Aravalli Photograph: (KanakNews)
କନକ ବ୍ୟୁରୋ: ମୁଁ ଆରାବଳୀ କହୁଛି । ଏ ସୃଷ୍ଟିର ସନ୍ତୁଳନ ରଖିବାକୁ ସ୍ରଷ୍ଟା ମୋତେ ସୃଷ୍ଟି କରିଛନ୍ତି । ମୁଁ ତାଙ୍କ ଆଦେଶରେ ଏ ସୃଷ୍ଟିର ସୁରକ୍ଷା ପାଇଁ ତ ପାହାଡ଼ ହୋଇ ଛିଡ଼ା ହୋଇଛି । ୟା ଭିତରେ କେତେ କେତେ ବିପଦ ଆସିଲାଣି ଆଉ ଗଲାଣି । ହେଲେ ମୁଁ ସେମିତି ଛିଡ଼ା ହେଇଛି । ମୋ କୋଳରେ କେତେ ଛୋଟ ବଡ଼ ପାହାଡ଼ ସବୁ ଭରିଯାଇଛି ସବୁଜ ଗଛ ଲତାରେ । ସେଇଠୁ ତ ଏ ମଣିଷ ପାଇଛି ଅନେକ ଦୁଲ୍ଲଭ ସମ୍ପତ୍ତି । ମୋ କୋଳରେ ବହିଯାଉଛି କେତେ ନଦୀ ଝରଣା । ମୋ ପାଇଁ ପରା ଭାରତ ବର୍ଷ ଆଜି ସବୁଜିମା ଭରା । ମୋ ପାଇଁ ତ କୋଟି କୋଟି ଲୋକ ସ୍ବଚ୍ଛ ପାଣି ପବନ ପାଇ ବଞ୍ଚିରହିଛନ୍ତି । କେତେ ଜୀବଜନ୍ତୁଙ୍କୁ ମୁଁ କୋଳରେ ଧରିଛି । ମୋ ଲାଗି ବିଲରେ ହସୁଛି ସୁନା ଫସଲ । ମୋରି ପାଇଁ ଚଷା ପୁଅ ମୁହଁରେ ହସ ଫୁଟୁଛି । କେତେ ଯେ ଦୁର୍ଲ୍ଲଭ ବସ୍ତୁକୁ ମୁଁ ମୋ ଗର୍ଭରେ ଧରିଛି । ହେଲେ ଯାହାକୁ ମୁଁ ଜୀବନ ଦେଉଛି ସେ ହିଁ ମୋତେ ମାରି ଦେବାକୁ ବସିଛି । ଏ ମଣିଷ ଷଡ଼ଯନ୍ତ୍ର କରୁଛି ମୋତେ ହତ୍ୟା କରିବାକୁ । ନିଜେ ସବୁ ସହି ଛିଡ଼ା ହୋଇ ସୁରକ୍ଷା ଦେବାର ମୂଲ୍ୟ ବୁଝିଲାନି ଏ ସ୍ବାର୍ଥପର ମଣିଷ । ହେଲେ ମୁଁ ଚେତାଇଦେଉଛି … ସାବଧାନ…ମୋତେ ମାରିଲେ ଅଧା ଦେଶ ମରିଯିବ । ଜୀବଜନ୍ତୁ , ମଣିଷ ସମସ୍ତେ କଲବଲ ହୋଇ ମରିଯିବେ’ । ସବୁ ହଜିଯିବ। ଯଦି ବଞ୍ଚିବାକୁ ଚାହଁ ମୋତେ ମାରନା , ମୋତେ ମାରନା…’ ସୃଷ୍ଟିର ସବୁଠୁ ପୁରୁଣା ପର୍ବତମାଳା ଆରାବଳୀ ଆଜି ବିକଳ ହେଉଛି । ମଣିଷର ଷଡ଼ଯନ୍ତ୍ର ସତ ହେବା ଆଗରୁ କାନ୍ଦି କାନ୍ଦି ଅନୁନୟ ହେଉଛି । କାରଣ
ଆରାବଳୀକୁ ମାରଲେ ମରିଯିବେ ଜୀବଜନ୍ତୁ
ହଜିଯିବେ ୨୯ ଜିଲ୍ଲା, ୫ କୋଟି ଲୋକ
ନିଶ୍ଚିହ୍ନ ହେବ ୨୦ ଅଭୟାରଣ୍ୟ
