Masood Azhar New Audio Photograph: (Kanak News)
କନକ ବ୍ୟୁରୋ : ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଏକ ଅଡିଓ ଏବେ ଖୁବ ଭାଇରାଲ ହେଉଚି । ଏହି ଅଡିଓରେ ଆତଙ୍କବାଦୀ ଜଣକ IC 814 ବିମାନ ହାଇଜାକ୍ ହେବା ପରର କାହାଣୀ ଶୁଣାଇଛି । ମସୁଦ ଅଜହର ଭାରତୀୟ ଜେଲରେ ବନ୍ଦୀ ଥିଲା । କିନ୍ତୁ, IC 814 ହାଇଜାକ୍ ହେବା ପରେ ଆତଙ୍କବାଦୀମାନେ ମସୁଦ ଅଜହରର ମୁକ୍ତି ପାଇଁ ଚାପ ପକାଇଥିଲେ । ଏହି ଅଡିଓରେ ମସୁଦ ଅଜହର କହୁଛି ଯେ ତାକୁ କିପରି ଭାରତର ଜେଲ୍ରୁ ନିଆଯାଇଥିଲା ।
ମସୁଦ ଅଜହର ଅଡିଓରେ କହିଛି, "ମୋର ମନେ ଅଛି ମୋର ମୁକ୍ତି ପୂର୍ବରୁ ଦିଲ୍ଲୀରୁ କିଛି ଅଧିକାରୀ ଆସିଥିଲେ । ସେମାନେ ମୋତେ ପରଖିବାକୁ ଚେଷ୍ଟା କରୁଥିଲେ ଯେ ମୋର ଜୋସ୍ ବା ଏବେ ବି ଅଛି ନା ଶେଷ ହୋଇଯାଇଛି । ସେମାନେ ମୋତେ ପଚାରିଥିଲେ ଯେ କାଶ୍ମୀରରେ ଜିହାଦ ଶେଷ ହେବ କି ନାହିଁ। ମୁଁ ସେମାନଙ୍କୁ କହିଥିଲି ଯେ ଯଦି ୫୦ ବର୍ଷ ବିତିଯାଏ, ତଥାପି ଏହା ଶେଷ ହେବ ନାହିଁ ।"
ମସୁଦ ଅଜହର ଅଡିଓରେ କହିଛି, "ମୁଁ କହିଥିଲି ଯେ ଆମ ମା’ମାନେ ପ୍ରତିଦିନ ଜିହାଦର ଲୋରି ଶୁଣାନ୍ତି । ଆମ ପାଖରେ କୁରାନ ମହଜୁଦ ଅଛି । ତୁମେ କାନ୍ଥରୁ ଜିହାଦକୁ ପୋଛି ଦେଇପାର, କିନ୍ତୁ କୁରାନର ଆୟତରୁ ଏହାକୁ ହଟାଇ ପାରିବ ନାହିଁ।" ସେ ଆହୁରି ମଧ୍ୟ କହିଛି, "ମୋତେ ପଚରାଯାଇଥିଲା ଯେ କୁରାନରେ କ’ଣ ଜିହାଦ ଅଛି ? ମୁଁ କହିଥିଲି ଯେ କୁରାନର ପ୍ରତିଟି ଆୟତରେ ଜିହାଦ ରହିଛି ଏବଂ ପ୍ରତ୍ୟେକ ମୁସଲମାନ ଏହାକୁ ପଢ଼ନ୍ତି ଏବଂ ବୁଝନ୍ତି ।"
ଅଧିକ ପଢ଼ନ୍ତୁ---‘ମୋଦୀ ଜଣେ ଭଲ ଲୋକ…’, ଟାରିଫ୍ ଧମକ ସହ ମୋଦୀଙ୍କୁ ଏମିତି କହିଲେ ଟ୍ରମ୍ପ
