ସଙ୍ଗମ ନଗରୀ ପ୍ରୟାଗରାଜରେ ଅନ୍ତିମ ଚରଣରେ ପହଁଞ୍ଚିଛି ମହାକୁମ୍ଭର ମହାମେଳା । ଆଉ କିଛି ଦିନ ପରେ ମହାକୁମ୍ଭ ସମାପ୍ତ ହେବ । ଗନ୍ତବ୍ୟ ସ୍ଥଳକୁ ଲେଉଟିବେ ସାଧୁସନ୍ଥ ଏବଂ ଭକ୍ତ । ୧୪୪ ବର୍ଷ ପରର ଏ ମହାକୁମ୍ଭ ସ୍ନାନକୁ ଜମାରୁ ହାତଛଡ଼ା କରିବାକୁ ଦେଇନାହାନ୍ତି କୋଟି କୋଟି ଶ୍ରଦ୍ଧାଳୁ । ପ୍ରତିଦିନ ସଙ୍ଗମ ତଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକଜୁଟ୍ ହୋଇ ସ୍ନାନ କରି ପୂଣ୍ୟ ଅର୍ଜନ କରିଛନ୍ତି । ଅନୁମାନ ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୫୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇ ସାରିଛନ୍ତି । କିନ୍ତୁ ଏହାରି ଭିତରେ ଅନେକ ଲୋକ ନିଜ ବ୍ୟବସାୟକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି । 

Advertisment
snan
snan Photograph: (google)

ମହାକୁମ୍ଭରେ ଯୋଗ ଦେବା ପାଇଁ ସାରା ଦେଶରୁ ଲୋକ ବସ୍ , ଟ୍ରେନ୍ , ବିମାନରେ ପ୍ରୟାଗରାଜରେ ପହଁଞ୍ଚିଲେ । ଟ୍ରେନରେ ଏତେ ଜାମ୍ ହେଲା ଯେ କିଏ ଟ୍ରେନ୍ କବାଟ ଭାଙ୍ଗି ପଶିଲେ ତ ଆଉ କିଏ ଟଏଲେଟ୍ ଭିତରେ ପଶି ପ୍ରୟାଗରାଜରେ ପହଁଞ୍ଚିଲେ । ଏହି କାରଣରୁ ଅନେକ ଲୋକ ମହାକୁମ୍ଭର ମହାସ୍ନାନରୁ ମଧ୍ୟ ବଂଚିତ ହେଲେ । ଏବେ ଆଉ କିଛି ଦିନ ଭିତରେ ଶେଷ ହେବ ମହାକୁମ୍ଭ ଏବଂ ଲୋକଙ୍କ ମନରେ ପବିତ୍ର ବୁଡ଼ ନ ପକାଇବାର ଅସନ୍ତୋଷ ମଧ୍ୟ ରହିଯିବ । ଏହି ଅସନ୍ତୋଷକୁ ଲାଘବ କରିବା ପାଇଁ ଜଣେ ବ୍ୟକ୍ତି ପ୍ରୟାଗରାଜରେ ଏକ ନିଆରା ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଯେଉଁଥିରେ ଲୋକ ଘରେ ବସି ଫଟୋ ପଠାଇବେ ଏବଂ ଉକ୍ତ ବ୍ୟକ୍ତିଜଣକ ସଙ୍ଗମରେ ସେହି ଫଟୋକୁ ବୁଡ଼ାଇ ଡିଜିଟାଲ୍ ସ୍ନାନ କରାଇବେ । ପଢିଲେ ଅଜବ ଲାଗୁଛି ନା ! ଆମକୁ ବି ଏ ବ୍ୟବସାୟର ପାଟର୍ଣ୍ଣ ଦେଖି ଅଜବ ଲାଗିଥିଲା ।

ନିଜକୁ ପ୍ରୟାଗରାଜର ବାସିନ୍ଦା କହୁଥିବା ଦୀପକ୍ ଗୋୟଲ୍ ନାମକ ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ବ୍ୟକ୍ତିଜଣକ ୫ ରୁ ୬ ଟି ପାସପୋର୍ଟ ସାଇଜର ଫଟୋ ହାତରେ ଧରି ସଙ୍ଗମରେ ଫଟୋଗୁଡ଼ିକୁ ବୁଡ଼ାଉଛନ୍ତି ଏବଂ କହୁଛନ୍ତି , ‘ସଙ୍ଗମରେ ବୁଡ଼ ପକାଇନାହାନ୍ତି କି ମନଦୁଃଖ କରନ୍ତୁ ନାହିଁ , ଆପଣ ବି ଚାହିଁଲେ ଡିଜିଟାଲ୍ ସ୍ନାନ କରିପାରିବେ , କେବଳ ହ୍ବାଟ୍ସଆପରେ ନିଜ ଫଟୋ ସେୟାର୍ କରନ୍ତୁ ଆମେ ପ୍ରିଣ୍ଟ୍ ବାହାର କରି ସ୍ନାନ କରାଇବୁ । ଏଥିପାଇଁ ଆପଣଙ୍କୁ କେବଳ ୧୧୦୦ ଟଙ୍କା ଦେବାକୁ ପଡ଼ିବ’ । ତେବେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ ବିଭିନ୍ନ ପ୍ରକାର କମେଣ୍ଟ୍ ମଧ୍ୟ କରୁଛନ୍ତି । କିଛି କହୁଛନ୍ତି , ବ୍ୟବସାୟ ନାଁରେ ଲୋକଙ୍କ ଶ୍ରଦ୍ଧା ସହ ଖେଳୁଛନ୍ତି ଏହି ବ୍ୟକ୍ତି , ଆଉ କିଛି କହୁଛନ୍ତି , ଟଙ୍କା ରୋଜଗାର କରିବାର ଏଭଳି ମାଧ୍ୟମ ଆଦୌ ଗ୍ରହଣୀୟ ନୁହଁ ।