ଆରାବଳୀର ଏ ଚେତାବନୀ ମିଛ ନୁହେଁ । ପୂରା ଉତ୍ତର ଭାରତର ଢାଲ ହୋଇ ଛିଡ଼ା ହୋଇଛି ଏ ପର୍ବତମାଳା । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନରୁ ଗୁଜରାଟକୁ ବ୍ୟାପିଛି ଆରାବଳୀ । ଉତ୍ତରଭାରତର ୨୯ ଜିଲ୍ଲା ୫ କୋଟିରୁ ଅଧିକ ଲୋକ ୟାରି ଭରସାରେ ତ ବଞ୍ଚିଛନ୍ତି । ଏ ପର୍ବତମାଳା ନରିହିଲେ ଏମାନେ ବି ରହିବେନି । କାରଣ ଆରାବଳୀକୁ ଏବେ ବଡ଼ ବିପଦ ମାଡ଼ିଆସୁଛି। ଆରାବଳୀ ପର୍ବତମାଳାର ଅସ୍ତିତ୍ବକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ବଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଛି ’ସେଭ୍ ଆରାବଲୀ’ ଅଭିଯାନ ।
ଅଧିକ ପଢନ୍ତୁ; ଯଦି ଆରାବଳୀ ମରିଯାଏ; ଦିଲ୍ଲୀ ହୋଇଯିବ ମରୁଭୂମି !
ଦୁନିଆର ସବୁଠୁ ପୁରୁଣା ପର୍ବତମାଳା ଆରାବଳୀ ଉତ୍ତର ଭାରତର ପ୍ରଶ୍ବାସ ଓ ସୁରକ୍ଷା କବଚ । ଯଦି ଆରାବଳୀ ନଷ୍ଟ ହୁଏ ତାହେଲେ ଏହାର ପ୍ରଭାବ ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଉପରେ ପଡ଼ିବ । ଏହାସହ ଅଜସ୍ର ଜୀବଜନ୍ତୁ ନିଶ୍ଚିହ୍ନ ହୋଇଯିବେ। ଅଗଣିତ ବୃକ୍ଷଲତା ଲୋପ ପାଇଯିବେ। ଦିଲ୍ଲୀ ସମେତ ଉତ୍ତର ଭାରତ ମରୁଭୂମି ପାଲଟିଯିବ । ଉତ୍ତର ଭାରତ ଓ ବିଶାଳ ଥାର ମରୁଭୁମି ମଝିରେ ପାଚେରୀ ହୋଇ ଛିଡ଼ା ହୋଇଛି ଆରାବଳୀ । ଥାର ମରୁଭୂମିର ଧୂଳିଝଡ଼କୁ ରୋକିବାର କାମ କରୁଛି ଆରାବଳୀ । କିନ୍ତୁ ଏହା ନଷ୍ଟ ହୋଇଗଲେ ଦିଲ୍ଲୀ ସମତେ ପୂରା ଉତ୍ତର ଭାରତ ବାଲିରେ ପୋତି ହୋଇଯିବ। ଚାଷ ଜମିବାଡ଼ି ସବୁ ବାଲି ଚରିଯିବ। କଲବଲ ହେବେ ଚାଷୀ। ଧୀରେ ଧୀରେ ପଡ଼ିବ ଅନାହାର , ଦୁର୍ବିକ୍ଷ। ଆରାବଳୀ ପର୍ବତମାଳା ପବନର ଦିଗକୁ ପ୍ରଭାବିତ କରୁଛି । ଫଳରେ ହରୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ବର୍ଷା ସମ୍ଭବ ହୋଇପାରୁଛି। ମାଟରେ ଜଳୀୟ ଅଂଶ ରହିପାରୁଛି । ଯଦି ଆରାବଳୀ ନଷ୍ଟ ହୁଏ ତାହେଲେ ବର୍ଷା କମିଯିବ। ମାଝି ଶୁଖିଯିବ। ସବୁଠୁ କ୍ଷତିଗ୍ରସ୍ତ ହେବେ ଚାଷୀ ।
ଅଧିକ ପଢନ୍ତୁ: ‘ଆରାବଳୀ’ ଚିନ୍ତା ଭିତରେ ମନେ ପଡ଼େ ‘ଆରୁହା’; କଣ ହେବ ଆରୁହାସ୍ଥିତ ଜାବରା ପାହାଡ଼ର ଭବିଷ୍ୟତ ?
