କନକ ବ୍ୟୁରୋ : ଖଲିସ୍ତାନୀ ସଙ୍ଗଠନ ଶିଖ୍‌ ଫର୍‌ ଜ‌ଷ୍ଟିସ୍‌ର ୨ ଜଣ ସ୍ଲିପର ସେଲ୍‌ ନୂଆଦିଲ୍ଲୀରୁ ଗିରଫ ହୋଇଛନ୍ତି । ଏହି ଦୁଇଜଣ ଆତଙ୍କବାଦୀ ଗୁରପତବନ୍ତ ସିଂହ ପନ୍ନୁ ପାଇଁ ସ୍ଲିପର ସେଲ ଭାବେ କାମ କରୁଥିଲେ। ଦୁଇଜଣଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ବଲଜିନ୍ଦର ଓ ରୋହିତ ଓରଫ କିରଥ ୨୬ ଜାନୁଆରି ପୂର୍ବରୁ ଦିଲ୍ଲୀରେ ଦୁଇଟି ସ୍ଥାନରେ ଖଲିସ୍ତାନ ସମର୍ଥନରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖିଥିଲେ। ପନ୍ନୁ ଏମାନଙ୍କୁ ଦୁଇ ଲକ୍ଷ ଟଙ୍କା ଦେବାକୁ ଲୋଭ ଦେଖାଇ କାମ କରାଇଥିଲା।

Advertisment

ଅଧିକ ପଢ଼ନ୍ତୁ : ଭୁବନେଶ୍ବର ଡିଜିପି ସମ୍ମିଳନୀ ପୂର୍ବରୁ ଗର୍ଜିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ : ଜାରି କଲା ଭିଡିଓ , ଭୟରେ ସାଧାରଣ ଉଦବେଗ

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଭାବେ କାମ କରୁଥିଲା। ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖିବାକୁ ନେଇ କାନାଡାରେ ଷଡ଼ଯନ୍ତ୍ର ରଚା ଯାଇଥିଲା। ପନ୍ନୁର ଜଣେ ନିକଟତମ ସହଯୋଗୀ ଏହାର ମା‌ଷ୍ଟରମାଇଣ୍ଡ ଥିଲା। ସେ ଦିଲ୍ଲୀର ତିଲକ ନଗର ବାସିନ୍ଦା ବୋଲି ଜଣାପଡ଼ିଛି। ୨୬ ଜାନୁଆରି ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି କାନାଡ଼ା ଯାଇଥିଲା ଓ ସେଠାରେ ସିଧାସଳଖ ପନ୍ନୁ ସହିତ ସମ୍ପର୍କ ସ୍ଥାପନ କରିଥିଲା। ପୁଲିସ ପନ୍ନୁର ଅନ୍ୟ କେତେକ ସମର୍ଥକଙ୍କୁ ଖୋଜୁଛି। ପନ୍ନୁ ଦ୍ବାରା ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରାଯିବାକୁ ନେଇ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ମାମଲା ରୁଜୁ କରିଥିଲା। ପନ୍ନୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ସାଧାରଣତନ୍ତ୍ର ଦିବସ ଅବସରରେ ଅଶାନ୍ତି ସୃଷ୍ଟି କରିବା ଓ ଆଇନ କାନୁନ ବ୍ୟବସ୍ଥା ବିଗାଡ଼ିବାକୁ ଧମକ ଦେଇଥିଲା।