ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ

କେବଳ ମହାକାଳପଡାରେ ନୁହେଁ ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛି କୁମ୍ଭୀର । ଖାସକରି ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ବ୍ଲକର ବିଭିନ୍ନ ନଦୀ ନାଳରେ ମାଳ ମାଳ କୁମ୍ଭୀର । ନଦୀ ଉପରେ ନୀର୍ଭରଶୀଳ ଲୋକଙ୍କର ଏବେ ନିଦ ହଜାଇ ଦେଇଛି କୁମ୍ଭୀର ।

Crocodile

Crocodile Photograph: (Kanak News)

କନକ ବ୍ୟୁରୋ : ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର । ୪ ଦିନ ହେଲା କୁମ୍ଭୀରଟି ବିଲମୁଣ୍ଡରେ ଶୋଇରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଗୋପାଳପୁର ଓ କେରଡାଗଡ଼ର ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ନିକଟସ୍ଥ ଏକ ବିଲ ମୁଣ୍ଡରେ ଶୋଇଛି କୁମ୍ଭୀର । ରାତିବେଳା ନିକଟସ୍ଥ କେନାଲ ଓ ପୋଖରୀରେ ପଶି ମାଛ ଖାଇବା ପରେ ଦିନରେ ବିଲ ମୁଣ୍ଡକୁ ଉଠିଆସି ଶୋଇ ରହୁଛି ।

ଗାଁ ଲୋକେ ଏତେବଡ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡିଛନ୍ତି । ସ୍ଥାନୀୟ ଲୋକ ନିକଟସ୍ଥ ପୋଖରୀ ଓ କେନାଲ ଉପରେ ନିର୍ଭରଶୀଳ ହୋଇଥିବାରୁ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି । ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରିବାକୁ ଦାବି କରିଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଅନେକଥର ରାଜନଗର ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ, ମାତିଛି ମଣିଷଖିଆ ମଗର

କିଛି ମାସ ତଳେ ଗୋବରୀ ନଦୀ କୂଳରେ ଛେଳି ଚରାଉଥିବା ବେଳେ ମହାକାଳପଡା ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇଙ୍କୁ ଟାଣିନେଇଥିଲା କୁମ୍ଭୀର । ଏହାପୂର୍ବରୁ ମଧ୍ୟ ମହାକାଳପଡାରେ କୁମ୍ଭୀର ଆକ୍ରମଣରେ ଗତ ୫ ବର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।  କେବଳ ମହାକାଳପଡାରେ ନୁହେଁ ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛି କୁମ୍ଭୀର । ଖାସକରି ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ବ୍ଲକର ବିଭିନ୍ନ ନଦୀ ନାଳରେ ମାଳ ମାଳ କୁମ୍ଭୀର । ନଦୀ ଉପରେ ନୀର୍ଭରଶୀଳ ଲୋକଙ୍କର ଏବେ ନିଦ ହଜାଇ ଦେଇଛି କୁମ୍ଭୀର ।

ବନ୍ୟା ପରେ ପରେ ପୋଖରୀକୁ ପଶି ଆସିଛନ୍ତି କୁମ୍ଭୀର । ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଯାଇଛି ୨୨ ଜୀବନ । ୨୦ ବର୍ଷରେ କୁମ୍ଭୀର ମୁହଁରେ ଯାଇଛି ୧୦୦ରୁ ଅଧିକ ଜୀବନ । ହେଲେ ବାସ୍ତବରେ ଏହି ସଂଖ୍ୟା ବେଶ ଅଧିକ । ଡାଙ୍ଗମାଳରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବାରୁ ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ନଦୀ ନାଳରେ ବଢୁଛି । ଏହି କୁମ୍ଭୀରଙ୍କର ଶିକାର ହେଉଛନ୍ତି ନୀରିହ ଲୋକ । କୁମ୍ଭୀର ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ ଖୁସିବ୍ୟକ୍ତ କରୁଥିବା ବେଳେ ସ୍ଥାନୀୟ ଅଂଚଳବାସୀ କିନ୍ତୁ କୁମ୍ଭୀର ଭୟରେ ଆତଙ୍କିତ ଭାବେ ଜୀବନ ବିତାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe