କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି । ବିହାରରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ବଦଳିଯାଇଛି ରାଜନୈତିକ ସମୀକରଣ । ଲଗାତାର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଶେଷରେ ଦିଲ୍ଲୀ ଯାଇଛନ୍ତି । ଏପଟେ ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ କଂଗ୍ରେସ ସହ ମିତ୍ରତା କରିଛନ୍ତି ନବୀନ ।

Advertisment

ବିହାରର ୧୦ ଥରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୀର୍ଘ ବର୍ଷ ପରେ ପାଟଣା ଛାଡ଼ି ଦିଲ୍ଲୀ ଯିବେ । ନୀତୀଶ ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ପରେ ସାରାଦେଶରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ରହିବା ପାଇଁ ବାରମ୍ବାର ଏନଡିଏର ସହ ସମ୍ପର୍କ ଯୋଡ଼ିଛନ୍ତି ଓ ଭାଙ୍ଗିଛନ୍ତି, ତାଙ୍କର ଏହି ନୂଆ ରଣନୀତି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ନୀତୀଶଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ବି ବହୁ ଜେଡିୟୁ ନେତା ଗ୍ରହଣ କରିପାରୁ ନାହାନ୍ତି । ଏହା ନୀତୀଶ ଓ ଜେଡିୟୁ ପାଇଁ ବୁମେରାଂ ହେବ ବୋଲି ଆଶଙ୍କା କରିଛନ୍ତି । ନୀତୀଶ ନିଜ ଇଛାରେ ଯାଉଛନ୍ତି ନା ବାଧ୍ୟବାଧକତାରେ ସେ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି ।

ଅଧିକ ପଢ଼ନ୍ତୁ : ରାଜ୍ୟସଭା ପାଇଁ ନୀତୀଶଙ୍କ ନାମାଙ୍କନ; ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସମ୍ରାଟ ଚୌଧୁରୀ ସର୍ବାଗ୍ରେ

ବିହାରରେ ପ୍ରଥମେ ପ୍ରଥମେ ବିରୋଧ କରିଥିଲେ ବି ପରବର୍ତ୍ତୀ ସମୟରେ ମୋଦୀଙ୍କ ହାତ ଧରିଥିଲେ ନୀତୀଶ । କ୍ଷମତା ପାଇଁ ବାରମ୍ବାର ସହଯୋଗୀ ବଦଳାଇଥିଲେ, ମୋଦୀଙ୍କ ହାତ ଛାଡିଥିଲେ କିନ୍ତୁ ବି ଏବେ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ଏପଟେ କେନ୍ଦ୍ରୀୟ ରାଜନୀତିରେ ଏନଡିଏକୁ ସବୁ ସମୟରେ ସହଯୋଗ କରି ଆସିଥିବା ନବୀନ କିନ୍ତୁ ପ୍ରଥମ ଥର ପାଇଁ କଂଗ୍ରେସ ସହ ହାତ ମିଳାଇଛନ୍ତି । ଓଡ଼ିଶାରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ବଜେପି ବଦଳରେ କଂଗ୍ରେସ ସହ ମିଶି ଚତୁର୍ଥ ଆସନରେ ପ୍ରାର୍ଥୀ ଦେଇଛନ୍ତି । ଯାହାକି ଓଡ଼ିଶା ରାଜନୀତିରେ ନୂଆ ସମୀକରଣକୁ ଜନ୍ମ ଦେଇଛି । ଜାତୀୟ ରାଜନୀତିରେ ବି ଚର୍ଚ୍ଚାର ବିଷୟ ହୋଇଛି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ଗଲାପରେ ବିଜେପି ହାତକୁ ଯାଇପରେ ବିହାର ମୁଖ୍ୟମନ୍ତ୍ରୀ ଆସନ । ତେଣୁ ଆଗକୁ ଜାତୀୟ ରାଜନୀତିର ସମୀକରଣ କଣ ହେଉଛି ତା ଉପରେ ସମସ୍ତଙ୍କ ନଜର ।