Rourkela Arms Photograph: (Kanak News)
କନକ ବ୍ୟୁରୋ : ନାଗାଲାଣ୍ଡରୁ ଲମ୍ବିଛି ବେଆଇନ ବନ୍ଧୁକ କାରବାରର ଚେର । ରାଉରକେଲାରୁ ୩ଟି ବନ୍ଧୁକ ଏବଂ ଗୁଳି ଜବତ ହେବା ପରେ ଏହା ପଛରେ ନାଗାଲାଣ୍ଡ ଲିଙ୍କ୍ ସାମ୍ନାକୁ ଆସିଛି । ପୁଲିସ ୩ ଜଣଙ୍କୁ ଧରିଥିବା ବେଳେ ଏ ରାକେଟ୍ର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଏବେ ବଡ଼ ଚ୍ୟାଲେଞ୍ଜ ।
ଓଡ଼ିଶାରେ ନାଁ ଥାଇ ନାଗାଲାଣ୍ଡରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ । ଦଲାଲ କରୁଛନ୍ତି ଡିଲ୍ । ଗୋଟିଏ ଲାଇସେନ୍ସ ପିଛା ୫ରୁ ୧୦ ଲକ୍ଷ ଟଙ୍କା । ନାଗାଲାଣ୍ଡରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିବାକୁ ଅନୁମତି ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଦଲାଲ । ସେଠାରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରି ଓଡ଼ିଶାରେ ଆଣି ବିକ୍ରି କରୁଛନ୍ତି ଲାଇସେନ୍ସପ୍ରାପ୍ତ ବନ୍ଧୁକ । ଯାହାର ପର୍ଦ୍ଦାଫାସ କରିଛି ରାଉରକେଲା ପୁଲିସ । ପାଖାପାଖି ୬୦ରୁ ଅଧିକ ଜାଗାରେ ଛାପା ମାରି ପୁଲିସ ୩ ଜଣଙ୍କୁ ଧରିବା ସହ ୩ଟି ଅତ୍ୟାଧୁନିକ ବନ୍ଧୁକ ଏବଂ ୩୫ଟି ଗୁଳି ଜବତ କରିଛି । ବନ୍ଧୁକ ରଖିବା ଅଭିଯୋଗରେ ୨ ଜଣ ଏବଂ ବିକ୍ରି ଅଭିଯୋଗରେ ଜଣେ ମାଷ୍ଟର ମାଇଣ୍ଡକୁ ଧରିଛି ପୁଲିସ ।
ଅଧିକ ପଢ଼ନ୍ତୁ : କେନ୍ଦ୍ରାପଡ଼ାକୁ କେଉଁଠୁ ଆସୁଛି ବନ୍ଧୁକ? ବେଆଇନ୍ ବନ୍ଧୁକ ପଛର ମାଷ୍ଟରମାଇଣ୍ଡ୍ କିଏ?
ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଅନ୍ୟ ରାଜ୍ୟରୁ ଜାଲ୍ ପ୍ରମାଣପତ୍ର ଯୋଗାଡ଼ କରି ବେଆଇନ ଭାବେ ବନ୍ଧୁକ ଲାଇସେନ୍ସ କରୁଥିଲେ । ଏପରିକି ନାଗାଲାଣ୍ଡର ସ୍ଥାୟୀ ଠିକଣା ମଧ୍ୟ ଯୋଗାଡ଼ କରୁଥିଲେ । ସାରା ଭାରତରେ ବନ୍ଧୁକ ଲାଇସେନ୍ସ ବୈଧତା ଥିବା କହି ଠକୁଥିଲେ ଦଲାଲ ।
ଏ ରାକେଟ ରାଉରକେଲା, କୋଲକାତା, ନାଗାଲାଣ୍ଡ ଭିତରେ କାମ କରୁଥିବା ଜଣାପଡ଼ିଛି । ତେବେ ସିଣ୍ଡିକେଟ ପଛରେ ଆଉ କାହାର ହାତ ରହିଛି ସେ ନେଇ ଛାନ୍ଭିନ୍ ଚଳାଇଛି ପୁଲିସ ।
Follow Us