ଅଡିଓରେ ସେ ଆହୁରି କହିଛି, " ଜଣେ ଅଧିକାରୀ କହିଲେ ଯେ ତୁମେ କିଛି ମୁଜାହିଦ୍ ଆମର କ’ଣ ବିଗାଡ଼ି ପାରିବ? ମୁଁ କହିଲି ୧୦ ବର୍ଷ ମଧ୍ୟରେ ତୁମେ ମୁଜାହିଦ୍ମାନଙ୍କର କ’ଣ ବିଗାଡ଼ି ପାରିଛ ? ଅନେକ କଥାବାର୍ତ୍ତା ହେଲା, ଶେଷରେ ସେ କହିଲେ ଯେ 'ମୌଲାନା ତୁମକୁ ତ ଭାରତରେ ହିଁ ରହିବାକୁ ପଡ଼ିବ'। ସେ ଜମି ଆଡ଼କୁ ଇସାରା କରି କହୁଥିଲେ ଯେ ତୁମର କବର ଏଠାରେ ତିଆରି ହୋଇଛି । ଏହା ଆଲ୍ଲାଙ୍କର କୃପା ଯେ ସେଦିନ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଜସୱନ୍ତ ସିଂହ ୭୦ ଘଣ୍ଟା ପର୍ଯ୍ୟନ୍ତ ଶୋଇନଥିଲେ । ସେତେବେଳେ ବିମାନ ଅପହରଣ ହୋଇସାରିଥିଲା, ସେତେବେଳେ ସେମାନେ ଆସି ମୋତେ କହିଲେ ଯେ 'ମୌଲାନା ତୁମକୁ ଯିବାକୁ ପଡ଼ିବ'।"
ମସୁଦ ଅଜହର ଅଡିଓରେ କହିଛି, "ମୁଁ କହିଲି ଟିକେ ଆରାମ କରିବାକୁ ଦିଅ । ଏହାପରେ ସାଥୀମାନଙ୍କୁ ଭେଟିଲି, ସେମାନେ ନିଜେ ମୋତେ ନିଜ ବିମାନରେ ବସାଇ ଆଣିଲେ । ସେତେବେଳେ କୌଣସି ବୋର୍ଡିଂ ନଥିଲା, କୌଣସି ଭିସା ନଥିଲା, ପାସପୋର୍ଟ କିମ୍ବା ଇମିଗ୍ରେସନର ଆବଶ୍ୟକତା ମଧ୍ୟ ନଥିଲା । ଖୁଦାଙ୍କ ଶପଥ, ସେଠାରେ କୌଣସି ପ୍ରକାର ତଲାସି ମଧ୍ୟ କରାଯାଇନଥିଲା । ସେ ଆହୁରି ମଧ୍ୟ କହିଛି, "ସେମାନେ ଏତେ ଡରିଯାଇଥିଲେ ଏବଂ ଭୟଭୀତ ଥିଲେ ଯେ ମୋ ଆଖିରେ ପଟି ବାନ୍ଧିଦେଲେ ଏବଂ ମୋ ହାତ ବାନ୍ଧି ଦେଇଥିଲେ। ମୋ ହାତରେ ହାତକଡ଼ି ପକାଇ ଦିଆଯାଇଥିଲା ।"
୧୯୯୯ ମସିହାରେ ଭାରତୀୟ ବିମାନ ହାଇଜାକ୍ କରିବା ପରେ ଯାତ୍ରୀଙ୍କ ବଦଳରେ ତିନି ଜଣ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ଦାବି କରିଥିଲେ । ଏହାପରେ ମସୁଦ ଅଜହର, ଅହମଦ ଉମର ସୟିଦ ଓ ମୁସ୍ତାକ ଅହମଦ ଅଜଗରକୁ ଛାଡ଼ିବାକୁ ପଡ଼ିଥିଲା । ଏହାପରେ ମସୁଦ ଭାରତରେ ଅନେକ ଆତଙ୍କୀ କାର୍ଯ୍ୟକଳାପ ଘଟାଇ ଆସୁଛି ।
Follow Us