ଅଧିକ ପଢ଼ନ୍ତୁ :ରାଜ୍ୟସଭା ବଦଳାଇଦେଲା ରାଜନୈତିକ ସମୀକରଣ; ନୀତୀଶଙ୍କ ନାମାଙ୍କନ ପରେ ବିହାରରେ ବଡ଼ ହଲଚଲ

- ୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ଧର୍ମନିରପେକ୍ଷତାର କଥା କହି ବିଜେପି ସମ୍ପର୍କ ଛିହ୍ନ କରିଥିଲେ ନବୀନ। ୨୦୦୯ ରେ ବିଜେପି ସହ ମେଣ୍ଟ ଭାଙ୍ଗି ଏକାଏକା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ୨୦୧୪ ପରେ କେନ୍ଦ୍ରରେ ଏନଡ଼ିଏ ସରକାର ଆସିବା ପରେ ବଦଳିଯାଇଥିଲା ନବୀନଙ୍କ ସ୍ବର। ୨୦୨୪ ପର୍ଯ୍ୟନ୍ତ  ରାଜ୍ୟ ସ୍ବାର୍ଥ ଆଳରେ କେନ୍ଦ୍ରରେ ମୋଦୀ ସରକାରଙ୍କୁ ସମର୍ଥନ ଦେଇ ଆସୁଥିଲେ। ଏବେ ୨୦୨୬ରେ ରାଜ୍ୟସଭା ନିବାଚନ ପାଇଁ ସ୍ବର ବଦଳାଇବାପରେ ସୁବିଧାବାଦୀ ନେତା ବୋଲି ଚର୍ଚ୍ଚା ହେଉଛି।

 ନବୀନ, ଭକ୍ତ ଏକାଠି ହେବା ପରେ ଦଳୀୟ ନେତା ଓ କର୍ମୀ ବି ଦ୍ବନ୍ଦ୍ବରେ ପଡିଛନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ପରସ୍ପର ବିରୋଧରେ ଲଢ଼େଇ କରି ଆସୁଥିଲେ ସେମାନେ ଏବେ କଣ କରିବେ ସେ ନେଇ ଆଶଙ୍କାରେ ପଡିଛନ୍ତି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଯେଉଁସବୁ ବିଧାନସଭା କ୍ଷେତ୍ରରେ ବିଜେଡି ସହ କଂଗ୍ରେସ ସିଧାସଳଖ ଲଢ଼େଇ ହୋଇଥିଲା, ସେଠି  ଦ୍ବନ୍ଦାତ୍ମକ ସ୍ଥିତି ଉପଜୁଛି। ଅନ୍ୟପଟେ ଯେଉଁସବୁ ଅସନ୍ତୁଷ୍ଟ ବିଜେଡି ଛାଡ଼ି କଂଗ୍ରେସକୁ ଡେଇଁବେ ବୋଲି ଭାବୁଥିଲେ ସେମାନେ ଏବେ ଚିନ୍ତାରେ।  ନବୀନଙ୍କ ରାଜ୍ୟସଭା ଚାଲ କେତେ ସଫଳ ହେଉଛି ତାହା ଆଗାମି ୧୬ରେ ସ୍ପଷ୍ଟ ହେବ। ଏଥିସହ ଆଗକୁ ବିଜେଡି ଓ କଂଗ୍ରେସ ମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ସଂକେତ ମିଳିବ।