କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ’ଣ ଗିରଫ ହେବେ? ସତରେ କଣ ଇଡି ତାଙ୍କ ହାତରେ ହାତକଡ଼ି ପକାଇବ? ଏକଥା ଏଥିପାଇଁ ଚର୍ଚ୍ଚା ହେଉଛି କାହିଁକି ନା ପଶ୍ଚିମବଙ୍ଗ ରାଜନୀତି ଗତକାଲିଠୁ ଯେଉଁ ମୋଡ ନେଉଛି ସେହିକଥା ହିଁ କିଛି ଏଭଳି ଦିଗକୁ ଇଙ୍ଗିତ କରୁଛି । କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମମତା ବାନାର୍ଜୀଙ୍କ ବିରୋଧରେ କୋର୍ଟରେ ଏକ ଆବେଦନ ଦାୟର କରିଛି । ତାଙ୍କ ବିରୋଧରେ ସରକାରୀ କାର୍ଯ୍ୟ ଏବଂ ଇଡି ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ମନି ଲଣ୍ଡରିଂ ମାମଲା ସହିତ ଜଡ଼ିତ ପ୍ରମାଣ ନଷ୍ଟ କରିବା ନେଇ ଅଭିଯୋଗ ହୋଇଛି ।

Advertisment

ଇଡି କହିଛି ଯେ ମମତା ବାନାର୍ଜୀଙ୍କ ଦଳ ଟିଏମସିକୁ ରାଜନୈତିକ ପରାମର୍ଶ ଦେଉଥିବା କମ୍ପାନି IPAC ର କାର୍ଯ୍ୟାଳୟରେ କୋଇଲା ଚୋରି ଦୁର୍ନୀତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ଚଢ଼ାଉ କରାଯାଇଥିଲା, କିନ୍ତୁ ଚଢ଼ାଉ ସମୟରେ ମମତା ବାନାର୍ଜୀ IPAC ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ ଜବରଦସ୍ତି ଅଫିସ୍ ଭିତରକୁ ପଶି ମାମଲା ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ନିଜ ସହିତ ନେଇଯାଇଥିଲେ ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଗତକାଲି ଯାହା ଘଟିଲା, ସେହି ମାମଲା ଏବେ ଉଭୟ ପକ୍ଷଙ୍କ ପକ୍ଷରୁ ହାଇକୋର୍ଟକୁ ଯାଇଛି । ଇଡି ମମତା ବାନାର୍ଜୀଙ୍କ ଉପରେ ତଦନ୍ତରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । IPAC ଏହି କାର୍ଯ୍ୟାନୁଷ୍ଠାନର ବୈଧତା ଉପରେ ପ୍ରଶ୍ନ ଉଠାଇ ବିରୋଧ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ଆହୁରି ପଢ଼ନ୍ତୁ... ଦିଦିଙ୍କ MPଙ୍କୁ ଉଠାଇନେଲା ପୁଲିସ; ଅମିତ ଶାହଙ୍କ ଅଫିସ ଆଗରେ କରୁଥିଲେ ବିକ୍ଷୋଭ

ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ମାମଲାରେ ଇଡିର ପକ୍ଷ ଶକ୍ତିଶାଳୀ ରହିଛି, କାରଣ ଇଡି ନିଜ ଯୁକ୍ତିରେ PMLAର ଧାରା ୬୭ର ସହାୟତା ନେଇପାରେ । IPAC ଏବଂ ମମତା ବାନାର୍ଜୀଙ୍କୁ ପ୍ରମାଣ କରିବାକୁ ହେବ ଯେ ED ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଚଢ଼ାଉ କରିଛି ଏବଂ ଫାଇଲ-ଦଲିଲ ଜବତ କରିଛି । ଯଦି ଏହା ପ୍ରମାଣିତ ନହୁଏ, ତେବେ ଚଢ଼ାଉ-ଜବତ କରିବା ଅପରାଧ ଶ୍ରେଣୀଭୁକ୍ତ ହେବ ନାହିଁ । ଗିରଫଦାରୀ ତ ଦୂରର କଥା ।

ସେହିପରି ଯଦି ED ପ୍ରମାଣ କରିଦିଏ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ IPAC କାର୍ଯ୍ୟାଳୟରେ ଜବରଦସ୍ତି ପଶି ଯେଉଁ ଫାଇଲଗୁଡ଼ିକ ନେଇଯାଇଛନ୍ତି, ତାହା ମାମଲାର ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେବେ ମମତା ବାନାର୍ଜୀଙ୍କୁ ଗିରଫ କରାଯାଇପାରେ । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପାଖରେ ସାମ୍ବିଧାନିକ ସୁରକ୍ଷା ବା ଇମ୍ୟୁନିଟି ଅଛି ତା ନୁହେଁ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀମାନଙ୍କୁ କେବଳ ସଦନ ଭିତରେ ବିଶେଷ ଅଧିକାର ମିଳିଛି, ବାହାରେ ନୁହେଁ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଇଡି କୋଲକାତାର ସଲ୍ଟ ଲେକ୍ ସେକ୍ଟର-Vରେ ଥିବା IPAC ଅଫିସ୍ ଏବଂ ଲାଉଡନ୍ ଷ୍ଟ୍ରିଟ୍‌ରେ ପ୍ରତୀକ ଜୈନଙ୍କ ଘରେ ଚଢ଼ାଉ କରିଥିଲା, କିନ୍ତୁ ମମତା ବାନାର୍ଜୀ ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକରେ ପହଞ୍ଚି ଯାଇଥିଲେ । ମମତା ବାନାର୍ଜୀ ପ୍ରଥମେ କୋଲକାତା ପୁଲିସ କମିସନର ମନୋଜ ବର୍ମାଙ୍କ ସହ ପ୍ରତୀକ ଜୈନଙ୍କ ଘରେ ପହଞ୍ଚିଥିଲେ ଏବଂ ପ୍ରାୟ ୨୦-୨୫ ମିନିଟ୍ ପରେ ହାତରେ ଏକ ସବୁଜ ରଙ୍ଗର ଫୋଲଡର ଧରି ବାହାରକୁ ଆସିଥିଲେ ।

ତେବେ ଏହି ଘଟଣାକୁ ନେଇ ବିବାଦ ମଧ୍ୟରେ ଶୁକ୍ରବାର ତୃଣମୂଳ କଂଗ୍ରେସ ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେଠାରୁ ସମସ୍ତଙ୍କୁ ହଟାଇ ଦେଇଥିଲା । ଏହି ସମୟରେ ମହୁଆ ମୋଇତ୍ରା ଏବଂ ଡେରେକ ଓ’ବ୍ରାୟନଙ୍କୁ ହେପାଜତକୁ ନିଆଯାଇଛି । ଏହି ପ୍ରଦର୍ଶନରେ ଡେରେକ ଓ’ବ୍ରାୟନ, ଶତାବ୍ଦୀ ରୟ, ମହୁଆ ମୋଇତ୍ରା ଏବଂ କୀର୍ତ୍ତି ଆଜାଦଙ୍କ ଭଳି ପ୍ରମୁଖ ସାଂସଦମାନେ ସାମିଲ ଅଛନ୍ତି ।