america Photograph: (kanak news)
କନକ ବ୍ୟୁରୋ: ଭେନେଜୁଏଲାରେ ଆମେରିକାର ଏକ ଜଟିଳ ତଥା ବିପଦପୂର୍ଣ୍ଣ ଅପରେସନକୁ ନେଇ ନୂତନ ଦାବି ସାମ୍ନାକୁ ଆସିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ଆମେରିକା ଏକ ଅଜ୍ଞାତ ଓ ଅତ୍ୟଧିକ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଟାର୍ଗେଟ୍ କରି ଆମେରିକା ଏହି ସାମରିକ ଅଭିଯାନ କରିବାର କିଛି ଦିନ ପରେ ଏହି ଦାବି ସାମ୍ନାକୁ ଆସିଛି । ‘ନ୍ୟୁୟର୍କ ପୋଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ, ଏହି ଦାବିଗୁଡିକ ଭେନେଜୁଏଲାର ସୁରକ୍ଷାକର୍ମୀଙ୍କଠାରୁ ଆସିଛି । ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରିଙ୍କ ଦ୍ୱାରା ଏକ୍ସରେ ସେୟାର ହେବା ପରେ ଏହା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା, ଯଦିଓ ଆମେରିକା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ।
ହ୍ୱାଇଟ୍ ହାଉସ୍ ଭେନେଜୁଏଲା ମିସନର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ନୀରବ ରହିଥିବା ବେଳେ ଭେନେଜୁଏଲାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ, ଏହି ଅପରେସନରେ ପ୍ରାୟ ୧୦୦ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି । ଆକ୍ରମଣ ସମୟରେ ଉନ୍ନତ କିମ୍ବା ପରୀକ୍ଷାମୂଳକ ଭାବେ ଆମେରିକାର ସାମରିକ ଜ୍ଞାନକୌଶଳ ନିୟୋଜିତ କରାଯାଇଥିଲା କି ନାହିଁ ତାହା ଅସ୍ପଷ୍ଟ ରହିଛି । ନ୍ୟୁୟର୍କ ପୋଷ୍ଟ ଦ୍ୱାରା ଉଦ୍ଧୃତ ପ୍ରତ୍ରକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଆକ୍ରମଣର କିଛି ସମୟ ପୂର୍ବରୁ ଭେନେଜୁଏଲା ସୈନ୍ୟବାହିନୀ ସମ୍ପୂର୍ଣ୍ଣ ‘ସିଷ୍ଟମ୍ ବିଫଳତା’ର ସମ୍ମୁଖୀନ ହୋଇଥିଲେ । ହଠାତ୍ ସମସ୍ତ ରାଡାର ସିଷ୍ଟମ୍ ବନ୍ଦ ହୋଇଗଲା । ଡ୍ରୋନ୍ ଶୀଘ୍ର ମୁଣ୍ଡ ଉପରେ ଦେଖାଗଲା । ତା’ପରେ ଅଳ୍ପ ସଂଖ୍ୟକ ହେଲିକପ୍ଟର ପ୍ରବେଶ କଲା ଯେଉଁଥିରେ ପ୍ରାୟ ୨୦ ଆମେରିକୀୟ ସୈନ୍ୟ ଥିଲେ ବୋଲି ଆକଳନ କରାଯାଇଥିଲା ।
ଆହୁରି ପଢ଼ନ୍ତୁ : "ଶୀଘ୍ର" ପୋଷ୍ଟକୁ ନେଇ ହଲଚଲ: ଟ୍ରମ୍ପ ଇରାନ ଉପରେ ଆକ୍ରମଣର ସଙ୍କେତ ଦେଇଥିବା ନେଇ ଚର୍ଚ୍ଚା
ଭେନେଜୁଏଲାର ସୈନିକମାନେ ବହୁ ସଂଖ୍ୟାରେ ଥିବା ସତ୍ତ୍ବେ ଶୀଘ୍ର ଧରାଶାୟୀ ହୋଇଯାଇଥିଲେ । ଆମେରିକାର ସୈନ୍ୟବାହିନୀ ଏକ ଅଜ୍ଞାତ ମାରଣାସ୍ତ୍ର ବ୍ୟବହାର କରିଥିଲା, ଯାହା ଏକ ଅତି ତୀବ୍ର ଶବ୍ଦ ତରଙ୍ଗ ପରି ଜଣା ପଡ଼ୁଥିଲା । ଜଣେ ସୁରକ୍ଷା କର୍ମୀ କହିଛନ୍ତି, ଆମେ ଅନୁଭବ କଲି ଯେ ଆମ ମୁଣ୍ଡ ଭିତରୁ ବିସ୍ଫୋରଣ ହେଉଛି । ସୈନିକମାନଙ୍କ ନାକରୁ ରକ୍ତ ବାହାରିବାକୁ ଲାଗିଲା, ରକ୍ତ ବାନ୍ତି ହେଲା ଏବଂ ସେମାନେ ଗତି କରିବାକୁ ଅସମର୍ଥ ହୋଇ ଭୂମିରେ ପଡ଼ିଗଲେ । ଭେନେଜୁଏଲାର ସୁରକ୍ଷା କର୍ମୀ କହିଛନ୍ତି ଯେ ଆମେରିକାର ସୈନ୍ୟମାନେ ଅତ୍ୟଧିକ ସଠିକତା ଓ ବେଗରେ ଗୁଳି ଚଳାଇଥିଲେ । ଆମେ ଶହ ଶହ ଥିଲୁ, କିନ୍ତୁ ଆମର କୌଣସି ସୁଯୋଗ ନ ଥିଲା । ସେମାନେ ମାଇକ୍ରୋୱେଭ୍ ପରି ଫୋକସ୍ ଶକ୍ତି ବ୍ୟବହାର କରି ଆମକୁ ଅସ୍ତବ୍ୟସ୍ତ କରିଦେଇଥିଲେ ବୋଲି ସୁରକ୍ଷା କର୍ମୀଙ୍କ ବୟାନ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।
Follow Us