କନକ ବ୍ୟୁରୋ : ମାଓ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ପୁଣି ଏକ ବଡ଼ ସଫଳତା , ନିପାତ ହେଲେ ୧୪ ମାଓବାଦୀ । ଛତିଶଗଡ଼ର ସୁକମା ଓ ବିଜାପୁର ଏନକାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଛତିଶଗଡ଼ ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ସୁକମା ଓ ବିଜାପୁର ଜିଲ୍ଲାରେ ହୋଇଥିବା ଦୁଇଟି ପୃଥକ ଏନକାଉଣ୍ଟ ହୋଇଛି । ସୁକମା ଏସପି କିରଣ ଚାଭାନଙ୍କ ନେତୃତ୍ୱରେ ଜିଲ୍ଲା ରିଜର୍ଭ ଗାର୍ଡ ଦ୍ୱାରା ଶୁକ୍ରବାର ରାତିରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା । କିସ୍ତାରାମ ଥାନା ଅଞ୍ଚଳର ପାଲୋଡି ଓ ପୋଟକପଲ୍ଲୀ ମଧ୍ୟବର୍ତ୍ତୀ ପାମଲୁର ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ସଚିବ 'ମଙ୍ଗଡୁ' ଅନ୍ତର୍ଭୁକ୍ତ । ଘଟଣାସ୍ଥଳରୁ ଏକେ-୪୭ ଏବଂ ଇନସାସ୍ ରାଇଫଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେପଟେ ଆଜି ସକାଳ ପ୍ରାୟ ୫ଟା ସମୟରେ ବିଜାପୁର ଜିଲ୍ଲାରେ ମଧ୍ୟ ଗୁଳିବିନିମୟ ହୋଇଥିଲା । ଡିଆରଜି ଟିମ୍ ଚଢ଼ାଉ କରିଥିବା ବେଳେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି ।
ଅନ୍ୟପଟେ, ମାଓ ଦମନ ଅଭିଯାନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରେ 'ଅପରେସନ ଖାତ୍ମା'କୁ ଜୋରଦାର କରାଯାଇଛି । ମାଓବାଦୀଙ୍କ ଏହି ପ୍ରମୁଖ ଗଡ଼କୁ ବର୍ତ୍ତମାନ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀ ଘେରି ରହିଛନ୍ତି । ମିସିର ବେସରା, ମଛୁ, ଅସୀମ ଦା ଏବଂ ଅନଲ ଦା’ଙ୍କ ଭଳି ଶୀର୍ଷ ମାଓ ନେତାଙ୍କୁ କାବୁ କରିବା କିମ୍ବା ଏନକାଉଣ୍ଟର କରିବା ଏହି ବିଶାଳ ଅଭିଯାନର ମୁଖ୍ୟ ଲକ୍ଷ୍ୟ ।
ଅଧିକ ପଢ଼ନ୍ତୁ---ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର
ସରଣ୍ଡା ଜଙ୍ଗଲକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପାଇଁ ଓଡ଼ିଶା ପୁଲିସ ମଧ୍ୟ ସୀମାନ୍ତରେ ସୁରକ୍ଷା ବାହିନୀକୁ ସହଯୋଗ କରୁଛି । ଜରାଇକେଲା, ଚାନ୍ଦିପୋଷ, କରମପଦା ଓ ମନୋହରପୁର ଭଳି ସୀମାନ୍ତ ଅଞ୍ଚଳରେ ତନଖି ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ସମୟରେ ଝାଡ଼ଖଣ୍ଡ ସରକାର ମାଓବାଦୀଙ୍କ ବିରୋଧରେ ରଣନୀତିକୁ ଅଧିକ ଶକ୍ତ କରି ଫୁଲମଣି କୋଡ଼ା, କୋଡ଼ୋମଣି କୋଡ଼ା ଓ ଚୋଗୋ ପୂର୍ତ୍ତି ନାମକ ୩ ଜଣ ଟପ୍ ମହିଳା ମାଓବାଦୀଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ନୂଆବର୍ଷର ପ୍ରଥମ ଦିନରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଓ ସଂଗଠନର ଅଣ୍ଟା ଭାଙ୍ଗିବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/03/maoist-2026-01-03-12-32-50.jpg)