କନକ ବ୍ୟୁରୋ : କପା, ଧଳା ସୁନା ଭାବେ ପରିଚିତ । ରାୟଗଡ଼ା ଜିଲ୍ଲାର କପାର ଅନ୍ତର୍ଜାତୀୟ ବଜାରରେ ଚାହିଦା କାହିଁ କେତେ । ଖାସ୍ ଏହି କାରଣରୁ ସୂତାକଳ ମାଲିକମାନେ ଏହି କପା କିଣିବା ପାଇଁ ହୋଇଛନ୍ତି ରାୟଗଡ଼ା ମୁହାଁ । ଏପଟେ ଝାଳ ବୁହା ପରିଶ୍ରମ କରି କପା ଉତ୍ପାଦନ କଲା ଚାଷୀ । ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା। କପା ବିକି ଚାଷୀ ଭଲ ରୋଜଗାର କରିବାକୁ ଆଶା ରଖିଥିଲା । ହେଲେ ମଣ୍ଡିରେ ବିକ୍ରି କରିବା ପାଇଁ ନିଜ ନାମ ପଞ୍ଜୀକରଣ କରିବା ପାଇଁ ଦୌଡି ଦୌଡି ନୟାନ୍ତ ଚାଷୀ । ନେଟଓାର୍କ ନାହିଁ, କାଗଜପତ୍ର ଠିକ ନାହିଁ କହି ଫେରାଇଦେଉଛନ୍ତି ସିସିଆଇ । ଏଣୁ ବାଟ ନ ପାଇ ଶେଷରେ ନିଜ ଉତ୍ପାଦିତ କପାକୁ କମ୍ ଦାମରେ ଦଲାଲକୁ ଟେକିଦେବାକୁ ବାଧ୍ୟ ହେଉଛି ଚାଷୀ ।ଫଳରେ କ୍ଷତି ସହୁଛି କପା ଚାଷୀ । ପ୍ରଥମେ ବର୍ଷା ଯୋଗୁଁ ଅଧା କପା ନଷ୍ଟ ହୋଇଥିବା ବେଳେ ବାକି କପାକୁ ମଣ୍ଡିରେ ବିକ୍ରି କରିନପାରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । 

Advertisment

ସରକାରୀ ମଣ୍ଡିରେ କପାର ମୂଲ୍ୟ ଅଧିକ ରହିଛି ହେଲେ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇପାରୁନି । କପା ଚାଷ ପାଇଁ ସରକାରଙ୍କ ତରଫରୁ ଚାଷୀଙ୍କୁ କୌଣସି ସୁବିଧା ମିଳୁନଥିବା ବେଳେ  ଚାଷରେ ବ୍ୟବହୃତ ରାସାୟନିକ ସାର, କୀଟନାଶକ ଔଷଧ ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଚାଷୀ ସାହୁକାରଠାରୁ ଧାର କରଜ କରୁଥିବା ବେଳେ ଆଉ କିଛି ଚାଷୀ ସୁନାକୁ ବନ୍ଧକ ରଖିଛନ୍ତି । ହେଲେ ମଣ୍ଡିର ଅବ୍ୟବସ୍ଥା ଯୋଗୁଁ ଶେଷରେ ମଣ୍ଡିରେ କପାକୁ ବିକ୍ରି କରିନପାରି ଦଲାଲଙ୍କର ଶୋଷଣର ଶିକାର ହେଉଛି ଚାଷୀ ।  

ଅଧିକ ପଢ଼ନ୍ତୁ---ସଙ୍କଟରେ ଓଡ଼ିଶାର କପା ଚାଷୀ ; ଲାଭ ଉଠାଉଛନ୍ତି ଆନ୍ଧ୍ର ବେପାରୀ

୧୫ ନଭେମ୍ବର ୨୦୨୫ ରେ ରାୟଗଡା ଓ ଗୁଣପୁର ଆରଏମସିରେ ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୪,୫୫୨ କୁଇଣ୍ଟାଲ କପା ଚାଷୀଙ୍କ ଠାରୁ କିଣିଛି ସିସିଆଇ । ମଣ୍ଡିରେ କପା ମୂଲ୍ୟ ବନ୍ନି ବା ବ୍ରହ୍ମା ନାମକ କପା ଯାହାର ଲମ୍ବା ୨୯.୫ ମି.ମି ରୁ ଅଧିକ ଏବଂ ମାଇକ୍ରେନିୟର ମାତ୍ରା ୩.୫ରୁ ଅଧିକ ହୋଇଥିଲେ କୁଇଣ୍ଟାଲ ପିଛା ୮୧୧୦ ଟଙ୍କା ଧାର୍ଯ୍ୟ ହୋଇଥାଏ । ବନ୍ନି ବା ବ୍ରହ୍ମା - ଏସ୍‌ପିଏଲ କପା ଯାହାର ଲମ୍ବା ୨୯.୧ ମି.ମିରୁ ଅଧିକ ଏବଂ ମାଇକ୍ରେନିୟର ମାତ୍ରା ୩.୫ରୁ ଅଧିକ ହୋଇଥିଲେ କୁଇଣ୍ଟାଲ ପିଛା ୮୦୬୦ ଟଙ୍କା ଏବଂ ଏମ୍‌.ଇ.ସି.ଏଚ୍ କପା ଯାହାର ଲମ୍ବା ୨୭.୫ ମି.ମି.ରୁ ଅଧିକ ଏବଂ ମାଇକ୍ରେନିୟର ମାତ୍ରା ୩.୫ରୁ ଅଧିକ ହୋଇଥିଲେ ୮୦୧୦ ଟଙ୍କା ମଣ୍ଡିରେ ଧାର୍ଯ୍ୟ ହୋଇଛି । କପାର ଆର୍ଦ୍ରତା ୧୨ ପ୍ରତିଶତରୁ ଅଧିକ ଥିଲେ ସେହି କପା କିଣିବ ନାହିଁ ବୋଲି ସିସିଆଇ ମନା କରିଦେଇଛି । ଅନ୍ୟପଟେ ଆସନ୍ତା ବର୍ଷ ଠାରୁ କପା ଚାଷୀ ଯେପରି ଦଲାଲଙ୍କ ଶୋଷଣର ଶିକାର ନହୁଅନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ରମେଶ କୁମାର ଜେନା ।