କନକ  ବ୍ୟୁରୋ: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ଅଭାବନୀୟ ଘଟଣା ଘଟିଛି । କଲୋନୀରେ ରହୁଥିବା କୁମାରୀ ସେଠୀ(୫୮) ଏବଂ ତାଙ୍କ ଦୁଇ ଅବିବାହିତ କନ୍ୟା ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ କିଛି ଦୁର୍ବୃତ୍ତ ବେକ ଓ କାନ କାଟି ହତ୍ୟା ଉଦ୍ୟମ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସ୍ବର୍ଗତ ପାଣ ସେଠୀଙ୍କ ସ୍ତ୍ରୀ କୁମାରୀ ତାଙ୍କ ଦୁଇ ଝିଅ ସହ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘରର କବାଟ ବାଡ଼ାଇ ଥିଲେ ।

Advertisment

ଅଧିକ ପଢନ୍ତୁ:  ବଲାଙ୍ଗୀରରେ ବ୍ରିଜ୍‌ ତଳୁ ବ୍ୟବସାୟୀଙ୍କ ମୃତଦେହ ମିଳିବା ଘଟଣା ; ସୁପାରି ଦେଇ ଭାଇକୁ ହତ୍ୟା କରିଛି ଭାଇ

କୁମାରୀ କବାଟ ଖୋଲିବା ପରେ ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ଅତର୍କିତ ଭାବେ ଏକ ଧାରୁଆ ଛୁରିରେ ତାଙ୍କ ବେକକୁ କାଟି ଦେଇଥିଲେ । ଦୁଇ ଝିଅ ନିଦରୁ ଉଠି ମା’କୁ ଉଦ୍ଧାର କରିବା ବେଳେ ସେ ଦୁହିଁଙ୍କ ବେକକୁ ମଧ୍ୟ ଛୁରିରେ କାଟି ବାଇକ ଯୋଗେ ଚମ୍ପଟ ମାରିଥିଲେ । ମା’ ଓ ଦୁଇ ଝିଅଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଝିଲିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ରହସ୍ୟଜନକ ହତ୍ୟା ଉଦ୍ୟମ ଘଟଣାର କାରଣ ଜଣାପଡିନାହିଁ ।