କନକବ୍ୟୁରୋ : ଇରାନ ସହ ବିବାଦ ଭିତରେ ପୁଣି ଥରେ ଟ୍ରମ୍ପ ଦେଲେ ଟାରିଫ୍‌ ଧମକ। ଇରାନ ସହ ବ୍ୟବସାୟ ଦେଶଗୁଡ଼ିକୁ ଏହି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଇରାନ ସହ ବ୍ୟବସାୟ କଲେ ଦେବାକୁ ପଡ଼ିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ।  ସୋମବାର ନିଜ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରି ପୁଣିଥରେ ଟାରିଫ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତୁରନ୍ତ ତାଙ୍କର ଏହି ନିର୍ଦ୍ଦେଶ ଲାଗୁ କରିବାକୁ ନିଜ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଅର୍ଥାତ୍, ଏବେ ଯେଉଁ ଦେଶ ଇରାନ ସହ ବ୍ୟାପାର କରିବ, ଆମେରିକା ସହ ବ୍ୟାପାର କଲେ, ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ ।  ତେବେ ହ୍ବାଇଟ୍‌ହାଉସ୍ ପକ୍ଷରୁ କୌଣସି ଔପଚାରିକ ବିଜ୍ଞପ୍ତି ଜାରି କରାଯାଇ ନାହିଁ ।

Advertisment

ସେପଟେ ଇରାନରେ ଜାରି ରହିଛି ଜନଆନ୍ଦୋଳନ । ଇରାନ୍‌ର ସୁପ୍ରିମ୍‌ ଲିଡର୍‌ ଖାମିନେଇ ସରକାର ବିରୋଧରେ ରାଜରାସ୍ତାରେ ଇରାନ୍‌ ବାସିନ୍ଦା । ଏହି ଆନ୍ଦୋଳନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ବି ଉଗ୍ରରୂପ ନେବାରେ ଲାଗିଛି। ଇରାନ୍‌ରେ ବର୍ତ୍ତମାନ ସୁଦ୍ଧା ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ପ୍ରଦର୍ଶନକାରୀଙ୍କ ଉପରେ ବଳପ୍ରୟୋଗ ନକରିବାକୁ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି । 

ଭୟାବହ ହିଂସା ଭିତରେ ବଢୁଛି ଆମେରିକା-ଇରାନ ତିକ୍ତତା : ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ ଇରାନ

ସୂଚନାଅନୁଯାୟୀ  ଇରାନରେ  ସମ୍ପ୍ରତି ଅରାଜକତା ପରିସ୍ଥିତି ଦେଖାଦେଇଛି। ଦେଶର ଭୁଶୁଡ଼ା ଅର୍ଥନୀତିକୁ ନେଇ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।  ବିକ୍ଷୋଭକାରୀଙ୍କୁ ପୁଲିସ ଗୁଳି କରି ହତ୍ୟା କରୁଛି। ବିକ୍ଷୋଭକୁ ଦୃଢ଼ ହସ୍ତରେ ଦମନ କରିବାକୁ ଚେଷ୍ଟା କରି ମଧ୍ୟ ସରକାର ବିଫଳ ହୋଇଛନ୍ତି । ଏପରିସ୍ଥଳେ ସାଧାରଣ ଜନତାଙ୍କୁ ହତ୍ୟା କରାଗଲେ ଆମେରିକା ଚୁପ୍ ବସିବ ନାହିଁ ବୋଲି ରାଷ୍ଟ୍ରପତି ‌ଡୋନାଲ୍‌ଡ ଟ୍ରମ୍ପ ଧମକ ଦେଇଛନ୍ତି ।  ଇରାନ ପ୍ରଥମେ ଆମେରିକା ଆକ୍ରମଣ କଲେ ଆମେ ଛାଡ଼ିବୁ ନାହିଁ ବୋଲି କହିଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ସ୍ତରକୁ ଯିବା ପରେ ଆମେରିକା ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରି ଇରାନର ନେତା ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବା ପାଇଁ ଫୋନ୍ କରି କହିଥିବା ଟ୍ରମ୍ପ ଦାବି କରିଛନ୍ତି।