କନକ ବ୍ୟୁରୋ:  ନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆ । ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳର ଏହି ବିଧାନସଭା ଆସନକୁ ୧୧ ବର୍ଷ ପରେ ବିଜେପି ନିଜ ଦଖଲକୁ ନେଇଛି । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି ।  

Advertisment

ଅଧିକ ପଢନ୍ତୁ : ବାପାଙ୍କ ରେକର୍ଡ ଭାଙ୍ଗିଲେ ପୁଅ,ବିଜେପିରେ ମିଶି ପୁଅ ଇତିହାସ ରଚିଲେ

କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଛନ୍ତି । ବିଜେଡିର ଗଡ଼ କୁହାଯାଉଥିବା ଏହି ଆସନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି । ଘାସିରାମ ମାଝୀ ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପାଇଥିବା ଭୋଟ ତୁଳନାରେ ଏଥର କମ୍‌ ପାଇଥିଲେ ବି ଏଥର କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି । ଆଜି ଜୟ ଢ଼ୋଲକିଆ ଭୁବନେଶ୍ବରରେ ପହଁଚି ରାଜ୍ୟ କାର୍ଯ୍ୟାଳୟକୁ ଆସିବା ସହ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ :ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ : ମୁଖ୍ୟମନ୍ତ୍ରୀ କହିଲେ, ନୂଆପଡ଼ା ଫଳାଫଳ ଐତିହାସିକ

୭ରାଜ୍ୟର ୮ ବିଧାନସଭା କ୍ଷେତ୍ରରେ ଶେଷ ହୋଇଥିବା ଉପନିର୍ବାଚନରେ ମିଶ୍ରିତ ଫଳ ମିଳିଛି। କଂଗ୍ରେସ ଦଳ ଦୁଇଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଜୟ ହାସଲ କରିଛି । ରାଜସ୍ଥାନର ଅନ୍ତାରେ କଂଗ୍ରେସ ନେତା ପ୍ରମୋଦ ଜୈନ ବିଜେପିର ମୋରପାଲ ସୁମନଙ୍କୁ ହରାଇଛନ୍ତି । ତେଲେଙ୍ଗାନା ଜୁବିଲି ହିଲ୍ସ ଉପନିର୍ବାଚନରେ ନବୀନ ଯାଦବ ବିଜୟୀ ହୋଇଛନ୍ତି। ସେହିପରି ଜମ୍ମୁ କାଶ୍ମୀରର ନାଗ୍‌ରୋଟାରେ ବିଜେପିର ଦେବଯାନୀ ରାଣା ୨୪ହଜାର ୬୪୭ ଭୋଟରେ ବିଜୟୀ ହୋଇଥିବା ବେଳେ ବଡ଼ଗାମରେ ବିପୁଳ ବିଜୟ ହାସଲ କରିଛନ୍ତି ପିଡିପି ପ୍ରାର୍ଥୀ ମୁନ୍ତାଜିର ମେହଦି । ସେହିପରି ଝାଡ଼ଖଣ୍ଡରେ ଜେଏମ୍‌ଏମ୍ ଘାଟଶିଳା ଆସନ ବଜାୟ ରଖିଥିବା ବେଳେ ମିଜୋରାମରେ ଏମ୍‌ଏନ୍‌ଏଫ୍ ଡାମ୍ପା ନିର୍ବାଚନ ମଣ୍ଡଳୀ ବଜାୟ ରଖିଛି । ସେପଟେ ପଞ୍ଜାବ ତରନତାରନ ବିଧାନସଭା ଆସନରେ ନିକଟତମ ପ୍ରତିଦ୍ବନ୍ଦି ଅକାଳି ଦଳର ଶୁଖବିନ୍ଦର କୌରଙ୍କୁ ୧୨ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ଆପ୍‌ର ହରମିତ୍ ସିଂ ସନ୍ଧୀ ।