କନକ ବ୍ୟୁରୋ :ରାୟଗଡ଼ାରେ ବଢୁଛି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ କିଏ ମୃତ୍ୟୁ ମୁହଁରେ ପଡ଼ୁଛି ତ ଆଉ କାହାର ଖୋଜ ଖବର ମିଳୁନି। ଏପଟେ ପରିବାର ଲୋକେ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଏ ଅଫିସରୁ ସେ ଅଫିସ ବୁଲିବୁଲି ନୟାନ୍ତ ହେଉଛନ୍ତି। ଅନ୍ୟପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ  କିନ୍ତୁ କୌଣସି ତଥ୍ୟ ନାହିଁ।

Advertisment

ଗରିବ ହେଲେ ମଲ। ଅଭାବୀ ପରିବାରରେ ଜନ୍ମ ହେଲେ ଯନ୍ତ୍ରଣା ସହିବା ସାର। ପ୍ରତିମୁହୁର୍ତ୍ତରେ ଜୀବନ ଜଞ୍ଜାଳ କଲବଲ କରୁଛି। ହାତରେ ଫଟୋଟିଏ ଧରି ନିଖୋଜ ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି ସ୍ତ୍ରୀ। ମାସିକ ୧୨ ହଜାର ଟଙ୍କା ରୋଜଗାର ଆଶାରେ ଭିଟାମାଟି ଛାଡ଼ିଥିଲେ। ଗଞ୍ଜାମ ଖଲ୍ଲିକୋଟର ଦଲାଲକୁ ଭରସା କରି ଗତ ଡିସେମ୍ବର ୩ ତାରିଖରେ ବେଙ୍ଗାଲୁରୁ ଯାଇଥିଲେ। ହଠାତ୍ ୨୧ ଡିସେମ୍ବରରେ ଫକୀରଙ୍କ ନିଖୋଜ ଖବର ଜଣାଇଥିଲେ ଦାଦନ ଦଲାଲ। ତା'ପରେ ଡିସେମ୍ବର ୨୭ରେ ରାୟଗଡ଼ା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଫକୀରଙ୍କ ସ୍ତ୍ରୀ। ମାସେ ବିତିଲାଣି, ଫକିରଙ୍କ କୌଣସି ଖବର ମିଳୁନି। ପୁଲିସ କୌଣସି ପଦକ୍ଷେପ ନେଇ ନାହିଁ। ଶେଷରେ ଫକିରଙ୍କ ସ୍ତ୍ରୀ ଶାନ୍ତି ମିଣିଆକା ଶାନ୍ତି ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ଏ ଅଫିସରୁ ସେ ଅଫିସକୁ ଧାଉଁଛନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ  ଯାଇ ସ୍ୱାମୀଙ୍କୁ ଖୋଜିଆଣିବାକୁ ନେହୁରା ହୋଇଛନ୍ତି।

ଅଧିକ ପଢ଼ନ୍ତୁ :  ରାୟଗଡ଼ା ନିୟମଗିରିକୁ ଫେରିଲେ ନକ୍ସଲ, ନିୟମଗିରି ପାହାଡ଼ରେ ନକ୍ସଲ ଗତିବିଧିକୁ ବଢ଼ାଇବା ସହ ଡଙ୍ଗରିଆଙ୍କ ଉପରେ କଟକଣା ଲାଗୁ

ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଳକ ମଧ୍ୟରୁ ରାୟଗଡ଼ା, କାଶୀପୁର, ଚନ୍ଦ୍ରପୁର, ମୁନିଗୁଡ଼ା, ଆମ୍ବଦଳା ଓ କଲ୍ୟାଣସିଂହପୁର ବ୍ଳକରୁ ଅଧିକ ବ୍ୟକ୍ତି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି। ନିଜ ଅଞ୍ଚଳରେ କାମଧନ୍ଦାର ଅଭାବ ସହ ଜିଲ୍ଲାରେ ଗଢ଼ିଉଠିଥିବା କଳା କାରଖାନାରେ ନିଯୁକ୍ତି ମିଳୁନଥିବାରୁ ଭିଟାମାଟି ଛାଡ଼ୁଥିବା ଦାଦନ ଶ୍ରମିକ ଅଭିଯୋଗ କରୁଛନ୍ତି। ଜିଲ୍ଲାର କେଉଁ ବ୍ଲକରୁ କେତେ ଦାଦନ ବାହାରକୁ ଯାଇଛନ୍ତି? ରାଜ୍ୟ ବାହାରେ କେତେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି? କେତେ ଜଣ ସରକାରୀ ସୁବିଧା ପାଇଛନ୍ତି? ତା' ହିସାବ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ନାହିଁ। ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ପଞ୍ଚାୟତ ଗୁଡ଼ିକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା ଶୂନ୍‌।

ଅଧିକ ପଢ଼ନ୍ତୁ :  ରାୟଗଡ଼ା ଜିଲ୍ଲାରେ ମିନି ଷ୍ଟାଡିୟମ୍ ଆଳରେ ଲୋକଙ୍କ ଟଙ୍କା ଲୁଟ୍, ସୂଚନା ଫଳକ ଦର୍ଶାଉଛି ସରକାରଙ୍କ ଆନ୍ତରିକତା

କରୋନା ସମୟରେ ରାୟଗଡ଼ାକୁ ଫେରିଥିଲେ ୩୦ ହଜାର ଶ୍ରମିକ। ୨୦୧୯ରୁ ୨୦୨୫ ବର୍ଷ ମଧ୍ୟରେ ସରକାରୀ ଭାବେ ରାୟଗଡ଼ା ଜିଲ୍ଲାରେ ୪୩୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କେବଳ ୨୦୨୫ରେ ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ୨୫୫ ଜଣ। ଯଦି ଶ୍ରମିକଙ୍କ ସଂପର୍କରେ ତଥ୍ୟ ରହିବ ନାହିଁ ତେବେ ଜିଲ୍ଲା ଶ୍ରମ କାର୍ୟ୍ୟାଳୟ କାହା ପାଇଁ? କାହିଁକି ହୋଇପାରୁନି ଶ୍ରମିକ ପଞ୍ଜୀକରଣ? କାହିଁକି ଦାଦନଙ୍କୁ ମିଳୁନି ସରକାରୀ ସୁବିଧା? କାହିଂକି ଦାଦନ ଶ୍ରମିକଙ୍କ ବିଷୟରେ ସମସ୍ତ ତଥ୍ୟ ରଖାଯାଉନି? ଏହା ଏବେ ଚିନ୍ତାର କାରଣ ପାଲଟିଛି ।  ଜିଲ୍ଲାରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଶ୍ରମ  କାର୍ଯ୍ୟାଳୟର କାର୍ଯ୍ୟଦକ୍ଷତା  ଉପରେ ପ୍ରଶ୍ନ ଉଠିଛି ।