କନକ ବ୍ୟୁରୋ : ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ଆରମ୍ଭ କରିଥିବା ବାଲୁ ବଜ୍ର ଅଭିଯାନରେ ଫସିଛନ୍ତି ଖୋଦ ଜିଲ୍ଲାର ଖଣି ଅଧିକାରୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ନାଁରେ ସଦର ଥାନାରେ ଏତଲା ଦେଇଛନ୍ତି ଉପଜିଲ୍ଲାପାଳ । ବାଲି ମାଫିଆଙ୍କ ସହ ସମ୍ପର୍କ ଓ ଅପରାଧି ମାନଙ୍କୁ ନେଇ ବାଲିଘାଟରେ ସାମିଲ କରାଇବା ଭଳି ଦୁର୍ନୀତିରେ ଖଣି ଅଧିକାରୀ ଜଡ଼ିତ ଥିବା ଅଭିଯୋଗ କରାଯାଇଛି । 

Advertisment

ଜଗତସିଂହପୁର ଜିଲ୍ଲା ଖଣି ଅଧିକାରୀ ସତୀଶ କୁମାର ତରେଇଙ୍କ ନାଁରେ ସାଂଘାତିକ ଅଭିଯୋଗ । ବାଲି ଘାଟ ଲିଜ ନେଇଥିବା ଠିକାଦାର ଓ ଆପରାଧିକ ବ୍ୟକ୍ତିତ୍ବଙ୍କ ସହ ରହିଛି ଜିଲ୍ଲା ଖଣି ଅଧିକାରୀଙ୍କ ସମ୍ପୃକ୍ତି ! ବେଆଇନ ଭାବେ ନିର୍ଦ୍ଧାରିତ ପରିମାଣରୁ ଅଧିକ ବାଲି ଉଠାଇ କୋଟିକୋଟି ଟଙ୍କାର ରାଜସ୍ବ ଲୁଟୁଥିବାର ଅଭିଯୋଗ ଆସିଛି । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖଣି ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଉପଜିଲ୍ଲାପାଳ । 

ଅଧିକ ପଢ଼ନ୍ତୁ--ବେଆଇନ ବାଲିଘାଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ, ୫ ଗୁରୁତର ମେଡିଲାକ୍‌ରେ ଭର୍ତ୍ତି

ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ବାଲୁ ବଜ୍ର ଅଭିଯାନ । ଗୋଟିଏ ପରେ ଗୋଟିଏ ବାଲି ଘାଟ ଉପରେ ଚଢ଼ାଉ କରୁଛି ଜିଲ୍ଲା ପ୍ରଶାସନ । ଏହାରି ଭିତରେ ଜିଲ୍ଲା ଖଣି ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶାସନର ଅଭିଯୋଗ ପରେ ପୁଲିସ୍‌ ଆରମ୍ଭ କରିଛି ତଦନ୍ତ । ବେଆଇନ ବାଲି ଖନନ ଯୋଗୁଁ ପରିବେଶ ଅସନ୍ତୁଳିତ ହେବା ସହ ନଦୀ ବନ୍ଧ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । କେତେକ ସ୍ଥାନରେ ନଦୀର ଗତିପଥ ମଧ୍ୟ ବଦଳୁଛି । ରାସ୍ତାରେ ବାଲି ପଡ଼ି ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତି ବାଲିଘାଟରୁ ବାର୍ଷିକ ପ୍ରାୟ ୧୫ କୋଟିରୁ ଅଧିକ ରାଜସ୍ବ ହରାଉଛନ୍ତି ସରକାର । ତେଣୁ ବାଲି ଚୋରା ଚାଲାଣରେ ସମ୍ପୃକ୍ତ ମାଫିଆଙ୍କୁ ଧରିବା ସହ ପୁଲିସ୍‌ ସଠିକ ତଦନ୍ତ କରି ଖଣି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।