କନକ ବ୍ୟୁରୋ : ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଭୁବନେଶ୍ବର  ସତ୍ୟବିହାର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ସବୁକିଛି ଛାରଖାର ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରେଷ୍ଟୁରାଣ୍ଟ ମାଲିକ କିନ୍ତୁ କହିଛନ୍ତି କେହି ଦୁର୍ବୃତ୍ତ ଆକ୍ରୋଶରୁ ନିଆଁ ଲଗାଇ ଦେଇଛନ୍ତି । ସମୟ ସକାଳ ପ୍ରାୟ ୮ଟା ୪୫ । ସ୍ଥାନ- ଭୁବନେଶ୍ବର ସତ୍ୟବିହାର । ଭୁବନେଶ୍ବର-କଟକ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବିଲ୍‌ଡିଂରେ ହଠାତ୍‌ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳୁଥିଲା ତିନିତାଲା କୋଠା ଉପରେ ଥିବା ଲଜ୍‌ ଓ ରେଷ୍ଟୁରାଣ୍ଟ । କେହି କିଛି ବୁଝିବା ଆଗରୁ ସବୁ ଗ୍ରାସ କରିସାରିଥିଲା ନିଆଁ । ପ୍ରାୟ ଅଧଘଣ୍ଟା ପରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ବହୁ କସରତ ପରେ ନିଆଁ ଆୟତ୍ତ ହୋଇଥିଲେ ବି ସେତବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା । 

Advertisment

ବିଲ୍‌ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଏକ ସପିଂ ମଲ୍ ରହିଛି । ପ୍ରଥମ ମହଲାରେ ଏକ ଫର୍ଣ୍ଣିଂଚର ଶୋରୁମ ବି ରହିଛି । ଉପର ମହଲାରେ ଚାଲିଥିଲା ରେଷ୍ଟୁରାଣ୍ଟ । ତେବେ ସୌଭାଗ୍ୟବଶତଃ ନିଆଁ ଅନ୍ୟ ଫ୍ଲୋରକୁ ବ୍ୟାପିବା ପୂର୍ବରୁ ପହଞ୍ଚିଯାଇଥିଲା ଅଗ୍ନିଶମ ବାହିନୀ । ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି, କୌଣସି ଦୁର୍ବୃତ୍ତ ଆକ୍ରୋଶମୂଳକ ଭାବେ ନିଆଁ ଲଗାଇ ଦେଇଛନ୍ତି ।  ଗୋଆରେ ନାଇଟ୍ କ୍ଲବ୍‌ରେ ଅଗ୍ନିକାଣ୍ଡ ପରେ ଏବେ ଭୁବନେଶ୍ବରରେ ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜଧାନୀବାସୀଙ୍କ ମନରେ ପଶିଛି ଛନକା । ସବୁ ରେଷ୍ଟୁରାଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି ନା ନାହିଁ ସେ ନେଇ ବି ଉଠିଛି ପ୍ରଶ୍ନ । ଅଗ୍ନିଶମ ବାହିନୀ ଏ ନେଇ କେବେ ତନାଘନା କରୁଛି ତାହା ଦେଖିବାର କଥା । 

ଅଧିକ ପଢ଼ନ୍ତୁ--ମିଳିଲାନି ସରକାରୀ ବିହନ ! ବନ୍ଦ ହେଲା ଚିନାବାଦାମ ଚାଷ