malakanagiri Photograph: (kanak news)
କନକ ବ୍ୟୁରୋ : ବିଧାନସଭାରେ ମାଲକାନଗିରି ତାତି , ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ । ଗୃହରେ ମାଲକାନାଗିରି ହିଂସା ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଛନ୍ତି ଏବେ ମାଲକାନଗିରି ଜଳୁଛି, ଆଗକୁ ଆଉ ଏକ କନ୍ଧମାଳ ହେବାକୁ ଯାଉଛି । ଅନକେ ଘର ପୋଡ଼ି ଦିଆଗଲାଣି, ଜୀବନ ଗଲାଣି । ହେଲେ ଆମେ ଏଠି ବସି କାର୍ଯ୍ୟକ୍ରମ କରୁଛେ । ଲୋକ କଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ । ରାଜ୍ୟର ଗୋଟିଏ ଅଂଶ ଜଳୁଥିବା ବେଳେ ଆମେ ଏଠି ନିୟମ ତିଆରି କରୁଛେ ଏହା କେତେ ଠିକ୍ ବୋଲି ପ୍ରଶ୍ନ ଉଠାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଯେମିତି ମଣିପୁର ଜଳୁଥିଲା, ସେମିତି ଏବେ ମାଲକାନଗିରି ଜଳୁଛି । ବେଙ୍ଗଲି କହୁଥିବା ଲୋକ ସମସ୍ତେ ବାଂଲାଦେଶୀ ନୁହଁନ୍ତି । କିନ୍ତୁ ରାଜ୍ୟରେ ସେଭଳି ବାତାବରଣ ତିଆରି କରାଯାଉଛି ବୋଲି ସରକାରଙ୍କୁ ଦୋଷ ଦେଇଛନ୍ତି ରାଜା ସ୍ୱାଇଁ । ଏଥିସହ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ଏବଂ ତୁରନ୍ତ ହାଉସ କମିଟି ଗଠନ କରି ମାଲକାନଗିରି ପଠାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।
ଅଧିକ ପଢ଼ନ୍ତୁ--ମାଲକାନଗିରିରେ ତେଜୁଛି ହିଂସା; ବିଏନଏସ୍ -୧୬୩ ଧାରା ଲାଗୁ, ୨୪ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ
ମାଲକାନଗିରି ଜିଲ୍ଲାରେ ଘଟିଥିବା ଭୟଙ୍କର ହିଂସାକାଣ୍ଡ ଘଟଣା ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟରେ ଜିଲ୍ଲାବ୍ୟାପୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ବିଶେଷ ଭାବରେ ଉତ୍ତେଜନା ଲାଗିରହିଥିବା ଏମଭି-୨୬ ଗ୍ରାମରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୬୩ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜାରି କରାଯାଇଥିବା ନିୟମକୁ ଯେଉଁମାନେ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜିପି କଡ଼ା ଚେତାବନୀ ଦେଇଛନ୍ତି ।
ସ୍ଥିତିର ଗମ୍ଭୀରତାକୁ ଅନୁଧ୍ୟାନ କରିବା ପାଇଁ ପୋଲିସ ଡିଜି ୱାଇ.ବି. ଖୁରାନିଆ ଆଜି ଖୋଦ୍ ‘ଗ୍ରାଉଣ୍ଡ୍ ଜିରୋ’ରେ ପହଞ୍ଚିଛନ୍ତି । ସେ ହିଂସା ପ୍ରଭାବିତ ଏମଭି-୨୬ ଗାଁ ବୁଲି ଦେଖିବା ସହ ରାଖାଲଗୁଡ଼ା ଗାଁକୁ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଖାଲଗୁଡ଼ା ଗାଁର ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା । ଡିଜିପି କ୍ଷତିଗ୍ରସ୍ତ ପରିବାରଙ୍କ ଘର ବୁଲି ଦେଖିବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କ ସହ ଆଲୋଚନା କରିଛନ୍ତି।
ଏହି ଗସ୍ତ ସମୟରେ ଡିଜିପିଙ୍କ ସହ ଆଇଜି ଅପରେସନ ସଂଜୀବ ପଣ୍ଡା ଏବଂ ଡିଆଇଜି ଅପରେସନ ଅଖିଲେଶ୍ବର ସିଂ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ମାଲକାନଗିରି ଜିଲ୍ଲାପାଳ ଓ ଏସପି ଡିଜିପିଙ୍କୁ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ, ମହିଳାଙ୍କ ହତ୍ୟା ମାମଲାର ତଦନ୍ତକୁ ଜୋରଦାର କରାଯାଇଛି । ହତ୍ୟାର ଶିକାର ହୋଇଥିବା ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ପୋଟେରୁ ନଦୀରେ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଜିଲ୍ଲାରେ ଯେଭଳି ଆଉ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ କଡ଼ା ପହରା ଦିଆଯାଉଛି ।
Follow Us