କନକ ବ୍ୟୁରୋ: କ୍ରିକେଟ୍ର ନିୟମ ପ୍ରଣୟନ କରୁଥିବା ସର୍ବୋଚ୍ଚ ସଂସ୍ଥା ଏମସିସି (ମେରିଲେବୋନ୍ କ୍ରିକେଟ୍ କ୍ଲବ୍) ନିୟମାବଳୀରେ ମୋଟ ୭୩ଟି ସଂଶୋଧନ କରିଛି ଓ ଏଗୁଡ଼ିକ ଆସନ୍ତା ଅକ୍ଟୋବର ମାସରୁ ଲାଗୁ ହେବ । ଏସବୁ ନିୟମଗୁଡ଼ିକ ଆଗାମୀ ଦିନରେ କ୍ରିକେଟ୍କୁ ବ୍ୟାପକ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି । ପ୍ରମୁଖ ସଂଶୋଧନ ମଧ୍ୟରେ ରହିଛି ଟେଷ୍ଟ୍ରେ ଶେଷ ଓଭର ବୋଲିଂ ନିୟମ । ଯଦି ଗୋଟିଏ ଦିନର ଖେଳରେ ଶେଷ ଓଭର ବୋଲିଂ କରାଯାଉଛି ଓ ଗୋଟିଏ ଓ୍ବିକେଟ୍ ପଡ଼ିଲା, ତେବେ ସେହି ଓଭରକୁ ଶେଷ କରିବା ବାଧ୍ୟତାମୂଳକ ହେବ । ଅର୍ଥାତ୍ ଓଭର ମଝିରୁ ଷ୍ଟମ୍ସ୍ ଅପସାରଣ କରାଯାଇପାରିବ ନାହିଁ । ଆଉ ଏକ ସଂଶୋଧିତ ନିୟମ ହେଉଛି ବୋଲରଙ୍କ ରନ୍-ଅପ୍ ସମୟରେ ଓ୍ବିକେଟ ରକ୍ଷକ ନିଜର ଗ୍ଲୋଭସ୍କୁ ଷ୍ଟମ୍ସ ଆଗକୁ ସାମାନ୍ୟ ଆଣିପାରିବେ ଓ ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯିବ ନାହିଁ । ତେବେ ବୋଲରଙ୍କ ହାତରୁ ବଲ ବାହାରିବା ପରେ ତାଙ୍କର ଗ୍ଲୋଭସ୍ ଷ୍ଟମ୍ସ ପଛରେ ରହିବ । ସେହିପରି ଲାମିନେସନ ହୋଇଥିବା ବ୍ୟାଟ୍ଗୁଡ଼ିକୁ ଅନୁମତି ଦିଆଯିବ । ପୁଣି ବିଭିନ୍ନ ସ୍ତରର କ୍ରିକେଟ୍ ( ମହିଳା, କନିଷ୍ଠ, ଉପ-କନିଷ୍ଠ) ପାଇଁ ବଲର ଆକାର ( ସାଇଜ୍-୧,୨ ଓ ୩) ନିର୍ଦ୍ଧାରିତ କରାଯାଇଛି । ସେହିପରି ବନି ହପ୍ କ୍ୟାଚ୍ ନିୟମରେ ପରିବର୍ତ୍ତନ ଅଣାଯାଇଛି ।
ଏହା ବି ପଢ଼ନ୍ତୁ: ପାକିସ୍ତାନର ମ୍ୟାଚ୍ ବର୍ଜନ ସଂପର୍କିତ ପ୍ରଶ୍ନକୁ ଏଡ଼େଇଗଲେ ଗମ୍ଭୀର
କ୍ରିକେଟ୍ରେ ଏମସିସିର ଗୁରୁତ୍ୱ
କ୍ରିକେଟ୍ ଖେଳରେ ଏମସିସି (ମେରିଲେବୋନ୍ କ୍ରିକେଟ୍ କ୍ଲବ୍)ର ବିଶେଷ ଗୁରୁତ୍ବ ରହିଛି କାରଣ ଏହା କ୍ରିକେଟ୍ ଖେଳର ମୂଳ ନିୟମ ତିଆରି କରୁଥିବା ସର୍ବୋଚ୍ଚ ସଂସ୍ଥା । କ୍ରିକେଟ୍ରେ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, ଆଉଟ୍ ହେବାର ପ୍ରକାର, ମ୍ୟାଚ୍ର ପରିଚାଳନା, ଫଳାଫଳ ଇତ୍ୟାଦି ସମସ୍ତ ମୂଳ ନିୟମ ଏମସିସି ଦ୍ୱାରା ନିର୍ଦ୍ଧାରିତ । ଏମସିସି ଆଇନଗୁଡ଼ିକ ସାରା ବିଶ୍ୱ କ୍ରିକେଟ୍ରେ ଲାଗୁ ହୁଏ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏମସିସିର ନିୟମଗୁଡ଼ିକୁ ଅନୁସରଣ କରେ, କିନ୍ତୁ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦ ପରି ଭିନ୍ନ ଫର୍ମାଟ୍ ପାଇଁ ଆବଶ୍ୟକ ସ୍ଥଳେ ନିଜସ୍ୱ ଖେଳ ସର୍ତ୍ତାବଳୀ ଯୋଗ କରିଥାଏ । ସରଳ ଭାଷାରେ କହିଲେ ଏମସିସିର ନିୟମଗୁଡ଼ିକ ହେଉଛି କ୍ରିକେଟ୍ର ଆଧାର ହୋଇଥିବାବେଳେ ଆଇସିସି ସେହି ନିୟମଗୁଡ଼ିକୁ ଆଧାର କରି ଆନ୍ତର୍ଜାତୀୟ ପ୍ରତିଯୋଗିତା କିମ୍ବା ମ୍ୟାଚ୍ ପାଇଁ କିଛି ଅତିରିକ୍ତ ଓ ପରିବର୍ତ୍ତିତ ନିୟମ ଲାଗୁ କରେ । ଏମସିସି ୧୭୮୭ ମସିହାରେ ଲଣ୍ଡନର ଲର୍ଡସଠାରେ ପ୍ରତିଷ୍ଠିତ ହୋଇଥିଲା । ମୂଳରୁ ଏହା ବିଶ୍ବ କ୍ରିକେଟ୍ ପରିଚାଳନାରେ ସର୍ବୋଚ୍ଚ ସଂସ୍ଥା ଥିଲା, ପରେ ୧୯୦୯ରେ ଏହି ଦାୟିତ୍ବ ଆଇସିସି (ତତ୍କାଳୀନ ଇମ୍ପିରିଆଲ୍ କ୍ରିକେଟ୍ କାଉନସିଲ୍) ନିକଟକୁ ଆସିଥିଲା । କିନ୍ତୁ ଏବେ ବି କ୍ରିକେଟ୍ର ନିୟମ ଏମସିସିର ସ୍ବତ୍ତ୍ବାଧିକାରଭୁକ୍ତ ।
Follow Us