କନକ ବ୍ୟୁରୋ : ବିପଦରେ ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରି । ପାଚେରୀରର କିଛି ଜାଗାରୁ ଝରୁଛି ପାଣି । ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦବଜାରରେ ଥିବା ଡ୍ରେନରେ ଲିକେଜ୍ ଯୋଗୁଁ ପାଣି ଝରୁଥିବା ଅନୁମାନ କରାଯାଉଛି ।

Advertisment

ପୁଣି ଏକବର୍ଷର ବ୍ୟବଧାନ ପରେ ମେଘନାଦ ପାଚେରିର ଦୁଇତିନି ଜାଗାରୁ ପାଣି ଝରୁଛି । ଗତବର୍ଷ ବି ଏଭଳି ପରିସ୍ଥିତି ଦେଖାଦେଇଥିଲା । ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରିର ଶିଉଳି ଛଡାଯାଇ ଗ୍ରାଉଟିଂ ହେବାପରେ ପାଚେରିରେ ଥିବା ପଥର ଫାଟକୁ ଯୋଡ଼େଇ କରାଯାଇଥିଲା । ତେବେ ପୁର୍ନବାର ମେଘନାଦ ପାଚେରିରୁ ପାଣି ଝରିବା ଯୋଗୁଁ, ଦୁର୍ବଳ ହେବା ଆଶଙ୍କା କରି ଏଏସଆଇ ଏହାର ଜରୁରୀ ମରାମତି କରୁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଭକ୍ତ ।

ଅଧିକ ପଢ଼ନ୍ତୁ : ଦିବ୍ୟାଙ୍ଗଙ୍କ ପାଇଁ ସହଜ ହେବ ଜଗା ଦର୍ଶନ;ଶ୍ରୀମନ୍ଦିରରେ ନିର୍ମାଣ ହୋଇଛି ସ୍ବତନ୍ତ୍ର ରାମ୍ପ୍

ମେଘନାଦ ପାଚେରୀ ଫାଟ ହୋଇ ପାଣି ଝରିବା ପ୍ରସଙ୍ଗକୁ ଗତବର୍ଷ ଗୁରୁତର ଭାବେ ନେଇଥିଲା ଏଏସଆଇ । ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଥିବା ବେଳେ ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଓ ଏବଂ ପାଣି ପାଇପ୍‌କୁ ଶୀଘ୍ର ମରାମତି କରିବାକୁ ମଧ୍ୟ ମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା । ଏବେ ପୁଣି ପାଣି ଝରିବାରୁ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଖବର ପ୍ରସାରଣ ପରେ ମେଘନାଦ ପାଚେରୀର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ଯୁଦ୍ଧକାଳୀନ ଭିତ୍ତିରେ ମେଘନାଦ ପାଚେରୀରୁ ଶିଉଳିକୁ ଛଡାଯାଇଛି ।

ଯୁଗେଯୁଗେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇଆସିଛି ମେଘନାଦ ପାଚେରୀ । ତେଣୁ ଖୁବଶୀଘ୍ର ଏହାର ମରାମତି କରି ସଂରକ୍ଷଣ କରିବାକୁ ଦାବି ଉଠିଛି ।