କନକ ବ୍ୟୁରୋ: ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଆଉ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଦେବଜିତ ସାଇକିଆ ଏହା ନିଶ୍ଚିତ କରିଛନ୍ତି । ସାଇକିଆ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ନିଜ ସ୍କ୍ୱାଡରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଇଛି ।
ଦେବଜିତ ସାଇକିଆ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି କେକେଆର୍ ଟିମ୍ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ କରିବାକୁ ଚାହୁଛି, ତେବେ ବିସିସିଆଇ ଏଥିପାଇଁ ଅନୁମତି ଦେବ । ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୬ ପାଇଁ ଅନୁଷ୍ଠିତ ମିନି ନିଲାମରେ ୯.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା ।
ବାମହାତୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଦଳରେ ସାମିଲ କରିବା ପରେ କେକେଆରକୁ ସୋସିଆଲ ମିଡିଆରେ ବହୁତ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରଶଂସକଙ୍କ ସମେତ କିଛି ରାଜନେତା ଏବଂ ସାଧୁ-ସନ୍ଥ ମଧ୍ୟ ବାଂଲାଦେଶୀ ଖେଳାଳିଙ୍କ ଆଇପିଏଲ୍ ଖେଳିବା ଉପରେ ପ୍ରଶ୍ନ ଉଠାଇଥିଲେ । ଅଗଷ୍ଟ ୨୦୨୪ରେ ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି ଏବଂ ଅନେକ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି । ନିକଟରେ ଦୁଇଜଣ ହିନ୍ଦୁଙ୍କ ନିର୍ମମ ହତ୍ୟା ପରେ ସମଗ୍ର ଦେଶରେ ବାଂଲାଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ଏହି ସମୟରେ ବିସିସିଆଇ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬କୁ ନେଇ ବାଂଲାଦେଶୀ ଖେଳାଳିଙ୍କ ଭିସା ପ୍ରସଙ୍ଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହିତ କ୍ରମାଗତ ଭାବରେ ଆଲୋଚନା କରୁଛି । ବାଂଲାଦେଶ ଦଳକୁ ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍ ଗୁଡିକ କୋଲକାତା ଏବଂ ମୁମ୍ବାଇରେ ଖେଳିବାକୁ ଅଛି । ଭିସାକୁ ନେଇ କୌଣସି ବଡ଼ ବାଧା ଉପୁଜିବ ନାହିଁ ବୋଲି ବୋର୍ଡ ଆଶାବାଦୀ ଅଛି ।
ଆହୁରି ପଢ଼ନ୍ତୁ... ‘ମୋତେ ବେଜିତ କରିଥିଲା ପିସିବି’ ; ନକବିଙ୍କ ପୋଲ ଖୋଲିଲେ ପୂର୍ବତନ ପାକ୍ କୋଚ
ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମରେ କୌଣସି ଫ୍ରାଞ୍ଚାଇଜ୍ ବାଂଲାଦେଶୀ ଖେଳାଳିଙ୍କ ଉପରେ ବୋଲି ଲଗାଇ ନଥିଲେ । ତେବେ ଆଇପିଏଲ୍ ୨୦୨୬ ପାଇଁ ମିନି ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହା ସହିତ ମୁସ୍ତାଫିଜୁର ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ବାଂଲାଦେଶୀ ଖେଳାଳି ହୋଇଥିଲେ ।
କେକେଆର୍ ମୁସ୍ତାଫିଜୁରଙ୍କ ଉପରେ ୯.୨୦ କୋଟି ଟଙ୍କାର ବଡ଼ ବୋଲି ଏଥିପାଇଁ ଲଗାଇଥିଲା କାରଣ ସେ ଜଣେ ମ୍ୟାଚ୍ ୱିନର୍। ଏହି ବାମହାତୀ ପେସରଙ୍କ ପାଖରେ ସଠିକ୍ ଲାଇନ୍ ଲେନ୍ଥ ଅଛି । ଗତିରେ ପରିବର୍ତ୍ତନ କରି ସେ ବ୍ୟାଟରମାନଙ୍କୁ ଚକମା ଦିଅନ୍ତି ଏବଂ ଡେଥ୍ ଓଭରରେ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୁଅନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ନିଲାମରେ ତାଙ୍କୁ ମିଳିଥିବା ୯.୨୦ କୋଟି ଟଙ୍କାର କ’ଣ ହେବ? ଏହି ପ୍ରଶ୍ନ ଏବେ ବି ବଜାୟ ରହିଛି।
ମୁସ୍ତାଫିଜୁର ରହମାନ ଆଇପିଏଲରେ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମ୍ୟାଚ୍ ଖେଳି ସାରିଛନ୍ତି । ୩୦ ବର୍ଷୀୟ ମୁସ୍ତାଫିଜୁର ଏପର୍ଯ୍ୟନ୍ତ ୬୦ଟି ଆଇପିଏଲ୍ ମ୍ୟାଚରେ ୨୮.୪୪ ହାରରେ ଏବଂ ୮.୧୩ ଇକୋନୋମି ରେଟରେ ୬୫ଟି ୱିକେଟ୍ ନିଜ ନାମରେ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/03/mustafizur-2026-01-03-13-10-19.jpg)