କନକ ବ୍ୟୁରୋ: ଅଲ୍‌ଓଡ଼ିଶା ବଡ଼ି ବିଲ୍‌ଡିଂ ଓ ଫିଟ୍‌ନେସ୍‌ ସଂଘ ଆନୁକୂଲ୍ୟରେ ଚଳିତ ଫେବ୍ରୁଆରି ୨୫ ଓ ୨୬ ଦୁଇ ଦିନ ଧରି ସ୍ଥାନୀୟ ଭଞ୍ଜ କଳା ମଣ୍ଡପଠାରେ ମିଷ୍ଟର ଇଣ୍ଡିଆ ଓ ମିସ୍‌ ଇଣ୍ଡିଆ ବଡି ବିଲ୍‌ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରଥମ ଦିନ ପ୍ରାରମ୍ଭିକ ଚୟନ ପ୍ରକ୍ରିୟା ଏବଂ ଦ୍ବିିତୀୟ ଦିନ ଅପରାହ୍‌ଣ ୩ଟା ପରଠାରୁ  ଫାଇନାଲ୍ ପୋଜ୍‌ ଡାଉନ୍‌ ଆରମ୍ଭ ହେବ । ଏହି ବରିଷ୍ଠ ସ୍ତରୀୟ ଜାତୀୟ ପ୍ରତିଯୋଗିତା ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ହେବ । ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହେବ । ବରିଷ୍ଠ ପୁରୁଷ ଫିଜିକ୍, ବରିଷ୍ଠ ବଡି ବିଲ୍‌ଡିଂ, କ୍ଲାସିକ୍‌ ବଡି ବିଲ୍‌ଡିଂ ଓ ମହିଳା ବଡି ବିଲ୍‌ଡିଂ ଆଦି ବର୍ଗରେ ସାରା ଦେଶର ୨୫ ରାଜ୍ୟର ପାଖାପାଖି ୨୭୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଓଡ଼ିଶାରୁ ମଧ୍ୟ ୪୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ରହି ନିଜିନଜ ସୁନ୍ଦର ସ୍ବାସ୍ଥ୍ୟର ଝଲକ ଦେଖାଇବେ । ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ରାଜ୍ୟରେ ପ୍ରଥମ ଥର ଲାଗି ଜାତୀୟସ୍ତରୀୟ ଦିବ୍ୟାଂଗ ବଡି ବିଲ୍‌ଡରମାନେ କୌଣସି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

Advertisment

ଏହା ବି ପଢ଼ନ୍ତୁ: ଗୁଲମାର୍ଗରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଦ୍ୱିତୀୟ ପର୍ଯ୍ୟାୟ

ପ୍ରତିଯୋଗିତାରେ ମୋଟ ୬ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ସେଥିମଧ୍ୟରୁ ଶ୍ରେଷ୍ଠ ବଡି ବିଲ୍‌ଡର ବା ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍‌ସଙ୍କୁ ସର୍ବାଧିକ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଅନ୍ୟପକ୍ଷରେ ପ୍ରତ୍ୟେକ ବର୍ଗର ବିଜେତା, ଉପବିଜେତା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ଟ୍ରଫି ଓ ପଦକ ସହ ଯଥାକ୍ରମେ ୧୦,୦୦୦, ୭,୦୦୦ ଓ ୫,୦୦୦ ଟଙ୍କାର ଅର୍ଥରାଶି ମିଳିବ । ପ୍ରତିଯୋଗିତାର ପ୍ରବେଶ ଶୁଳ୍କ ୨,୫୦୦ (ଗୋଟିଏ ବର୍ଗ), ୪୫୦୦ (ଦୁଇଟି ବର୍ଗ) ଓ ୬,୦୦୦ (ତିନିଟି ବର୍ଗ) ଟଙ୍କା ରଖାଯାଇଛି । 

ସୋମବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଲ୍‌ଓଡ଼ିଶା ବଡ଼ି ବିଲ୍‌ଡିଂ ଓ ଫିଟ୍‌ନେସ୍‌ ସଂଘର ସଂପାଦକ ଗୌରୀ ଶଙ୍କର ବେହେରା, କୋଷାଧ୍ୟକ୍ଷ ଶଶାଙ୍କ ଶେଖର ବେହେରା ଓ ଅନ୍ତର୍ଜାତୀୟ ବଡି ବିଲ୍‌ଡର ଜିତେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ପୂର୍ବରୁ ରାଜ୍ୟରେ କନିଷ୍ଠସ୍ତରୀୟ ଜାତୀୟ ବଡି ବିଲ୍‌ଡିଂ ପ୍ରତିଯୋଗିତା ଆୟୋଜନ ହୋଇଥିଲା ବେଳେ ପ୍ରଥମ ଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ବରିଷସ୍ତରୀୟ ଜାତୀୟ ପ୍ରତିଯୋଗିତା ଆୟୋଜନ ହେବ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ଅଧିକ ବିବରଣୀ ପାଇଁ ‌ମୋବାଇଲ୍‌ ନଂ ‌୭୫୩୬୯୯୧୬୭୧ରେ ଯୋଗାଯୋଗ କରିବାକୁ ଅନୁରଧେ କରିଥିଲେ ।