Mandi Photograph: (kanak news)
କଟକ ବ୍ୟୁରୋ : ରାଜ୍ୟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲାୱାରି ଦାୟିତ୍ୱ ବଣ୍ଟନ କରିଛନ୍ତି । ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।
ଧାନ ସଂଗ୍ରହ ସମୟରେ ବିଭାଗୀୟ ସମନ୍ବୟ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ ଉପକମିଟି ଗଠନ କରାଯାଇଛି । ମଣ୍ଡିରେ ଯେପରି କୌଣସି ଅନିୟମିତତା ନହୁଏ ଏବଂ ପଡୋଶୀ ରାଜ୍ୟରୁ ବେଆଇନ ଭାବେ ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନକରେ, ସେଥିପାଇଁ ସୀମାନ୍ତରେ ସିସିଟିଭି କ୍ୟାମେରା ଲଗାଯିବା ସହ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ଯଦି କୌଣସି ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ--ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ; ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ
ଚଳିତ ବର୍ଷ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ସରକାର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ମଣ୍ଡିରେ ‘କଟନି ଛଟନି’ ସମସ୍ୟାକୁ ଦୂର କରିବା ପାଇଁ ଆଧୁନିକ ମାନ ପରୀକ୍ଷା ଯନ୍ତ୍ର, ୧୪୦ଟି ଭ୍ରାମ୍ୟମାଣ ଧାନ ସଫେଇ ଯନ୍ତ୍ର ଏବଂ ୩୦୩ଟି ଏଆଇ (AI) ବେସଡ ଆନାଲାଇଜର ଯୋଗାଇ ଦିଆଯାଇଛି । କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କ ଠାରୁ ଧାନ କିଣାକୁ ଅଗ୍ରାଧିକାର ଦିଆଯିବ । ଅଦିନିଆ ବର୍ଷା ଯୋଗୁଁ କିଛି ସ୍ଥାନରେ ଧାନ ସଂଗ୍ରହ ବିଳମ୍ବିତ ହୋଇଛି । ତେବେ ଯଦି କୌଣସି ଚାଷୀ ନିର୍ଦ୍ଧାରିତ ଟୋକେନ ଅବଧି ମଧ୍ୟରେ ଧାନ ବିକ୍ରି କରିପାରିବେ ନାହିଁ, ତେବେ ଜିଲ୍ଲାପାଳମାନଙ୍କୁ ସେହି ସମୟସୀମାକୁ ଆଉ ୧୫ ଦିନ ବୃଦ୍ଧି କରିବାକୁ କ୍ଷମତା ଦିଆଯାଇଛି ।
Follow Us