Jagatsinghpur Photograph: (kanak news)
କନକ ବ୍ୟୁରୋ : ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ଆଶା ବାନ୍ଧି ବସିଛନ୍ତି ୪ଟି ବ୍ଲକର ଲୋକେ । ହେଲେ ପ୍ରକଳ୍ପ ଦାୟିତ୍ବରେ ଥିବା ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଘରକୁ ପାଣି ପହଞ୍ଚୁନି । ଅବଧି ପୁରିବାକୁ ବସିଲାଣି, ଅଧା କାମ ବି ସରିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଠିକା ସଂସ୍ଥାର ମନମୁଖୀ କାମକୁ ଦାୟୀ କଲେ ଲୋକେ ! ଏପ୍ରିଲ୍ ସୁଦ୍ଧା ପ୍ରସ୍ତାବିତ ଗାଁକୁ ପାଣି ପହଞ୍ଚାଇବାକୁ ଶିଳ୍ପ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ଜଗତସିଂହପୁର ଜିଲ୍ଲା ମଣିଜଙ୍ଗଳଠାରେ ଚାଲିଛି ମେଗା ପାନୀୟଜଳ ପ୍ରକଳ୍ପ କାମ । ମହାନଦୀରୁ ପାଣି ଉଠାଇ ତାକୁ ବିଶୋଧନ କରି ଏରସମା, କୁଜଙ୍ଗ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକକୁ ପାଣି ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ମଞ୍ଜୁର ହେଲା ୪୮୦କୋଟି ଟଙ୍କା । ନିର୍ମାଣ ଦାୟିତ୍ବ ରହିଲା ଘରୋଇ ଠିକା ସଂସ୍ଥା ଉପରେ । ୫ ବର୍ଷ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଗଲା । ଅବଧି ପୁରିବାକୁ ବସିଲାଣି ୪୦ ପ୍ରତିଶତ କାମ ବି ସରିନି । ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବା ଯୋଗୁଁ ୫୪୪ଟି ଗାଁର ଆଶା ନିରାଶାରେ ପରିଣତ ହୋଇଛି । ଅନ୍ୟପଟେ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦବେଗ ପ୍ରକାଶ କରିବା ସହ ଆସନ୍ତା ଏପ୍ରିଲ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ---ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ, ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ରଚିଲେ ଇତିହାସ
ଆର୍ଡବ୍ଲୁଏସ୍ଏସ୍ ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥାର କର୍ମଚାରୀଙ୍କ ମତରେ ବୈଷୟିକ କାରଣ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି । ଶ୍ରମିକ ସଂଖ୍ୟା ବୃଦ୍ଧି କରାଯାଇ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ । ଖରାଦିନ ଆସୁଛି, ଲୋକ ଜଳ ଯନ୍ତ୍ରଣାରେ ଛଟପଟ ହେବେ । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପ୍ରକଳ୍ପ କାମ ସାରି ସବୁ ଗାଁକୁ ପାଣି ପହଞ୍ଚିବା ଦିଗରେ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ।
Follow Us