କନକ ବ୍ୟୁରୋ : ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଠିକା କାମ ନେଇଥିବା ବିଭିନ୍ନ କମ୍ପାନିଙ୍କ କାର୍ଯ୍ୟଶୈଳୀ ଚିନ୍ତା ବଢ଼ାଉଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଗୃହରେ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି , କେବଳ ଓଡ଼ିଶା ନୁହେଁ, ଝାଡ଼ଖଣ୍ଡ ଭଳି ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । କାମରେ ଅବହେଳା କରୁଥିବା ଦେଶର ପ୍ରାୟ ୬୫୩ଟି ଏଜେନ୍ସି ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି । ରାଜ୍ୟରେ ମଧ୍ୟ ସମସ୍ତ ଏଜେନ୍ସିକୁ କାମ ସାରିବା ପାଇଁ ନିର୍ଦ୍ଦିଷ୍ଟ 'ଡେଡ୍ ଲାଇନ' ବା ସମୟସୀମା ଦିଆଯାଇଛି । ବିଧାୟକମାନଙ୍କ ଆବେଗକୁ ସମ୍ମାନ ଜଣାଇ ବିଭାଗ କାମ କରୁଛି । ଯେଉଁ ପ୍ରକଳ୍ପଗୁଡ଼ିକର କାମ ଆଗେଇ ପାରୁନାହିଁ, ସେଠାକୁ ସ୍ୱୟଂ ମନ୍ତ୍ରୀ, ନିର୍ଦ୍ଦେଶକ ଓ ମୁଖ୍ୟ ଯନ୍ତ୍ରୀ ଗସ୍ତ କରି ସ୍ଥିତିର ତର୍ଜମା କରିବେ ।
ଗୃହରେ ତଥ୍ୟ ରଖି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୭୭.୧୦ ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚି ସାରିଛି । ମୋଟ ୮୮.୬୬ ଲକ୍ଷ ପରିବାର ମଧ୍ୟରୁ ୬୮.୩୬ ଲକ୍ଷ ପରିବାର ଏବେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି । ରାଜ୍ୟର ୧୫,୪୨୦ଟି ଗ୍ରାମରେ ସିଙ୍ଗିଲ ଓ ମଲ୍ଟି ପ୍ରୋଜେକ୍ଟ ଜରିଆରେ ଜଳ ଯୋଗାଣ କରାଯାଉଛି । କେବଳ ଘର ନୁହେଁ, ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ ଜଳ ସଂଯୋଗ ଦିଆଯାଉଛି । ଶେଷରେ ପୂର୍ବ ସରକାରଙ୍କୁ କଟାକ୍ଷ କରି ମନ୍ତ୍ରୀ କହିଛନ୍ତି, ବିଗତ ସରକାର କେବଳ ବସୁଥିଲେ, କିନ୍ତୁ ବର୍ତ୍ତମାନର ସରକାର ପ୍ରକଳ୍ପ ଶେଷ କରି ଉଦ୍ଘାଟନ କରିବା ଲକ୍ଷ୍ୟରେ ଅଛନ୍ତି । ଯଦି କୌଣସି ସଂସ୍ଥା ଖରାପ କାମ କରନ୍ତି, ତେବେ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ--ରତ୍ନଭଣ୍ଡାର ଚାବି, ମୋହନ ସରକାରକୁ ରାଜାଙ୍କ ଚ୍ୟାଲେଞ୍ଜ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/09/rabi-naik-2025-12-09-12-22-39.jpg)