କନକ ବ୍ୟୁରୋ : ଆଖିରୁ ଲୁହ ଶୁଖୁନି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ପୂରା ଗାଁରେ ଭୟର ବାତାବରଣ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମାତିଛି ମଗର, ନେଉଛି ଜୀବନ । ଗୋବରୀ ନଦୀ କୂଳରେ ଛେଳି ଚରାଉଥିବା ବେଳେ ମହାକାଳପଡା ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇଙ୍କୁ ଟାଣିନେଇଥିଲା କୁମ୍ଭୀର । ଆଜି ଲକ୍ଷ୍ମୀଙ୍କ ମରଶରୀର ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଛି । ଏହାପୂର୍ବରୁ ମଧ୍ୟ ମହାକାଳପଡାରେ କୁମ୍ଭୀର ଆକ୍ରମଣରେ ଗତ ୫ ବର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।
କେବଳ ମହାକାଳପଡାରେ ନୁହେଁ ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛି କୁମ୍ଭୀର । ଖାସକରି ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ବ୍ଲକର ବିଭିନ୍ନ ନଦୀ ନାଳରେ ମାଳ ମାଳ କୁମ୍ଭୀର । ନଦୀ ଉପରେ ନୀର୍ଭରଶୀଳ ଲୋକଙ୍କର ଏବେ ନିଦ ହଜାଇ ଦେଇଛି କୁମ୍ଭୀର । ବନ୍ୟା ପରେ ପରେ ପୋଖରୀକୁ ପଶି ଆସିଛନ୍ତି କୁମ୍ଭୀର । ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଯାଇଛି ୨୨ ଜୀବନ । ୨୦ ବର୍ଷରେ କୁମ୍ଭୀର ମୁହଁରେ ଯାଇଛି ୧୦୦ରୁ ଅଧିକ ଜୀବନ । ହେଲେ ବାସ୍ତବରେ ଏହି ସଂଖ୍ୟା ବେଶ ଅଧିକ । ଡାଙ୍ଗମାଳରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବାରୁ ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ନଦୀ ନାଳରେ ବଢୁଛି । ଏହି କୁମ୍ଭୀରଙ୍କର ଶିକାର ହେଉଛନ୍ତି ନୀରିହ ଲୋକ । କୁମ୍ଭୀର ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ ଖୁସିବ୍ୟକ୍ତ କରୁଥିବା ବେଳେ ସ୍ଥାନୀୟ ଅଂଚଳବାସୀ କିନ୍ତୁ କୁମ୍ଭୀର ଭୟରେ ଆତଙ୍କିତ ଭାବେ ଜୀବନ ବିତାଉଛନ୍ତି ।