କନକବ୍ୟୁରୋ : ମାଛ ଧରିବାକୁ ଯାଇ ନିଖୋଜ । ୧୬-୧୭ ଦିନ ହେଲା ଗୋଟିଏ ପରିବାରର ପତ୍ତା ମିଳୁନାହିଁ । ଚାରି ଜଣ ସଦସ୍ୟ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଛନ୍ତି ସଂପର୍କୀୟ ।  ଏତଲା ଆଧାରରେ ଛାନ୍‌ଭିନ୍‌ କରୁଛି ବୈପାରିଗୁଡା ପୁଲିସ ଏବଂ ସାଇଣ୍ଟିଫିକ ଟିମ୍‌ । ଗୁପ୍ତେଶ୍ୱରର ବାଦୁଡି ପାହାଡ଼ ଦେଇ ବୋହି ଯାଉଥିବା , ନଈକୂଳରେ ରନ୍ଧା ଖାଦ୍ୟ ପଡ଼ିଛି, ଚପଲ, ପୋଷାକ, ରୋଷେଇ ସାମଗ୍ରୀ ସବୁ ସେମିତି ଥୁଆ ହୋଇଛି। ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ଗୋଟିଏ ପରିବାରର ୪ ଜଣ ସଦସ୍ୟ ।

Advertisment

ଅଧିକ ପଢନ୍ତୁ... ଗଞ୍ଜାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗୀନ ସ୍ଥିତି : ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ଛାତ୍ରଛାତ୍ରୀ

ବୈପାରୀଗୁଡ଼ା ଦଣ୍ଡାବାଡ଼ି ଗାଁର ଲଳିତ ପୂଜାରୀ ତାଙ୍କ ପତ୍ନୀ ଗୁରୀ ପୂଜାରୀ, ଦୁଇ ନାବାଳିକା ଝିଅଙ୍କ ସହ ମାଛ ଧରିବାକୁ ସାବେରୀ ନଦୀକୁ ଯାଇଥିଲେ । ସାଙ୍ଗରେ ନେଇଥିଲେ ରୋଷେଇ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗୁରୀ ପୂଜାରୀ ୭ ମାସର ଗର୍ଭବତୀ ଥିଲେ । ଆଜିକୁ ୧୮ ଦିନ ହେଲାଣି ପରିବାରର ପତ୍ତା ମିଳୁନି। ଏନେଇ ଥାନାରେ ଏତଲା ଦେଇଛନ୍ତି ଲଳିତଙ୍କ ଦାଦା  । 

ପୂର୍ବରୁ ଲଳିତ ଗୁପ୍ତେଶ୍ୱର ବାଦୁଡି ପାହାଡ଼ର ସାବେରୀ ନଦୀକୁ ମାଛ ଧରିବାକୁ ଯାଇ ଦୁଇ ଚାରି ଦିନ ପରେ ଘରକୁ ଫେରୁଥିଲେ । ଏଥର ୧୫ ଦିନ ଧରି ନ ଫେରିବାରୁ ଦାଦାଙ୍କର ସନ୍ଦେହ ହୋଇଥିଲା। ପୁତୁରା ଓ ତାଙ୍କ ପରିବାରକୁ ସାବେରୀ ନଈକୂଳରେ ବହୁ ଖୋଜାଖାଜି କରି ଶେଷରେ ନିରାଶ ହୋଇ ପୁଲିସ୍‌ର ଦ୍ବାରସ୍ଥ ହୋଇଛନ୍ତି ।   ଅଭିଯୋଗ ପରେ ବୈପାରିଗୁଡ଼ା ଓ ରାମଗିରି ପୁଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ସାବେରୀ ନଦୀକୁ ଯାଇ ତନାଘନା ଆରମ୍ଭ କରିଛନ୍ତି  ।  ଏଯାଏଁ ଲଳିତଙ୍କ ପରିବାରର କୌଣସି ଖୋଜଖବର ନାହିଁ ।  କୁଆଡ଼େ ଗଲେ ଲଳିତଙ୍କ ପରିବାର ?  ଏତେ ଦିନ ହେଲାଣି କେଉଁଠି ଅଛନ୍ତି ?  କ’ଣ ଖାଉଛନ୍ତି? ଏ ସବୁ ପ୍ରଶ୍ନ ପରିବାରର ମନକୁ ଆନ୍ଦୋଳିତ କରୁଛନ୍ତି ।