ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ଷଷ୍ଠ ଦିନରେ ଅତ୍ୟନ୍ତ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। କ୍ଷେପଣାସ୍ତ୍ର ବର୍ଷା ଭିତରେ ନୂତନ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଯୋଗୁ ଯୁଦ୍ଧ ନୂଆ ମୋଡ଼ ନେଇଛି। ଆଜି ସକାଳେ ଇରାନ ପକ୍ଷରୁ ଇସ୍ରାଏଲ୍ ଉପରେ ହୋଇଥିବା ବ୍ୟାପକ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଥିବା ବେଳେ ଗତକାଲି ଆମେରିକା ପକ୍ଷରୁ ଇରାନର ଏକ ପ୍ରମୁଖ ଯୁଦ୍ଧଜାହାଜକୁ ଭାରତ ମହାସାଗରରେ କ୍ଷେପଣାସ୍ତ୍ର ମାଡ଼କରି ବୁଡ଼ାଇ ଦିଆଯିବାରୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା ଆଜି ପରମାଣୁ ଅସ୍ତ୍ରବାହୀ ମହାଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବାରୁ ଉତ୍ତେଜନା ଚରମରେ ପହଞ୍ଚିଛି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖେମିନିଙ୍କ ମୃତ୍ୟୁ ପରେ ଦେଶର ନୂତନ ନେତୃତ୍ୱ ଏବଂ ତାଙ୍କ ପୁଅ ମୋଜତବା ଖେମିନିଙ୍କ ହାତକୁ ଯାଇଛି। ଇରାନର ଧର୍ମ ସଂସଦ ମୋଜତବାଙ୍କୁ ସର୍ବୋଚ୍ଚ ନେତା ଘୋଷଣା କରିଛି। ସଂପ୍ରତି ଏହି ମହାଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱର ଶକ୍ତି ଯୋଗାଣ ଏବଂ ଭୂ-ରାଜନୀତି ଉପରେ ପଡ଼ିବାରୁ ଆଗକୁ ବୈଶ୍ବିକ ସଙ୍କଟ ଜଟିଳ ହେବ ବୋଲି କୁହାଯାଉଛି।
ଆଗକୁ ପଢ଼ନ୍ତୁ : ହୋହଲ୍ଲା କରୁଥିଲେ ପାକିସ୍ତାନୀ , ଆମେରିକା ଆସିଲା ଢାଏ ଢାଏ ଗୁଳି ମାରିଲା ; ୨୨ ଜଣ ଚିତପଟାଙ୍ଗ୍
ଆଜି ସକାଳୁ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ (ଆଇଆର୍ଜିସି) ପକ୍ଷରୁ ଇସ୍ରାଏଲର ସାମରିକ ଓ ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରି ଶତାଧିକ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଛି। ଇସ୍ରାଏଲର ‘ଆଇରନ୍ ଡୋମ୍’ ଏବଂ ‘ଆରୋ’ ପ୍ରତିରକ୍ଷା ପ୍ରଣାଳୀ ଅନେକ ମିସାଇଲକୁ ଆକାଶରେ ନଷ୍ଟ କରିଥିଲେ ହେଁ, କିଛି ମିସାଇଲ୍ ଜନବସତି ଅଞ୍ଚଳରେ ପଡ଼ି ଭୀଷଣ କ୍ଷୟକ୍ଷତି ଘଟାଇଛି। ଏହା ପୂର୍ବରୁ ଇସ୍ରାଏଲ୍ ଲେବାନନର ବେରୁତ ସହରରେ ଥିବା ହେଜବୁଲ୍ଲା ଘାଟି ଉପରେ ଭୟଙ୍କର ବୋମାମାଡ଼ କରିଥିଲା, ଯାହାର ପ୍ରତିଶୋଧ ଭାବେ ଇରାନ ଏହି ଆକ୍ରମଣ କରିଛି। ଅନ୍ୟପକ୍ଷରେ ସମୁଦ୍ର ମଧ୍ୟରେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିଛି। ଆମେରିକାର ଏକ ପରମାଣୁ ଚାଳିତ ବୁଡ଼ାଜାହାଜ ଦ୍ୱାରା ଇରାନର ପ୍ରସିଦ୍ଧ ଯୁଦ୍ଧଜାହାଜ ‘ଆଇଆର୍ଆଇଏସ୍ ଦେନା’ କୁ ଟର୍ପେଡୋ ମାଡ଼ କରି ସମୁଦ୍ରରେ ବୁଡ଼ାଇ ଦିଆଯାଇଛି। ଏହି ଘଟଣା ଶ୍ରୀଲଙ୍କା ଉପକୂଳଠାରୁ ପ୍ରାୟ ୪୦ ନଟିକାଲ ମାଇଲ ଦୂରରେ ଭାରତ ମହାସାଗରରେ ଘଟିଛି। ନିକଟରେ ଭାରତୀୟ ନୈସେନା ସହ ମିଳିତ ସମରାଭ୍ୟାସରେ ସାମିଲ ହୋଇଥିବା ଏହି ଜାହାଜ ଇରାନ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଆମେରିକା ଆକ୍ରମଣ ଶିକାର ହୋଇଛି। ଏଥିରେ ଶତାଧିକ ଇରାନୀୟ ନୌ ସୈନିକଙ୍କ ମୃତ୍ୟୁ ଇରାନ ପାଇଁ ବହୁତ ବଡ଼ ଝଟ୍କା ହୋଇଛି। ଶ୍ରୀଲଙ୍କା ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୮୭ ଜଣ ଇରାନୀ ସୈନିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି।
ସଂଘର୍ଷର ଏହି ଜଟିଳ ସମୟରେ ଇରାନର ଆଭ୍ୟନ୍ତରୀଣ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଦେଶର ଧାର୍ମିକ ପରିଷଦ ତଥା ଧର୍ମ ସଂସଦ ତାଙ୍କ ପୁଅ ମୋଜତବା ଖେମିନିଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ଭାବେ ଘୋଷଣା କରିଛି। ମୋଜତବାଙ୍କୁ ଜଣେ କଠୋରପନ୍ଥୀ ନେତା ଭାବେ ଜଣାଯାଏ, ଯିଏକି ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୁଦ୍ଧରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରନ୍ତି। ତାଙ୍କ ନେତୃତ୍ୱରେ ଇରାନ ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗତ ୬ ଦିନର ଯୁଦ୍ଧରେ ଇରାନରେ ମୃତ୍ୟୁସଂଖ୍ୟା ୧,୨୦୦ ଅତିକ୍ରମ କରିଥିବା ବେଳେ ଲେବାନନରେ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇଲେଣି। ଇସ୍ରାଏଲ ମଧ୍ୟ ନିଜର ୪୦ରୁ ଅଧିକ ସୈନିକ ଓ ସାଧାରଣ ଜନତାଙ୍କୁ ହରାଇଛି। ଇରାନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଆମେରିକା ଓ ଇସ୍ରାଏଲ ଆକ୍ରମଣ ନ ରୋକିବେ, ତେବେ ସେମାନେ ସମଗ୍ର ମଧ୍ୟପ୍ରାଚ୍ୟର ତୈଳ କ୍ଷେତ୍ର ଓ ଗ୍ୟାସ୍ ପାଇପଲାଇନକୁ ଧ୍ୱଂସ କରିଦିଆଯିବ। ବର୍ତ୍ତମାନ ସମଗ୍ର ବିଶ୍ୱ ଏହି ସଂଘର୍ଷର ପରିଣାମକୁ ନେଇ ଚିନ୍ତିତ ଥିବା ବେଳେ ଇରାନର ନୂତନ ନେତୃତ୍ୱ ଏବଂ ଆମେରିକାର ବର୍ଦ୍ଧିତ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଶାନ୍ତିର ଆଶା କ୍ଷୀଣ ହେଉଛି। ଯୁଦ୍ଧ ତୁରନ୍ତ ନ ଥମିଲେ ସମଗ୍ର ବିଶ୍ୱର ଅର୍ଥନୀତିରେ ବିପର୍ଯ୍ୟୟ ଆରମ୍ଭ ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/war-2026-03-05-20-26-05.jpg)