କନକ ବ୍ୟୁରୋ: ବାଣ ଭିଡ଼ିବା ବେଳେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ଜଳି ଯାଇଛି ତିନି ବଖରା ଘର । ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ବାଣ ଭିଡୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି କଟକ ସଦର ଥାନା ଅଧୀନ ଖଲରଦା ଗାଁରେ ।  ଦୀର୍ଘ ବର୍ଷ ହେବ ଖଲରଦା ଗାଁର ବଇନ ସାମଲ ନିଜ ଘରେ ଚୋରାରେ ବାଣ ଭିଡୁଥିଲେ । ପୂର୍ବରୁ ବାରମ୍ବାର ସଦର ପୋଲିସ ପକ୍ଷରୁ  ଚଢ଼ାଉ ମଧ୍ୟ ହୋଇଛି । ଆଜି ବଇନ ଘରେ ବାଣ ଭିଡିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଛି । ବାଣ ଭିଡୁଥିବା ସୁରେଶ ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟକୁ ଅନ୍ୟମାନେ ବଞ୍ଚି ଯାଇଛନ୍ତି । ବିସ୍ଫୋରଣ ପରେ ତିନି ବଖରା ଘର ଜଳି ଯାଇଛି । ଘଟଣା ସ୍ଥଳରେ ସଦର ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ତଦନ୍ତ ଚଳାଇଛନ୍ତି ।

Advertisment

ବିସ୍ଫୋରଣ ପରେ ତୁରନ୍ତ ଘରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା, ଯାହାଫଳରେ ଘରର ୩ ବଖରା ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଆହୁରି ପଢ଼ନ୍ତୁ... ଢେଙ୍କାନାଳରେ ପଥର ଖାଦାନରେ ବିସ୍ଫୋରଣ : ୪ ମୃତ୍ୟୁ

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ବେଆଇନ ଭାବେ ବାଣ ତିଆରି କରୁଥିଲେ କି ନାହିଁ, ସେ ନେଇ ପୁଲିସ ଛାନଭିନ୍ କରୁଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।