କନକ ବ୍ୟୁରୋ: ମେଗା ଜଳ ଯୋଗାଣ ପ୍ରକଳ୍ପର କଚ୍ଛପ ଗତି । କାମ ଚାଲିଛି ହେଲେ ପାଣି  ମିଳୁନି । ଗାଁ ଗାଁରେ ଗାତ, ରାସ୍ତା ସାରା ଖୋଳି ଖାଲ ଖମା କରି ଚାଲିଛି ଠିକାଦାର। ପାଣି ଟୋପେ ପାଇବା ଆଶାରେ ଚୁପ ସ୍ଥାନୀୟ ଲୋକେ । ହେଲେ ପାଣି ମିଳିବା ତ ଦୂର ଟ୍ୟାପ ହୁଗୁଳି ଗଲାଣି । ସେପଟେ ଅନାୟସରେ ପଡ଼ିଆ ଜମିରେ ବହିଯାଉଛି ପିଇବା ପାଣି । 

Advertisment

ପ୍ରତି ଗାଁରେ ପହଞ୍ଚିବ ଶୁଦ୍ଧ ପିଇବା ପାଣି , ସେଥିଇବା ପାଇଁ ବିଛା ଯାଇଛି ପାଇପ୍‌ । ଘର ପାଖରେ ଲାଗିଛି ଟ୍ୟାପ୍‌ । ହେଲେ ପ୍ରକଳ୍ପ କାମ ସରୁନି କି ଗାଁକୁ ପାଣି ଆସୁନି । ସେପଟେ ଖୋଲା ପଡ଼ିଆରେ ନଷ୍ଟ ହେଉଛି ପିଇବା ପାଣି । ଜଳ ଯୋଗାଣ ପ୍ରକଳ୍ପରେ ଅବ୍ୟବସ୍ଥା ଖବର ଆସିଛି ଖୋର୍ଦ୍ଧାରୁ । ବେଗୁନିଆ, ବୋଲଗଡ଼ର ୩୫ ପଞ୍ଚାୟତର ୩୩୭ଗାଁକୁ ପାଣି ଯୋଗାଇବାକୁ ଲକ୍ଷ୍ୟ ନିର୍ମାଣ ହେଉଛି ମେଗା ଜଳ ଯୋଗାଣ ପ୍ରକଳ୍ପ । ବୋଲଗଡ଼ ବ୍ଲକ ଶ୍ରୀରାମପୁର ଠାରେ ୬ଏକର ପରିମିତ ପ୍ରକଳ୍ପ ନିର୍ମାଣ କରୁଛି ଜେଏମ୍‌ସି ଠିକାସଂସ୍ଥା । ୨୦୧୯ରୁ ଆରମ୍ଭ ହୋଇଥିଲା ୨୫୪କୋଟିର ପ୍ରକଳ୍ପ କାମ । ୨୦୨୧ ସୁଦ୍ଧା ସାରିବାକୁ କଣ୍ଟ ଦିଆଯାଇଥିଲା । କଂଟ ପୂରିଲାଣି, କାମ ସରୁନି କି ପାଣି ମିଳୁନି ।

ଆହୁରି ପଢ଼ନ୍ତୁ : ନୂଆପଡ଼ାରେ ଏବେ ‘ବିଭୀଷଣ’ ଡର: ତିନି ଦଳ ଖୋଜୁଛନ୍ତି ନିଜ ନିଜ ବିଭୀଷଣ 

ସେପଟେ ପାଇପ ବିଛାଇବା ଲାଗି ରାସ୍ତା ଖୋଳି ଦେଇଛି ଠିକା ସଂସ୍ଥା। ଖୋଳୁଥିବା ଗାତ ନପୋତିବାରୁ ନିଇତି ଦୁର୍ଘଟଣା ଘଟୁଛି । ତଥାପି ପାଣି ମୁନ୍ଦାଏ ପାଇବା ଆଶାରେ ସ୍ଥାନୀୟ ଲୋକ ପ୍ରତିବାଦ କରୁନାହାନ୍ତି । କିନ୍ତୁ ବର୍ଷ ପରେ ବର୍ଷ ବିତିବା ସତ୍ତ୍ୱେ ଗାଁକୁ ପାଣି ନଆସିବା ଏବଂ ରାସ୍ତାକଡ଼ରେ ପାଣି ବୋହିଯିବା ଦେଖି ଖୁବ୍‌ ଅସନ୍ତୁଷ୍ଟ ଲୋକେ । ଧଳାପଥର-ରାଜସୁନଖଳା ରାସ୍ତାର ଆରିକମା ମଧ୍ୟରେ ୨-୩ଟି ସ୍ଥାନରେ ଅନାୟସରେ ପାଣି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ପାଣିକୁ ନେଇ ଗାଁ ଗାଁରେ ମହାଭାରତ ଦେଖିବାକୁ ମିଳୁଛି । ଟ୍ୟାପ୍‌ ପାଖରେ ଲମ୍ବା ଧାଡି, ଠେଲାପେଲା ଚିତ୍ର ବି ଆସୁଛି । ମାତ୍ର ଏଠି ପାଣି ନଷ୍ଟ ହେଉଥିଲେ ବି କାହାର ନିଘା ନାହିଁ ।