କନକବ୍ୟୁରୋ : ଡିଜିପି ସମ୍ମିଳନୀ ପାଇଁ କଡା ସୁରକ୍ଷା ବଳୟରେ ରହିଛି ପୂରା ଭୁବନେଶ୍ବର । କିନ୍ତୁ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଭିଡ଼ିଓ ଚହଳ ସୃଷ୍ଟି କରିଛି । ଅପେକ୍ଷାକୃତ ଭାବେ ଶାନ୍ତ ରାଜ୍ୟ ଓଡିଶାରେ ଆତଙ୍କ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛି । ଆଉ ପନ୍ନୁର ଏହି ଭିଡିଓ ପରେ ସତର୍କ ହୋଇଛି ସୁରକ୍ଷା ବାହିନୀ ।
ଡିଜିପି ସମ୍ମିଳନୀ ନୁହେଁ ଡିଜିପି ଟେରର ସମ୍ମିଳନୀ । ଆତଙ୍କବାଦୀ ପନ୍ନୁର ନଜର ଏବେ ଓଡ଼ିଶା ଉପରେ। ଖଲିସ୍ତାନୀ ଆତଙ୍କବାଦୀର ଭିଡ଼ିଓକୁ ନେଇ ଏବେ ରାଜଧାନୀରେ ଆତଙ୍କ । ଏହି ଆତଙ୍କବାଦୀର ଧମକକୁ ନେଇ ସାରା ଦେଶର ଛାତି ଧଡଧଡ। କାରଣ ଆସନ୍ତାକାଲି ଭୁବନେଶ୍ବରରେ ହେବାକୁ ଯାଉଛି ଡିଜିପି ସମ୍ମିଳନୀ ।
ଦେଶର ସବୁ ସୁରକ୍ଷା ବିଭାଗର ମୁଖିଆ ଏବେ ଭୁବନେଶ୍ବରରେ । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ସମ୍ମିଳନୀରେ ସାମିଲ ହେବେ । କିନ୍ତୁ ଏବେ ଟେମ୍ପୁଲ ସିଟିକୁ ଟେରର ସିଟିର ଆଖ୍ୟା ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ଭିଡ଼ିଓ ଜାରି କରି ପନ୍ନୁ ନିଜ ସହଯୋଗୀ ଓ ଆତଙ୍କବାଦୀ ସଙ୍ଗଠନକୁ କହିଛି, ଆତଙ୍କ ଖେଳାଇ ଡିଜିପି ସମ୍ମିଳନୀକୁ ଯେଣେତେଣେ ପ୍ରକାର ଭଣ୍ଡୁର କର । ଆତଙ୍କୀ ପନ୍ନୁର ଧମକ ପରେ କଡା ସୁରକ୍ଷାବଳୟ ଭିତରେ ଏବେ ଭୁବନେଶ୍ବର ।
ପ୍ରତି ଛକରେ ଦେଖିବାକୁ ମିଳିଛି ବିଏସଏଫ ଯବାନ ଓ କମାଣ୍ଡୋଙ୍କ ପିକେଟିଂ । ଛକ ଓ ଗଳିକନ୍ଦିରେ ପଇଁତରା ମାରୁଛନ୍ତି ସାଧା ପୋଷାକଧାରୀ ପୋଲିସ। ହାଇରେଜ ବିଲ୍ଡିଂରେ ସଜାଗ ଅଛନ୍ତି ଶହ ଶହ ସ୍ନାଇପର । ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡର ସ୍କାନରରେ ଭିଆଇପି ସୁରକ୍ଷା ରହିଥିବା ବେଳେ ଗୁଇନ୍ଦା ବିଭାଗ ରଖିଛି କଡା ନଜର। ଏହାସହ ୭୦ ପ୍ଲାଟୁନ ଫୋର୍ସ ଭୁବନେଶ୍ବରକୁ ଜଗିଛନ୍ତି ।
ଆସନ୍ତାକାଲି ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକସେବା ଭବନରେ ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ । ତେବେ ଏହାପୂର୍ବରୁ ଆତଙ୍କୀ ପନ୍ନୁ ବିଦେଶରୁ ଏହି ଧମକପୂର୍ଣ୍ଣ ଭିଡ଼ିଓ ଜାରି କରିବା ପରେ ସଜାଗ ରହିଛି ସୁରକ୍ଷାବାହିନୀ । ବିମାନବନ୍ଦରରୁ ବାହାରିବା ପରେ ଭିଭିଆଇପି ଯିବାକୁ ଥିବା ରୁଟକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି ।