କନକ ବ୍ୟୁରୋ : ବିପଦସଙ୍କୁଳ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ରୋଷେଇ । ସରକାର ବିଦ୍ୟାଳୟ ହେଉ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇବା ସହ ସମସ୍ତ ପ୍ରକାର ସରଞ୍ଜାମ ଯୋଗାଇ ଦେଉଛନ୍ତି । ହେଲେ ବିପଦସଙ୍କୁଳ ଅବସ୍ଥାରେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି ପାଚିକା । ଗଜପତି ଜିଲ୍ଲା ମୋହନାର ଏକ ସ୍କୁଲରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ସରକାର ଛାତ୍ରଛାତ୍ରୀଙ୍କୁ କୋଟିକୋଟି ଟଙ୍କା ବ୍ୟୟରେ ମାଗଣା ରନ୍ଧା ଖାଦ୍ୟ ଦେଉଛନ୍ତି । ରାନ୍ଧିବାକୁ ଗ୍ୟାସ୍ ଚୁଲା ମଧ୍ୟ ଯୋଗାଉଛନ୍ତି । ହେଲେ ଏହି ଗ୍ୟାସ୍ ଚୂଲା କେତେ କାର୍ଯ୍ୟକାରୀ ହେଉଛି ସେଚିତ୍ର ସମସ୍ତଙ୍କ ସାମ୍ନାରେ ।

Advertisment

ଜିଲ୍ଲାରେ ଏମିତି ଗୋଟିଏ ମଧ୍ୟ ବିଦ୍ୟାଳୟ ନାହିଁ ଯେଉଁଠି ଗ୍ୟାସ୍ ଚୂଲା ଅଛି । ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ପାଚିକାମାନେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଇବା ରାନ୍ଧି ଦେଉଛନ୍ତି । ଅଧିକାଂଶ ବିଦ୍ୟାଳୟରେ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ପଡ଼ି ପଡ଼ି ନଷ୍ଟ ହେବାକୁ ବି ଲାଗିଲାଣି । ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାକୁ କହିଛନ୍ତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସରକାର ରୋଷେଇ କରିବା ଦାୟିତ୍ୱ ଦେଇଛନ୍ତି । ଆମର ସେଥିରେ କୌଣସି ଭୂମିକା ନାହିଁ । ଅନ୍ୟପଟେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପଚାରିଲେ, କାଠରେ ରୋଷେଇ କରିଲେ ଶସ୍ତା ପଡୁଛି ଓ ପ୍ରଧାନ ଶିକ୍ଷକ ମାନେ ଗ୍ୟାସ୍ ସିଲିଣ୍ଡର୍ ଭରି କରି ଦେଉନଥିବା ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ :  ପ୍ରଦୂଷଣ ରୋକିବାକୁ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ, ବାଲେଶ୍ୱରରେ କଟକଣାକୁ ଫୁ' କରିଦେଇଛନ୍ତି ଇଟାଭାଟି ମାଲିକ

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ବିଦ୍ୟାଳୟରେ ଗ୍ୟାସ ଚୂଲା ମଧ୍ୟ ଦିଆଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି ସରକାର ନିରାପଦରେ ରହି ରୋଷେଇ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ କାହିଁକି ଏଭଳି ପାଚିକାମାନଙ୍କୁ ଜଳନ୍ତା ନିଆଁରେ ଠେଲି ଦିଆଯାଉଛି ?

ରାଜ୍ୟ ସରକାର ଗୋଟିଏ ପଟେ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବା ବେଳେ ବିଦ୍ୟାଳୟରେ କାହିଁକି କାଠ ମାଧ୍ୟମରେ ରୋଷେଇ କରି ପ୍ରଦୂଷଣକୁ ବଢ଼ାଯାଉଛି, ତାହା ଏକ ଚିନ୍ତାର ବିଷୟ ପାଲଟିଛି । ସରକାର ପ୍ରାଥମିକ ବିଦ୍ୟାଳୟକୁ ଜାଳେଣି ବାବଦକୁ ୭୬ ପଇସା ଦେଉଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଟଙ୍କା ଦେଉଛନ୍ତି । ଏତେ କମ ଟଙ୍କାରେ ରନ୍ଧନ ଗ୍ୟାସରେ ରୋଷେଇ କରି ଦେବା ସମ୍ଭବ ହୋଇ ପାରୁନଥିବା ମଧ୍ୟ କିଛି ଗ୍ରୁପ ମହିଳା କହିଛନ୍ତି ।