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ଆରାବଳୀର ଚଟ୍ଟାଣ ପ୍ରାକୃତିକ ସ୍ପଞ୍ଜ ଭଳି କମାମ କରୁଛି, ଯାହା ବର୍ଷା ଦିନେ ବର୍ଷା ଜଳକୁ ଶୋଷି ମାଟିର ତଳ ସ୍ତରକୁ ନେଇଯାଏ ।ଫଳରେ ଭୁମିତଳ ଜଳ ପାଇବା ସମ୍ଭବ ହେଉଛି । ଫଳରେ ଦିଲ୍ଲୀ ଏନସିଆର, ରାଜସ୍ଥାନ, ହରିୟାଣାରେ ଲୋକେ ପାଣି ପାଉଛନ୍ତି ।କିନ୍ତୁ ଯଦି ଆରାବଳୀ ନଷ୍ଟ ହୋଇଯାଏ ତାହେଲେ ଏସବୁ ଅଞ୍ଚଳରେ ପାଣି ପାଇଁ ହା ହା କାର ପଡ଼ିବ । ଦିଲ୍ଲୀର ବାୟୁମଣ୍ଡଳରେ ଥିବା ଧୂଳି ଏବଂ ପ୍ରଦୂଷଣର ଏକ ବଡ଼ ଅଂଶ ପଶ୍ଚିମ ଦିଗରୁ ଆସିଥାଏ । ଆରାବଲି ପାହାଡ଼ଗୁଡ଼ିକ ଏହି ଧୂଳି ଝଡ଼କୁ ଅବରୋଧ କରନ୍ତି, PM10 ଏବଂ ପ୍ରଦୂଷକ କଣିକାଗୁଡ଼ିକୁ ସୀମିତ କରନ୍ତି। ଯଦି ଆରାବଲି ପାହାଡ଼ଗୁଡ଼ିକ ନଷ୍ଟ ହୋଇଯାଏ, ତେବେ AQI ଆହୁରି ଖରାପ ହେବ। ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବ। ଲୋକେ ଅଣନିଃଶ୍ବାସୀ ହୋଇପଡ଼ିବେ । ଆରାବଳୀ ନଷ୍ଟ ହେଲେ ପାଣି, ପବନ, ଜୀବ ଜନ୍ତୁ ସବୁ ଉଭେଇଯିବେ। ଏ ସତର୍କ ଜଳ ଜଳ ହୋଇ ସମସ୍ତଙ୍କୁ ଦେଖାଯାଉଛି ହେଲେ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କୁ ଦେଖାଯାଉନି କିପରି ? ଲାଗୁଛି କେନ୍ଦ୍ର ସରୀକାର ଯେମିତି ଯୋଜନା କରି ଅଧା ଦେଶକୁ ମାଟିରେ ମିଶାଇଦେବାକୁ ବସିଛନ୍ତି , ଯାହାକୁ ନେଇ ଏବେ ଚାରିଆଡ଼େ ଆରାବଳୀ ପ୍ରସଙ୍ଗ ଜୋର ଧରିଛି।
Follow Us