Elephant Photograph: (Kanak news)
କନକ ବ୍ୟୁରୋ : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜରେ ଅସୁସ୍ଥ ମାଖନା ହାତୀର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହୋଇପଡିଛି । ହାତୀଟିର ଅବସ୍ଥା ଏତେ ଦୟନୀୟ ଯେ ସେ ନିଜେ ଛିଡ଼ା ହୋଇପାରୁନାହିଁ କିମ୍ବା କିଛି ଖାଦ୍ୟ ମଧ୍ୟ ଗ୍ରହଣ କରୁନାହିଁ । ବନ ବିଭାଗ ପକ୍ଷରୁ ହାତୀର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି । ପ୍ରାୟ ତିନି ମାସ ତଳେ ଏହି ଜଙ୍ଗଲରେ ଏକ ଦନ୍ତା ହାତୀ ସହିତ ଲଢେଇ ବେଳେ ଏହି ମାଖନା ହାତୀଟି ଗୁରୁତର ଭାବେ ଆହତ ହୋଇଥିଲା । ସେବେଠାରୁ ତାର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଛି । କିଛି ଦିନ ପୂର୍ବରୁ ବନ ବିଭାଗର ଏକ ସ୍ୱତନ୍ତ୍ର ଚିକିତ୍ସାକାରୀ ଦଳ ହାତୀଟିକୁ ଟ୍ରାଙ୍କୁଲାଇଜ୍ ଦେଇ ଚିକିତ୍ସା କରିଥିଲେ । ଏହା ପରଠାରୁ ବନ କର୍ମଚାରୀମାନେ ନିୟମିତ ଭାବେ ହାତୀର ଗତିବିଧି ଉପରେ ନଜର ରଖିବା ସହ ଚିକିତ୍ସା ଜାରି ରଖିଥିଲେ ।
କିନ୍ତୁ ଦୁର୍ଭାଗ୍ୟବଶତଃ ହାତୀର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରିବର୍ତ୍ତେ ଏହା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଗତକାଲି ଠାରୁ ହାତୀଟି ତଳେ ପଡିରହିଛି ଏବଂ ଆଉ ଉଠୁନାହିଁ । ଆଜି ସକାଳେ ବନ ବିଭାଗ ପକ୍ଷରୁ ଏକ ଜେସିବି ମେସିନ୍ ସହାୟତାରେ ହାତୀକୁ ଉଠାଇ ଛିଡ଼ା କରାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ହାତୀଟି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାରୁ ଛିଡ଼ା ହେବାକୁ ସକ୍ଷମ ହୋଇପାରି ନାହିଁ । ହାତୀଟିର ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବାର୍ଦ୍ଧକ୍ୟ ଏବଂ ପୁରୁଣା କ୍ଷତ ଯୋଗୁଁ ଧୀରେ ଧୀରେ ତାର ସ୍ବାସ୍ଥ୍ୟ ବିଗୁଡୁ ଥିବା ବନ ବିଭାଗ ଅନୁମାନ କରୁଛି ।
ଅଧିକ ପଢ଼ନ୍ତୁ--ମାଆ ପୁଅ ମିଶି ଚଳାଇଥିଲେ ବ୍ରାଉନସୁଗର କାରବାର; ଧରାପଡ଼ିଲା ୬୮୦ ଗ୍ରାମର ଧଳାଜହର
Follow Us