Mandi Photograph: (Kanak News)
କନକ ବ୍ୟୁରୋ : ଚାଷୀ ଓ ଆଉ ମଣ୍ଡି । ଏହି ଗୋଟିଏ ପ୍ରସଙ୍ଗରେ ପୂରା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧ ଧୋଇଗଲା । ନା ବିଧାନସଭା ସୁରୁଖୁରୁରେ ଚାଲିପାରିଲା, ନା ଚାଷୀଙ୍କ ସମସ୍ୟାର ସମାଧାନ ହେଲା । ସରକାର ଓ ବିରୋଧୀଙ୍କ ତୁତୁ ମେମେ ଭିତରେ ପେଷି ହୋଇଛନ୍ତି ଚାଷୀ ।
ରାଜ୍ୟରେ ଧାନ ମଣ୍ଡିକୁ ନେଇ ଲାଗି ରହିଛି ସମସ୍ୟା । କେଉଁଠି କଟନିଛଟନି ତ କେଉଁଠି ଟୋକନ ଅବଧି ସରିବାକୁ ବସିଲାଣି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଅମଳ ହୋଇଥିଲେ ବି ସେହି ତୁଳନାରେ ମିଳୁଛି କମ୍ ଟୋକନ । ଫଳରେ ମାସମାସ ଧରି ମଣ୍ଡିରେ ପଡ଼ି ରହୁଛି ଧାନ । ଖୋଲା ଆକାଶ ତଳେ ଶୀତକାକରକୁ ଖାତିର ନକରି ନିଜ ଅମଳ ଚାଷକୁ ଜଗି ରହୁଛନ୍ତି ଚାଷୀ । ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ମିଲର ଆସୁନାହାନ୍ତି କି ଧାନ ନେଉନାହାନ୍ତି । ବଳକା ଧାନକୁ କ’ଣ କରିବୁ ବୋଲି କହି ଚିନ୍ତାରେ ପଡିଛନ୍ତି ଚାଷୀ । ଏମିତିକି ଅଦିନିଆ ବର୍ଷାରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବର୍ଷାରେ ବତୁରି ଯାଇଛି । ଯାହା ଚାଷୀଙ୍କ ନିଦ ହଜାଇ ଦେଇଛି ।
ଅଧିକ ପଢ଼ନ୍ତୁ : ରାତି ପାହିଲେ ଆସିବ ଟ୍ରିବ୍ୟୁନାଲ ଟିମ୍ ; ମହାନଦୀ ପାଇବ କି ନ୍ୟାୟ?
ଚାଷୀ ଓ ମଣ୍ଡି ସମସ୍ୟା ଭିତରେ ବିଧାନସଭା ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ପୂରା ଧୋଇଗଲା । କୌଣସି ଗୋଟିଏ ଦିନ ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳ ସୁରୁଖୁରୁରେ ଚାଲିପାରିଲାନି। ସରକାର କହୁଛନ୍ତି, ମଣ୍ଡିରେ ସବୁକିଛି ଠିକଠାକ୍ ଚାଲିଛି । କିନ୍ତୁ ଗ୍ରାଉଣ୍ଡ ଜିରୋରେ ଚାଷୀଙ୍କ ସମସ୍ୟା ଯାହାକୁ ସେୟା । ସେପଟେ ମନ୍ତ୍ରୀ କହିଛନ୍ତି ଟୋକନ ଅବଧି ସରିଥିଲେ ୧୫ଦିନ ବଢ଼ାଯିବ ।
ପ୍ରଶ୍ନ ଉଠୁଛି, ଖାଲି ବିଧାନସଭାରେ ହୋହଲ୍ଲା କରିଦେଲେ ସମସ୍ୟାର ସମାଧାନ ହୋଇଯିବ କି ? ପ୍ରକୃତରେ ଚାଷୀଙ୍କ ପାଇଁ କାହାର ଆନ୍ତରିକତା ଅଛି କି ?
Follow Us