କନକ ବ୍ୟୁରୋ : ନୂଆବର୍ଷ କାହା ପାଇଁ କେମିତି। କିଏ ସାଙ୍ଗ ସାଥୀଙ୍କ ମେଳରେ ମଉଜ କରିବାରେ ବ୍ୟସ୍ତ ତ ଆଉ କିଏ ପରିବାର ସହ ବିତାଉଛି ସମୟ। କିନ୍ତୁ ଏହି ଭିଡ ଭିତରେ ଆମେ ଭେଟିଛୁ ଏମିତି କିଛି ମଣିଷଙ୍କୁ ଯାହାଙ୍କ ପାଇଁ ନୂଆ ବର୍ଷର ଅର୍ଥ କିଛି ଭିନ୍ନ। ଦେଖନ୍ତୁ ଭିଡ ଭିତରେ ଥିବା କିଛି ନିଆରା ମଣିଷଙ୍କ କାହାଣୀ।
ସୂର୍ଯ୍ୟ ଉଇଁବା ପୂର୍ବରୁ ସହରର ଗଳିକନ୍ଦିରେ ଶୁଭେ ଝାଡୁର ଶବ୍ଦ। ରାସ୍ତାଘାଟ ଚଳଚଞ୍ଚଳ ହେବାର ଅନେକ ପୂର୍ବରୁ ସହର ହୋଇଯାଏ ଚିକ୍କଣ। ହାତରେ ଝାଡୁ ଧରି ସହରରୁ ଅଳିଆ ସଫା କରିବାରେ ଲାଗିପଡନ୍ତି ସଫେଇ କର୍ମଚାରୀ। ଆଉ ଏହି ଯୋଦ୍ଧାଙ୍କ ମଧ୍ୟରୁ ଜବାମଣି ଜଣେ। ଘର ବାଲେଶ୍ବରର ଖୁଣ୍ଟାରେ। ରୋଜଗାର ଆଶାରେ ରାଜଧାନୀ ଆସିଛନ୍ତି ଜବାମଣି। ନୂଆବର୍ଷ ପାଇଁ ସେ ବି ଖୁସି, କିନ୍ତୁ ସେ କହନ୍ତି ପେଟ ପାଟଣା ପାଇଁ ବର୍ଷର ପ୍ରଥମ ଦିନରେବି ଝାଡୁ ଧରିବାକୁହିଁ ପଡିବ। ପ୍ରକାଶ ବି ସଫେଇ କର୍ମଚାରୀ ଭାବେ କାମ କରୁଛନ୍ତି। ସକାଳ ହେଲେ ନିଜ କର୍ମକ୍ଷେତ୍ରରେ ବାହାରି ପଡନ୍ତି ପ୍ରକାଶ। ହସି ହସି ସବୁ ଦୁଖକୁ ସେ ପିଇଯାନ୍ତି।
ଅଧିକ ପଢ଼ନ୍ତୁ : ନୂଆବର୍ଷରେ କଲବଲ କଲା କୁହୁଡ଼ି; ମଧ୍ୟାହ୍ନ ପର୍ଯ୍ୟନ୍ତ ଦୃଶ୍ୟମାନ ହେଲେନି ସୂର୍ଯ୍ୟ
ବର୍ଷ ଆରମ୍ଭରୁ ଠାକୁରଙ୍କୁ ଦର୍ଶନ କଲେ ବର୍ଷ ସାରା ଭଲ କଟିବ। ଏହି ବିଶ୍ବାସ କରି ଅନେକ ସକାଳୁ ସକାଳୁ ମନ୍ଦିର ପହଞ୍ଚିଥିଲେ। ଆଉ ଏହି ଭିଡ ଭିତରେ ଆମ ନଜର ପଡିଥିଲା ଯୋଗୀଙ୍କ ଉପରେ। କୁଷ୍ଠରେ ପୀଡିତ ହେବା ପରଠାରୁ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି ଯୋଗୀ ସ୍ବାଇଁ। ନୂଆ ବର୍ଷରେ ଭୁବନେଶ୍ବର ରାମ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବାରୁ ସକାଳୁ ହିଁ ପହଞ୍ଚିଯାଇଥିଲେ ରାମ ମନ୍ଦିର। ଲୋକଙ୍କ ଗହଳି ବଢିଥିବାରୁ ଭଲ ଦିପଇସା ବି ମିଳିଥିଲା। ବାସ ଏମିତି ହିଁ ଆରମ୍ଭ ହୋଇଥିଲା ଯୋଗୀଙ୍କ ନୂଆ ବର୍ଷ।
ଅଧିକ ପଢ଼ନ୍ତୁ : ନୂଆବର୍ଷକୁ ଅଡୁଆ କଲା ଗୁରୁବାର : ବର୍ଷ ଶେଷ ଦିନରେ ଆମିଷ ବାର ବୁଧବାର ହୋଇଥିବାରୁ ମାଛ ମାଂସର ରେକର୍ଡ ବିକ୍ରି
ବର୍ଷ ବଦଳିଛି,କାନ୍ଥରୁ ପୁରୁଣା କ୍ୟାଲେଣ୍ଡର ହଟି ନୂଆ ଲାଗିଛି। କିନ୍ତୁ ଶ୍ରମିକଙ୍କ ଜୀବନରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ। ଆଜି ବି ମଣିଷ ହାଟରେ ଶ୍ରମିକଙ୍କ ଭିଡ ଜମିଥିଲା। କାମ ମିଳିବା ଆଶାରେ ଘରୁ ବାହାରି ଆସିଥିଲେ, କିନ୍ତୁ ଘଣ୍ଟା ଘଣ୍ଟା ଧରି କରିବାକୁ ପଡିଥିଲା ଅପେକ୍ଷା। ମଣିଷ ହାଟରେ ଗୋଟିଏ ଗାଡି ଲାଗିଲେ ଗାଡି ଚାରିପଟେ ହେଉଥିଲା ଶ୍ରମିକଙ୍କ ଭିଡ। କିନ୍ତୁ ସଭିଙ୍କୁ ମିଳିନଥିଲା କାମ। ହତାଶ ହୋଇ ଅନେକ ଘରକୁ ଫେରିଥିଲେ । ବର୍ଷ ବଦଳିଛି ସତ କିନ୍ତୁ ଅନେକଙ୍କ ପାଇଁ ଏହା କେବଳ ଗୋଟିଏ ଦିନ। କାରଣ ଯେଉଁଠି ପେଟ ଭୋକିଲା ଥାଏ ସେଇଠି ଉତ୍ସବର ଅର୍ଥ କିଛି ନଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/new-year-2026-01-01-20-59-19.jpg)