କନକବ୍ୟୁରୋ : ଓଡ଼ିଆ ଫିଲ୍ମ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତ ୨୩ ତାରିଖରେ ଅସୁସ୍ଥ ହେବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର ଦଳ । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଶୋକ ସାଗରରେ ଭସେଇ ଆରପାରିରେ ଅଭିଜିତ ମଞ୍ଜୁମଦାର । ସ୍ୱର ଓ ସଙ୍ଗୀତର ଯାଦୁଗର । ଯାହାଙ୍କ ସଙ୍ଗୀତର ମୂର୍ଚ୍ଛନା ସମସ୍ତଙ୍କୁ ଆନମନା କରୁଥିଲା, ବିଶାଦ ମନରେ ଆଶାର ସଞ୍ଚାର ସୃଷ୍ଟ କରୁଥିଲା। ଆଜି ତାଙ୍କ ବିୟୋଗ ଅଗଣତି ପ୍ରଶଂସକଙ୍କ ଆଖିରେ ଲୁହ ଭରି ଦେଇଛି ।
ଅଧିକ ପଢନ୍ତୁ.. ତୁମେ ସ୍ଵର ଉଠାଅ, ବଳ ମୁଁ ଯୋଗାଇବି: ଲୋକସଭାରୁ ଦିଲ୍ଲୀବାସୀଙ୍କୁ ରାହୁଲଙ୍କ ବାର୍ତ୍ତା
କିଏ ମୃତଦେହକୁ ଜାବୁଡ଼ି ଧରି କାନ୍ଦୁଛି ତ ଆଉ କାହା ଆଖିରୁ ନିଗିଡି ଯାଉଛି ଅବାରିତ ଲୁହ। ଭୁବନେଶ୍ୱର ଏମ୍ସରେ ଆଜି ସକାଳ ୯ଟା ୨ ମିନଟରେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ପାର୍ଥିବ ଶରୀରକୁ କଟକ ଆରଆର ଷ୍ଟୁଡିଓ ଓ ବାସଭବନକୁ ଅଣାଯାଇଥିଲା। ନେତା, ଅଭିନେତା, ପ୍ରଶଂସକ ସବୁ ବର୍ଗର ଲୋକ ଆସି ଅଭିଜିତଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ସମେତ ଅନେକ ରାଜନେତାଙ୍କ ଶୋକପ୍ରକାଶ କରିଛନ୍ତି । ମାତ୍ର ୫୪ ବର୍ଷ ବୟସରେ ସ୍ୱର ସଙ୍ଗୀତର ସାଧାନାକୁ ଅଧାରେ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଅଭିଜିତ। ପୂର୍ବରୁ ସେପ୍ଟେମ୍ୱର ୪ରେ ଏମ୍ସରେ ଭର୍ତ୍ତି ହୋଇଥିଲେ, କୋମାରୁ ବାହାରି ଧିରେ ଧିରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଗତ ୨୩ ତାରିଖରେ ହଠାତ୍ ଜ୍ୱର ଆସିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସତ୍ୱେ ସ୍ୱାସ୍ଥ୍ୟବସ୍ଥା ସୁଧୁରିନଥିଲା, ଆଜି ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ରୁ ଅଧିକ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ ଟ୍ବିଙ୍କ୍ଲ ଲିଟିଲ୍ ଷ୍ଟାର୍’, ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକ’ । ଓଡ଼ିଆ ଚଳଚ୍ଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିରେ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ଅଭିଜିତ। ତାଙ୍କ ସଙ୍ଗୀତରେ ସ୍ୱତନ୍ତ୍ର ଛାପ ତାଙ୍କୁ ସମସ୍ତଙ୍କଠୁ ଅଲଗା ପରିଚୟ ଦେଇଥିଲା। ଅଭିଜିତ ଆଜି ନାହାନ୍ତି ସତ ହେଲେ ତାଙ୍କ ସଙ୍ଗୀତର ଯାଦୁଗରୀ କାଳକାଳକୁ ଶ୍ରୋତାଙ୍କୁ ମତୁଆଲ କରୁଥିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/11-2026-01-25-20-05-17.jpg)