କନକ ବ୍ୟୁରୋ : ମାଛ ଧରିବାକୁ ଯାଇ ନିଖୋଜ ହୋଇଥିବା ଘଟଣା । ୨୦ରୁ ଅଧିକ ଦିନ ପରେ ବି ମିଳୁନି ମା’ ଓ ବଡ଼ ଝିଅର ପତ୍ତା । ଖୋଜୁଛି ଡ୍ରୋନ୍ ଏବଂ ପୁଲିସ ସହ ଓଡ୍ରାଫ୍‌ ଟିମ୍ । ମାଛ ଧରିବାକୁ ଯାଇ ଫେବୃଆରି ୧ ତାରିଖରୁ ପରିବାରର ଚାରିଜଣ ସଦସ୍ୟ ନିଖୋଜ ହୋଇଯାଇଥିଲେ । ବାପା, ସାନ ଝିଅର ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଗର୍ଭବତୀ ମା’ ଓ ବଡ଼ ଝିଅ ନିଖୋଜ ଅଛନ୍ତି ।

Advertisment

ଡ୍ରୋନ୍‌ ବୁଲୁଛି । ଓଡ୍ରାଫ୍‌ ଟିମ୍‌ ପାଣି ଭିତରେ ଖୋଜୁଛନ୍ତି । ସାବେରୀ ନଈର ପ୍ରତିଟି କୋଣ କୋଣ ବୁଲୁଛନ୍ତି ଓଡ୍ରାଫ୍‌ ଟିମ୍‌ । ଅଥଚ ମା’ ଝିଅଙ୍କର କୌଣସି ଖୋଜ ଖବର ନାହିଁ । ଫେବ୍ରୁଆରି ୧ରେ ସାବେରୀ ନଈକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ବୈପାରୀଗୁଡ଼ା ଦଣ୍ଡାବାଡ଼ି ଗାଁର ଲଳିତ ଓ ତାଙ୍କ ପରିବାର । ବହୁ ଖୋଜାଖୋଜି ପରେ ୧୮ ତାରିଖ ଅପରାହ୍ନରେ ବାପା ଲଳିତ ଓ ସାନଝିଅ ଗେହ୍ଲୀଙ୍କର ମୃତଦେହ ନଦୀକୂଳରୁ ଉଦ୍ଧାର କରାଯାଇଥିଲା । ଗଭର୍ବତୀ ମା’ ଓ ବଡ଼ଝିଅର ପତ୍ତା ମିଳୁନି ।

ଅଧିକ ପଢ଼ନ୍ତୁ : ଚାକିରି ନାଁରେ ଠକିଦେଲେ; ଲକ୍ଷଲକ୍ଷ ଟଙ୍କା ଲୁଟିନେଲେ

ବୈପାରୀଗୁଡ଼ା ପୁଲିସ୍‌ ଓ କୋରାପୁଟ ଓଡ୍ରାଫ୍‌ ଟିମ୍‌ ବୋଟ୍ ଏବଂ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ସାବେରୀ ନଈରେ ଖୋଜାଖୋଜି କରୁଛନ୍ତି । କୋଲାବ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଛି । ପଥରସନ୍ଧିରେ ମୃତଦେହ ଲାଗିଥିଲେ ପ୍ରଖର ସ୍ରୋତରେ ଭାସିଆସିବାର ଆଶଙ୍କା କରୁଛି ପୁଲିସ । ଅନ୍ୟପଟେ ପ୍ରଶାସନିକ ଅଧିକାରୀ ନିଖୋଜ ପରିବାରର ସମ୍ପର୍କୀୟଙ୍କୁ ଭେଟି ଆର୍ଥିକ ସହାୟତା, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

୨୦ ଦିନରୁ ଅଧିକ ସମୟ ବିତିଲା ପରେ ବି ମା’ ଓ ଝିଅଙ୍କ ପତ୍ତା ନମିଳିବାକୁ ନେଇ ପରିବାରର ଚିନ୍ତା ବଢ଼ିବାରେ ଲାଗିଛି ।