କନକ ବ୍ୟୁରୋ : ଦାଦନ ଗଡ଼ର ଦାରୁଣ ଚିତ୍ର । ଦାଦନ ଖଟି ଯାଇଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦଶମ ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ଆସିଥିଲେ ମଧ୍ୟ, ସେମାନେ ପରୀକ୍ଷାରେ ଅନୁପସ୍ଥିତ ଥିବାରୁ ସାମ୍ନାକୁ ଆସିଛି ଉଦବେଗଜନକ ତଥ୍ୟ । ଗତ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ଆଦୌ ଗୋଟିଏ ବିଷୟ ପରୀକ୍ଷା ଦେଇନଥିବା ଏଭଳି କିଛି ଛାତ୍ରଛାତ୍ରୀଙ୍କ ଗାଁକୁ ଯାଇ ସ୍ଥିତି ପରଖିଛି କନକ ନ୍ୟୁଜ୍ ।
‘ସ୍ୱପ୍ନା’କୁ ସ୍ୱପ୍ନ ଦେଖିବା ମନା..‘ଭଗବତିଆ’ର ଭାଗ୍ୟରେ ନାହିଁ କଲେଜ ଯିବା...‘ବୁଲୁ’ ବୁଲିବାକୁ ନୁହେଁ, ଖଟିବାକୁ ଯାଇଛି ଅନ୍ୟ ରାଇଜ...‘ମମତା’ ହୁଏତ ମାଟି ଚକଟୁଛି... ଇଟା ଗଢ଼ି ‘ଦିଲୀପ’ ଦାନା ଯୋଗାଡ଼ୁଛି..। ସବୁକିଛି ଠିକ୍ ଥିଲେ ଏମାନେ ବି ଅନ୍ୟମାନଙ୍କ ପରି ମାଟ୍ରିକ ପରୀକ୍ଷା ଦେଉଥାନ୍ତେ... ଇଟାଭାଟିରେ ଇଟା ନଗଣି, ଉତ୍ତର ଖାତାରେ ଗଣିତ କଷୁଥାନ୍ତେ । ହେଲେ ଏମାନେ ତ ଦାଦନ ଗଡ଼ର ଦରଗଢ଼ା ଭବିଷ୍ୟତ । ହଁ... ବଲାଙ୍ଗିର ଜିଲ୍ଲାର ବହୁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ନଦେଇ ଦାଦନ ଖଟିବାକୁ ଯାଇଛନ୍ତି । ଏହାର ବାସ୍ତବ ସ୍ଥିତି ପରଖିବାକୁ, ଦେଓଗାଁରେ ପହଞ୍ଚିଥିଲା କନକ ନ୍ୟୁଜ୍ । କାହା ଘରେ ତାଲା ଝୁଲୁଥିଲା, ଆଉ କେଉଁଠି ପୂରା ଗାଁ ଖାଁ ଖାଁ ଦିଶୁଥିଲା । ସ୍କୁଲରେ ଆଡ୍ମିଟ୍ କାର୍ଡ ପଡ଼ିରହିଥିବା ବେଳେ, ପରିବାର ସହ ଦାଦନ ଖଟିବାକୁ ପଳାଇଛନ୍ତି ପରୀକ୍ଷାର୍ଥୀ ।
ଅଧିକ ପଢ଼ନ୍ତୁ---ଐତିହାସିକ ବଜେଟ୍, ନୈରାଶ୍ୟଜନକ ଖର୍ଚ୍ଚ ; ବିକାଶ ପାଇଁ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ମନ୍ତ୍ରୀ
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ୍ର ୨୮ଟି ହାଇସ୍କୁଲର ୧୨ଶହ ୭୫ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ହେଲେ ପ୍ରତିଦିନ ୩୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି। ଭୋକ ବିକଳରେ ବଳି ପଡ଼ିଯାଇଛି ଶହ ଶହ ପିଲାଙ୍କ ଭବିଷ୍ୟତ । ବଲାଙ୍ଗିର ଜିଲ୍ଲାର ବେଲାପଡ଼ା, ତୁରେକେଲା, ମୁରିବାହାଲ, ଖପ୍ରାଖୋଲ, ସଇଁତଳା, ଦେଓଗାଁ, ଗୁଡ଼ଭେଲା ବ୍ଲକରେ ଏହି ସ୍ଥିତି ଅତି ସଂଗୀନ । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ୩୭୧ଟି ହାଇସ୍କୁଲ୍ ପାଇଁ ୧୬୮ଟି ପରୀକ୍ଷା କେନ୍ଦ୍ରରେ ୨୪ହଜାର ୯୧ଜଣ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ହେଲେ ପ୍ରତିଦିନ ୭ଶହରୁ ଅଧିକ ପିଲା ଅନୁପସ୍ଥିତ ରହୁଛନ୍ତି । ଅଧାରୁ ପାଠ ଛାଡ଼ିବା ବା ଡ୍ରପ୍ ଆଉଟ ହାର ଓଡ଼ିଶାରେ ବଢ଼ିବା ପରେ ସରକାରଙ୍କ ଚିନ୍ତା ବଢ଼ିଛି । ତେବେ ଦାଦନ ପ୍ରବଣ ଅଞ୍ଚଳରେ ମାଟ୍ରିକ ପରୀକ୍ଷା ନଦେଇ ବର୍ଷ ବର୍ଷର ପରିଶ୍ରମକୁ ବୃଥା କରିବାକୁ ବାଧ୍ୟ ହେଉଥିବା ପିଲାଙ୍କ ପ୍ରତି ସରକାର ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/migrant-labor-2026-02-25-21-12-53.png)