କନକ ବ୍ୟୁରୋ : ଆଜି ହେବାକୁ ଥିବା ଜିଏନଏମ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ ସଂଘ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧୨ ତାରିଖରେ ହେବାକୁ ଥିବା ଜିଏନଏମ ଦ୍ୱିତୀୟ ବର୍ଷର 'ମେଣ୍ଟାଲ ହେଲଥ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଏବେ ଫେବୃଆରୀ ୧୬ ତାରିଖ ଦିନ ଅନୁଷ୍ଠିତ ହେବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ଏହି ପରିବର୍ତ୍ତିତ ତାରିଖ ଅନୁଯାୟୀ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।
ଏପଟେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପାଇଁ ଓଡ଼ିଶା ସରକାର ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ବ୍ୟାଙ୍କ ଫେଡେରେସନ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ଅଧିକ ପଢନ୍ତୁ : ଆଜି ‘ଭାରତ ବନ୍ଦ’ : ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମିଳିତ ମଞ୍ଚର ଧର୍ମଘଟ
ଏହି ସମୟ ମଧ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପ୍ରତିଷେଧକ ମୂଳକ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ସରକାରୀ କାର୍ଯ୍ୟାଳୟ ଏବଂ ଅତ୍ୟାବଶ୍ୟକ ସେବା ଗୁଡ଼ିକ ଯେପରି ବାଧାପ୍ରାପ୍ତ ନ ହୁଏ ଏବଂ ସୁରୁଖୁରୁରେ ଚାଲିପାରିବ, ସେନେଇ ସୁନିଶ୍ଚିତ କରିବାକୁ ପ୍ରଶାସନକୁ କୁହାଯାଇଛି ।
Follow Us