କନକବ୍ୟୁରୋ : ଦଶ ଦିନ ରହିଲା ଦଶମ ପରୀକ୍ଷା । ଆଜି ପର୍ଯ୍ୟନ୍ତ ପିଲାଙ୍କୁ ମିଳିନି ସ୍କୁଲ ପୋଷାକ। ଏନେଇ ଆମେ ଗ୍ରାଉଣ୍ଡ ଜିରୋରୁ ସତ ଦେଖାଇବା ପରେ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ମାସ ମାସ ଧରି ପୋଷାକ ନ ବାଣ୍ଟି ନିଦାବିଷ୍ଣୁ ସାଜିଥିବା ବାବୁ ଏବେ ତରବରିଆ ଭାବେ ବୈଠକ କରିଛନ୍ତି । ରବିବାରରେ ଜୁମ୍ କଲ୍ ଜରିଆରେ ଯୋଡି ହୋଇ ତୁରନ୍ତ ପୋଷାକ ବାଣ୍ଟିବାକୁ ସମସ୍ତ ପ୍ରଧାନଶିକ୍ଷକ, ବିଇଓ, ବିଆରସିସି ଓ ଭେଣ୍ଡରଙ୍କୁ ଚାପ ପକାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଭେଣ୍ଡର।

Advertisment

ଅଧିକ ପଢନ୍ତୁ... ଚୌଦ୍ବାର ଜେଲ୍ ଟେଣ୍ଡର ପ୍ରସଙ୍ଗ: ଘୁଞ୍ଚିଲା ଟେଣ୍ଡର ଖୋଲିବା ତାରିଖ

ଏତେ ଶୀଘ୍ର କେଉଁଠୁ ଆଉ କେମିତି ଆଣି ପୋଷାକ ବାଣ୍ଟିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।  ଏପରିକି କିଛି ଭେଣ୍ଡର ସିଧାସଳଖ ପ୍ରଶ୍ନ କରିଛନ୍ତି ଆଜି ପର୍ୟ୍ୟନ୍ତ କେଉଁଠି ଶୋଇଥିଲ ।  ତିନିମାସ ତଳୁ କାହିଁକି ପୋଷାକ ବାଣ୍ଟିବା ଉପରେ ଗୁରୁତ୍ବ ଦେଉ ନଥିଲ ।  ଅନ୍ୟପଟେ ଦଶମ ପରୀକ୍ଷାକୁ ମାତ୍ର ୧୦ ଦିନ ଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ପୋଷାକକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

 ଏବେ ୟୁନିଫର୍ମ ନେଇ କଣ କରିବୁ ବୋଲି ସିଧାସଳଖ ପ୍ରଶ୍ନ କରୁଛନ୍ତି। ଅନ୍ୟପଟେ ପିଲାଙ୍କ ପୋଷାକ ପାଇଁ ଜିଲ୍ଲାକୁ ଆସିଥିବା ୭କୋଟି ଟଙ୍କାର ବଡ ଭାଗକୁ ସମ୍ପୂର୍ଣ୍ଣ ଖାଇଦେବାକୁ ବାବୁ ଓ ତାଙ୍କ ସହଯୋଗୀ ମସୁଧା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।  ସେପଟେ ଜିଲ୍ଲା ଶିକ୍ଷାଧିକାରୀ କାଲି ଯେଉଁ ଅଭିଯୋଗ ଆଣିଥିଲେ ତାହା ସତ ହୋଇଥିଲେ ସାଂଘାତିକ । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଯଦି ଏବେ ବି ପୋଷାକ ବଣ୍ଟା ଚାଲିଛି ତାହେଲେ, ଗଣଶିକ୍ଷା ବିଭାଗର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଗତ ବଜେଟରେ ମୁଖ୍ୟମନ୍ତ୍ରୀ ସ୍କୁଲ ୟୁନିଫର୍ମ ପାଇଁ ୧୦୮ କୋଟି ଟଙ୍କା ବ୍ୟୟବରାଦ ଦେଇଥିଲେ ।  ଏହାପରେ ବି ଏପରି ବିଭ୍ରାଟ ଦୁର୍ନୀତିର ଗନ୍ଧ ନେଇ ପ୍ରଶ୍ନ ଉଠାଇଛି। 

- ମୁଖ୍ୟମନ୍ତ୍ରୀ ଟଙ୍କା ଦେବା ପରେ ବି କାହିଁକି ମୁଣ୍ଡାଇଲେ ଅପବାଦ?  
- କିଏ କହୁଛନ୍ତି ସତ ମନ୍ତ୍ରୀ ନା ଜିଲ୍ଲା ଶିକ୍ଷାଧିକାରୀ?  
- ଗଣଶିକ୍ଷା ବିଭାଗର ସଚିବ, ନିର୍ଦ୍ଦେଶକ କରୁଥିଲେ କଣ? 
- ପିଲାଙ୍କ ପୋଷାକ ଟଙ୍କା ଖାଇଦେବାକୁ ହୋଇଥିଲା କି ବଡ଼ ଷଡ଼୍‌ଯନ୍ତ୍ର? 
- କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାହିଁକି ହେଉନି କାର୍ୟ୍ୟାନୁଷ୍ଠାନ? 
- ଏସଏଚଜି ମୁଣ୍ଡରେ ଦୋଷ ଲଦି କାହାକୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ? 
- ପୋଷାକ ପାଇନଥିବା ପିଲାଙ୍କୁ ଏବେ ୟୁନିଫର୍ମ ବଦଳରେ କାହିଁକି ଦିଆଯିବନି ଟଙ୍କା ?