MS Dhoni Photograph: (kanak news)
କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ଆଜିର ଦିନରେ ୨୧ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ (ଡେବ୍ୟୁ) କରିଥିଲେ । ସେ ନିଜର ପ୍ରଥମ ଏକଦିବସୀୟ ମ୍ୟାଚ୍ ବାଂଲାଦେଶ ବିରୋଧରେ ଚଟଗାଁରେ ଖେଳିଥିଲେ । ଏହି ମ୍ୟାଚ୍ରେ ମାହି କୌଣସି ରନ୍ କରିପାରିନଥିଲେ ଏବଂ ରନ୍ ଆଉଟ୍ ହୋଇଥିଲେ । ତାପସ ବୈଶ୍ୟଙ୍କ ବଲ୍ରେ ରନ୍ ନେବାକୁ ଚେଷ୍ଟା କରୁଥିବା ବେଳେ ଖାଲିଦ ମସୁଦ ତାଙ୍କୁ ରନ୍ ଆଉଟ୍ କରିଥିଲେ। ଏହି ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୧୧ ରନ୍ରେ ପରାସ୍ତ କରିଥିଲା ।
ମହେନ୍ଦ୍ର ସିଂ ଧୋନୀ ନିଜର ପ୍ରଥମ ମ୍ୟାଚ୍ରେ କୌଣସି ରନ୍ କରିପାରି ନଥିଲେ ମଧ୍ୟ ନିଜ କ୍ରିକେଟ୍ କ୍ୟାରିୟରରେ ସେ ଶ୍ରେଷ୍ଠ ଫିନିସର ଭାବେ ପରିଚିତ ହୋଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ସମୟରେ ମାହି ଶେଷ ଓଭରରେ ଧୂଆଁଧାର ବ୍ୟାଟିଂ କରି ଭାରତକୁ ଅନେକ ମ୍ୟାଚ୍ ଜିତାଇଥିଲେ । ଧୋନୀଙ୍କୁ ଦୁନିଆର ସବୁଠାରୁ ସଫଳ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ଗଣନା କରାଯାଏ । ୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଥିଲେ । ଏହା ପୂର୍ବରୁ ସେ ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିଲେ ।
ଅଧିକ ପଢ଼ନ୍ତୁ---ଧୋନୀଙ୍କ ଅବସର ପ୍ଲାନ୍ ପ୍ରସ୍ତୁତ ! ସିଏସକେ ଦେଲା ବଡ଼ ସଙ୍କେତ
ଏମ୍ଏସ୍ ଧୋନିଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରେ ଗଣନା କରାଯାଏ । ସେ ଆଇସିସିର ତିନୋଟି ଯାକ ଟ୍ରଫି ଜିତିବାରେ ବିଶ୍ୱର ପ୍ରଥମ କ୍ରିକେଟର । ସେ ନିଜ ଅଧିନାୟକତ୍ୱରେ ୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଜିତିଥିଲେ । ଏହାର ଚାରି ବର୍ଷ ପରେ ୨୦୧୧ରେ ଧୋନୀ ନିଜ ନେତୃତ୍ୱରେ ଭାରତକୁ ୫୦ ଓଭର ବିଶ୍ୱକପ୍ ଜିତାଇବାରେ ସଫଳ ହୋଇଥିଲେ । ଏହା ବ୍ୟତୀତ ୨୦୧୩ ମସିହାରେ ମାହିଙ୍କ ଅଧିନାୟକତ୍ୱରେ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।
ଧୋନୀଙ୍କୁ ଅଧିକାଂଶ ସମୟରେ ସୀମିତ ଓଭର କ୍ରିକେଟରେ ମହାନ ବୋଲି କୁହାଯାଏ । କିନ୍ତୁ ଆମେ ଏହା ଭୁଲିଯାଉ ଯେ ତାଙ୍କ ଅଧିନାୟକତ୍ୱରେ ହିଁ ଭାରତ ୨୦୦୯ ମସିହାରେ ଟେଷ୍ଟରେ ନମ୍ବର ୱାନ୍ ହୋଇଥିଲା । ଏହାପରେ ଭାରତୀୟ ଦଳ ୬୦୦ରୁ ଅଧିକ ଦିନ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଥିଲା । ସେ ଭାରତୀୟ ମାଟିରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ଦେଶର ପ୍ରଥମ ଅଧିନାୟ କ। ଧୋନୀ ଭାରତୀୟ ମାଟିରେ ୨୧ଟି ଟେଷ୍ଟ ଜିତିଥିଲେ । ଆଇସିସି ଅନୁଯାୟୀ, ଧୋନୀ ୨୦୦୬ରୁ ୨୦୧୦ ପର୍ଯ୍ୟନ୍ତ ୬୫୬ ଦିନ ପର୍ଯ୍ୟନ୍ତ ପୁରୁଷ ଦିନିକିଆ ଆଇସିସି ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଥିଲେ । ତାଙ୍କୁ ୨୦୦୮ ଏବଂ ୨୦୦୯ ମସିହାରେ 'ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର' ପୁରସ୍କାର ମିଳିଥିଲା ।
ଧୋନୀ ଭାରତ ପାଇଁ ୯୦ଟି ଟେଷ୍ଟ ମ୍ୟାଚ ଖେଳି ୪,୮୭୬ ରନ କରିଥିବା ବେଳେ ୩୫୦ ଦିନିକିଆ ମ୍ୟାଚ ଖେଳି ୧୦,୭୭୩ ରନ୍ କରିଥିଲେ । ଆଉ ୯୮ ଟି-୨୦ ମ୍ୟାଚ୍ ଖେଳି ୧,୬୧୭ ରନ୍ କରିଥିଲେ । ତେବେ ତାଙ୍କ କ୍ୟାରିୟର ମଧ୍ୟରେ ସେ ଅନେକ ବଡ଼ ବଡ଼ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ବି ଏବେ ଯାଏଁ ଆଇପିଏଲ ଖେଳ ଜାରି ରଖିଛନ୍ତି । ତାଙ୍କୁ ଆଇପିଏଲ୍ର ବି ସବୁଠାରୁ ସଫଳ ଅଧିନାୟକ ବୋଲି କୁହାଯାଏ ।
Follow Us